
କୈଳାଶ ଚନ୍ଦ୍ର ଚୌଧୁରୀ
ବ୍ରହ୍ମପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ କୋଳଥି ଗ୍ରାମର ସୁନୀତା ଜେନା ଗତ ଦୁଇ ବର୍ଷ ତଳେ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ମେଳିଆପୁଟି ଗ୍ରାମର ସନ୍ତୋଷ କୁମାର ସାମଲଙ୍କୁ ବିବାହ କରିଥିଲେ। ବିବାହ ପରେ ଉଭୟେ ନୟାଗଡ଼ ଜିଲ୍ଲା ଦଶପଲ୍ଲାରେ ରହି ଆସୁଥିଲେ। କିନ୍ତୁ କ’ଣ ହେଲା କିଛି ମାସ ତଳେ ସ୍ତ୍ରୀ ସୁନୀତାଙ୍କୁ ସ୍ବାମୀ ସନ୍ତୋଷ କୌଣସି କାରଣରୁ ମାରଧର କରିବାରୁ ସୁନୀତା ଦଶପଲ୍ଲା ଥାନାରେ ଅଭିଯୋଗ ଦାଖଲ କରି କନିଷି ହାଟରେ ରହୁଥିବା ଭଉଣୀ ଘରେ ଆସି ରହୁଥିଲେ।
ଗତକାଲି ଅଚାନକ ସନ୍ତୋଷ ଭଉଣୀ ଘରେ ପହଞ୍ଚି ଦଶପଲ୍ଲା ଥାନାରେ ଦେଇଥିବା ଏତଲାକୁ ଶୀଘ୍ର ପ୍ରତ୍ୟାହାର କରିବା ପାଇଁ କହିବା ସହ ମାରଣାନ୍ତକ ଆକ୍ରମଣ କରିଥିଲେ। ସୁନୀତାଙ୍କ ବଡ ଭଉଣୀ ଛଡ଼ାଇବାକୁ ଆସିବାରୁ ତାକୁ ମଧ୍ୟ ନିର୍ଦ୍ଧୁମ ମାଡ଼ ମାରିଥିଲେ ଓ ଉଭୟେ ଦୁଇ ଭଉଣୀ ମାଡ଼ ଖାଇ ଆହତ ଅବସ୍ଥାରେ ଥାନାକୁ ଯାଇ ଅଭିଯୋଗ କରିଥିଲେ।
ଗୋଳନ୍ଥରା ପୋଲିସ ଅଭିଯୋଗ ପାଇ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସନ୍ତୋଷଙ୍କୁ ଗିରଫ କରିଛି।