ବାଣପୁର ଗୋଦାବରୀଶ ଜୁନିଅର କଲେଜରେ ସିଟ ବୃଦ୍ଧି ପାଇଁ ଦାବୀ

Published: Jul 22, 2023, 10:17 pm IST
BanpurCollage

ସୀତାରାମ ଅଗ୍ରୱାଲ

ବାଣପୁର: ବାଣପୁର ଗୋଦାବରୀଶ ଜୁନିଅର କଲେଜରେ ଯୁକ୍ତ ଦୁଇ ସିଟ ବୃଦ୍ଧି ପାଇଁ ବିଭିନ୍ନ ମହଲରେ ଦାବୀ କରାଯାଇଛି। ଚଳିତ ବର୍ଷ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ଶତକଡା ୯୭ ଭାଗ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଥିଲେ। ପାସ କରିଥିବା ଛାତ୍ରଛାତ୍ରୀଙ୍କ ତୁଳନାରେ କଲେଜରେ ଥିବା ସିଟ ସଂଖ୍ୟା କମ ଥିବାରୁ ସ୍ଥାନୀୟ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ପ୍ରକାଶ ଥାଉକି ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ବାଣପୁର ବ୍ଲକର ସମୁଦାୟ ୧୭୭୯ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୭୪୦ ଜଣ ଉତୀର୍ଣ୍ଣ ହୋଇଥିବା ବେଳେ ଶତକଡା ୯୮ ଭାଗ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଥିଲେ। ରାଜ୍ୟରେ ପାସ ହାରକୁ ଦେଖି ଶିକ୍ଷାମନ୍ତ୍ରୀ ଆବଶ୍ୟକ ସ୍ଥଳେ କଲେଜ ଗୁଡିକରେ ଦ୍ଵାଦଶ ଶ୍ରେଣୀ ସିଟ ସଂଖ୍ୟା ବୃଦ୍ଧି କରିବାପାଇଁ ପ୍ରତିଶୃତି ଦେଇଥିଲେ। ପ୍ରକାଶ ଥାଉକି ସାମୁହିକ ସ୍ତରରେ ବାଣପୁର ଗୋଦାବରୀଶ ଜୁନିଅର ମହାବିଦ୍ୟାଳୟରେ ଶତକଡା ୫୬ ନମ୍ବର କଟଅଫ ମାର୍କ ଚଳିତ ବର୍ଷ ରହିଥିବା ଅଧ୍ୟକ୍ଷ ବିନାୟକ ହୋତା ପ୍ରକାଶ କରିଛନ୍ତି।

ସମୁଦାୟ ୩୨୦ ଜଣ ଛାତ୍ରଛାତ୍ରୀ ନାମ ଲେଖାଇବାକୁ ସିଟ ଉପଲବ୍ଧ ଥିବା ଜଣାଯାଇଛି। ସେଥିରେ ଅନ୍ୟ ଅଞ୍ଚଳର ଛାତ୍ରଛାତ୍ରୀ ମଧ୍ୟ ନାମ ଲେଖାଇବାକୁ ମନୋନୀତ ହୋଇଛନ୍ତି। ଯାହାଫଳରେ ବାଣପୁର ଅଞ୍ଚଳର ବହୁ ଗରିବ ଶ୍ରେଣୀର ଛାତ୍ରଛାତ୍ରୀ ସ୍ଥାନୀୟ କଲେଜରେ ନାମ ଲେଖାଇବାରୁ ବଞ୍ଚିତ ହୋଇଥିବା ଜଣାଯାଇଛି। ସେମାନଙ୍କ ପାଖରେ ସମ୍ବଳ ଅଭାବରୁ ଅଧିକ ମୂଲ୍ୟ ଦେଇ ବେସରକାରି କଲେଜରେ ନାମ ଲେଖାଇ ପାରିନାହାନ୍ତି। ତେଣୁ ଅଭିଭାବକ ମାନେ ବାଣପୁର ଅଞ୍ଚଳରେ ଥିବା କଲେଜ ଗୁଡିକରେ ସିଟସଂଖ୍ୟା ବୃଦ୍ଧି କରିବାକୁ ସରକାରଙ୍କ ପାଖରେ ଗଣମାଧ୍ୟମ ଜରିଆରେ ଦୃଢ଼ ଦାବୀ କରିଛନ୍ତି।

ବର୍ତ୍ତମାନ ସୁଦ୍ଧା ସରକାରଙ୍କ ତରଫରୁ ସିଟ ବୃଦ୍ଧି ନେଇ କୌଣସି ସୂଚନା କଲେଜ କର୍ତ୍ତୃପକ୍ଷଙ୍କ ନିକଟକୁ ଆସିନଥିବା ଅଧ୍ୟକ୍ଷ ଶ୍ରୀ ହୋତା ପ୍ରକାଶ କରିଛନ୍ତି। କିନ୍ତୁ ସରକାର ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ୟତକୁ ଆଖି ଆଗରେ ରଖି ଯଦି ଆଗାମୀ ଦିନରେ ସିଟ ସଂଖ୍ୟା ବୃଦ୍ଧି ନ କରନ୍ତି ତେବେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଅଭିଭାବକ ମାନେ ଚେତାବନୀ ଦେଇଛନ୍ତି।

Related posts