ଚିଲିକା ବିଧାୟକଙ୍କ ଶେଷ ହେଲା କୋର୍ଟ କଟକଣା, କର୍ମି ପାଳନ କଲେ ମୁକ୍ତି ଦିବସ

Published: Jul 24, 2023, 3:04 pm IST
ChilikaMLA

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଆଜି ସୁପ୍ରିମ କୋର୍ଟ କଟକଣା ଶେଷ ହୋଇଛି। ଜଗଦ୍ଦେବଙ୍କୁ ଏକ ବର୍ଷ ପାଇଁ ନିଜ ନିର୍ବାଚନ ମଣ୍ଡଳି ପ୍ରବେଶ ଉପରେ ରୋକ ଲଗାଯାଇଥିଲା। ସେହି କଟକଣା ଆଜି ଶେଷ ହେଲା। ଏହି ପରିପ୍ରେକ୍ଷୀରେ ବିଧାୟକଙ୍କ ସମର୍ଥକମାନେ ଚିଲିକାରେ ପାଳନ କରିଛନ୍ତି ମୁକ୍ତି ଦିବସ।

ବିଧାୟକଙ୍କ ପ୍ରତିନିଧି ଜୟନ୍ତ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ବାଣପୁର ବାଇପାସ ସ୍ଥିତ ବିଜେଡି କାର୍ଯ୍ୟାଳୟ ପରିସରରେ ଏହି ମୁକ୍ତି ଦିବସ ପାଳନ ହୋଇଥିଲା। ଏଥିରେ ଏକାଧିକ ନିର୍ବାଚିତ ବିଜେଡି ଜନ ପ୍ରତନିଧିମାନେ ଉପସ୍ଥିତ ଥିଲେ। ଆସନ୍ତା 28 ତାରିଖରେ ବିଧାୟକ ନିଜ ନିର୍ବାଚନ ମଣ୍ଡଳି ଚିଲିକା ଆସିବେ ଏବଂ ତାଙ୍କୁ ଭବ୍ୟ ସ୍ୱାଗତ କରାଯିବ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି।

ବିଧାୟକ ବାଲୁଗାଁରୁ ବାଣପୁର ମା’ ଭଗବତୀ ମନ୍ଦିର ଦର୍ଶନ କରି ପଲଟନ ପଡିଆ ଯିବେ ଏବଂ ସେଠାରେ ତାଙ୍କୁ ବିଭିନ୍ନ ପାଇକ ସଂଗଠନ ଏବଂ ସମର୍ଥକଙ୍କ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ ବୋଲି କୁହାଯାଇଥିଲା। ଅନୁରୂପ ଭାବେ ବିଧାୟକଙ୍କ ଉପରୁ  ଶିଘ୍ର ଦଳୀୟ ନିଲମ୍ବନ ଆଦେଶ ପ୍ରତ୍ୟାହାର ପାଇଁ କର୍ମିମାନେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।

ତେବେ ଆଜିର ଉକ୍ତ ବୈଠକରେ ବହୁ ଛାମୁଆ ବିଜେଡି ନେତା ଅନୁପସ୍ଥିତ ଥିବା ଦେଖିବାକୁ ମିଳିଛି। ସେମାନଙ୍କୁ କୁଆଡେ ଶଙ୍ଖ ଭବନରୁ ଡାକରା ଆସିଥିବାର ଆଲୋଚନା ହେଉଛି। ବିଧାୟକଙ୍କ ରାଲି ବନ୍ଦ କରିବା ପାଇଁ କୁଆଡେ ଚାପ ପ୍ରୟୋଗ କରାଯାଉଛି ବୋଲି ମଧ୍ୟ ଚର୍ଚ୍ଚା ଚାଲିଛି।

Related posts