ବୋଲେରୋ ଓ ବୁଲେଟ୍ ମୋଟରସାଇକେଲ ମୁହାଁମୁହିଁ ଧକ୍କା, ଦୁଇ ମୃତ, ଜଣେ ଗୁରୁତର

Published: Jun 3, 2023, 3:00 pm IST

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ସଦର ଥାନା ଅନ୍ତର୍ଗତ ବାଲିପଡା ଛକ ଏକ ହୋଟେଲ ସାମ୍ନାରେ ଗୋଟିଏ ବୁଲେଟ୍ ମୋଟରସାଇକେଲକୁ ଆଉ ଏକ ବୋଲେରୋ ଗାଡ଼ି ଧକ୍କା ଦେବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ବାଲିପଡା ଗ୍ରାମର ସୁଶାନ୍ତ ନାୟକ ଓ ପତିତପାବନ ପୁର ଗ୍ରାମର ଅମିୟ ଦାସଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଏହାସହ ସଂଗ୍ରାମ ସାହୁ ନାମକ ଜଣେ ଯୁବକ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଘଟଣାରୁ ପ୍ରକାଶ ଯେ, ଅମିୟ ଦାସ ନିଜ ସାଙ୍ଗ ସୁଶାନ୍ତକୁ ଛାଡ଼ିବା ପାଇଁ ବାଲିପଡା ଇନ୍ଦିରା ଆବାସ କଲୋନୀକୁ ଯାଉଥିବା ବେଳେ ହଠାତ୍ ଏକ ବୋଲେରୋ ଗାଡ଼ି ଧକ୍କାରେ ଦୁଇ ମୋଟରସାଇକେଲ ଆରୋହୀ ତଳେ ପଡ଼ିଯିବା ପରେ ସେଠାରୁ ଚମ୍ପଟ୍ ମାରିବାକୁ ଉଦ୍ୟମ କରୁଥିବା ବୋଲେରୋ ଚାଳକ ପୁଣି ସଂଗ୍ରାମ ସାହୁ ନାମକ ଜଣେ ଯୁବକକୁ ଧକ୍କା ଦେଇ ସେଠାରୁ ପଳାୟନ କରିଥିଲା। ଖବର ପାଇ ଅଞ୍ଚଳ ବାସିନ୍ଦା ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତ ଯୁବକ ମାନଙ୍କୁ ଚିକିତ୍ସା ପାଇଁ ଡ଼ାକ୍ତରଖାନାକୁ ପଠାଇବା ସହ ପୋଲିସକୁ ଖବର ଦେଇଥିଲେ।

ଚିକିତ୍ସା ସମୟରେ ଅମିୟ ଓ ସୁଶାନ୍ତଙ୍କ ବିୟୋଗ ଘଟିଥିବା ବେଳେ ଗୁରୁତର ସୁଶାନ୍ତ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରିବା ସହ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣା ର ଅନୁସନ୍ଧାନ ଚଳାଇଛନ୍ତି।

Related posts