ଓଡ଼ିଶା ଓ ବିଶ୍ୱବାସୀଙ୍କୁ ପବିତ୍ର ‘ରଥଯାତ୍ରା’ର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

Published: Jun 20, 2023, 7:16 pm IST

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରଥଯାତ୍ରା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭାରତୀୟ ସଂସ୍କୃତିରେ ରଥଯାତ୍ରାର ମହତ୍ତ୍ୱ ଉପରେ ଶ୍ରୀ ମୋଦୀ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି।

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି: ‘ରଥଯାତ୍ରା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା। ଏହି ପବିତ୍ର ଦିବସ ପାଳନ ଅବସରରେ ପ୍ରଭୁ ଜଗନ୍ନାଥଙ୍କ ଐଶ୍ୱରୀୟ ଯାତ୍ରା ଆମ ସମସ୍ତଙ୍କ ଜୀବନକୁ ସ୍ୱାସ୍ଥ୍ୟ, ସୁଖ ଏବଂ ଆଧ୍ୟତ୍ମିକତାରେ ପରିପୂର୍ଣ୍ଣ କରୁ।’

ସେହିଭଳି ପବିତ୍ର ରଥଯାତ୍ରା ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସହ ରଥଯାତ୍ରାରେ ସାମିଲ ହୋଇ ଓଡ଼ିଶା ଓ ବିଶ୍ୱବାସୀଙ୍କୁ ଏହି ପୁଣ୍ୟ ଦିବସର ଶୁଭେଚ୍ଛା ଜଣାଇଛନ୍ତି।  

 

ରଥ ସମ୍ମୁଖରେ ଆଭୂମି ପ୍ରଣିପାତ ହେବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ପବିତ୍ର ରଥଯାତ୍ରା ଅବସରରେ ମହାପ୍ରଭୁଙ୍କ ପହଣ୍ଡି ଦର୍ଶନ ଏକ ଅପୂର୍ବ ମୁହୂର୍ତ୍ତ। ସେ ଲୀଳାମୟ, ତାଙ୍କ ଲୀଳା ଅପାର। ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନରେ ସୁଖ ଓ ଶାନ୍ତିରେ ପରିପୂର୍ଣ୍ଣ ହେଉ।

ଓଡ଼ିଆ ଜାତି ଓ ଅସ୍ମିତାର ପରିଚୟ ମହାପ୍ରଭୁ ଶ୍ରୀଜଗନ୍ନାଥ। ସେ ଭାବର ଠାକୁର ଓ ଧାର୍ମିକ ସମନ୍ୱୟର ଦେବତା। ଆଜି କୋଟି କୋଟି ଶ୍ରଦ୍ଧାଳୁଙ୍କ ଗ୍ରହଣରେ ତାଙ୍କୁ ଦର୍ଶନ କରି ମୁଁ ବିମୋହିତ। ଶ୍ରୀ ପ୍ରଧାନ ପ୍ରଭୁ ବଳଭଦ୍ର, ମାଆ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ମାନବ କଲ୍ୟାଣ ଓ ବିଶ୍ୱ ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି।

 

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ପୁରୀ ଗୋବର୍ଦ୍ଧନ ପୀଠକୁ ଯାଇ ଶଙ୍କରାଚାର୍ଯ୍ୟ ଜଗତଗୁରୁ ପରମପୂଜ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜାଙ୍କୁ ସାକ୍ଷାତ୍ କରି ତାଙ୍କ ଆଶୀର୍ବାଦ ନେଇଥିଲେ। ସେ କହିଥିଲେ ଦେବା ଦେବୀଙ୍କର ଦର୍ଶନ ଯେତେ ପବିତ୍ର, ପୂଜ୍ୟ ସାଧୁ ସନ୍ଥଙ୍କ ଦର୍ଶନ ମଧ୍ୟ ସେତିକି ପବିତ୍ର। ଆଜି ଦେବ ଦର୍ଶନ ସହ ଗୁରୁ ଦର୍ଶନ କରିବା ଆନନ୍ଦର ବିଷୟ।

Related posts