ବାହୁବଳୀ ରିଟର୍ଣ୍ଣସ: ଚିଲିକା ସୀମାରେ ପଶିଲେ ପ୍ରଶାନ୍ତ ଜଗଦ୍ଦେବ, ଆଉ ସମ୍ଭାଳି ପାରିଲେ ନାହିଁ

Published: Jul 26, 2023, 10:05 pm IST

ସୀତାରାମ ଅଗ୍ରୱାଲ

ଚିଲିକା: ଆଉ ସମ୍ଭାଳି ପାରିଲେ ନାହିଁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଦୀର୍ଘ ବର୍ଷେ ଧରି ନିଜ ନିର୍ବାଚନ ମଣ୍ଡଳୀକୁ ଦୂରେଇ ରହି ଥିଲେ। ଏବେ କୋର୍ଟ କଟକଣା ଉଠିବା ପରେ ନିଜ ଅଞ୍ଚଳର ଉନ୍ନତି ପାଇଁ ମନ ଉଚ୍ଛନ ହେଲା। ସେଥିପାଇଁ ସେ ଆଜି ପ୍ରଥମ ଥର ପାଇଁ ଚିଲିକା ସୀମାରେ ପଶିଛନ୍ତି। ଲୋକଙ୍କ ସହିତ ଅଞ୍ଚଳର ବିକାଶ କାର୍ଯ୍ୟ ଉପରେ ଆଲୋଚନା ମଧ୍ୟ କରିଛନ୍ତି।

ଆଜି ଅପରାହ୍ନରେ ବିଧାୟକ ଚିଲିକା ସୀମାରେ ଥିବା କାଳୁପଡା ଷ୍ଟେସନ ନିକଟରେ ଦଳୀୟ କର୍ମିଙ୍କ ସହିତ ଆଲୋଚନା କରିଛନ୍ତି। ଖଟିରେ ବସି ସମସ୍ତଙ୍କ ସହିତ ଚା ପିଇଛନ୍ତି। ଏହାପରେ ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିରିବାଡି ଗ୍ରାମ ପଞ୍ଚାୟତ କୟଥପଲ୍ଲା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ବ୍ରାହ୍ମଣୀ ଦେବୀଙ୍କୁ ଦର୍ଶନ କରିଛନ୍ତି। ଗ୍ରାମବାସୀମାନଙ୍କ ସହିତ ଆଲୋଚନା କରିଛନ୍ତି। ସେମାନଙ୍କ ଦାବୀ ଅନୁଯାୟୀ ମା ବ୍ରାହ୍ମଣୀ ଦେବୀଙ୍କ ମନ୍ଦିରର ଉନ୍ନତିକରଣ ପାଇଁ ନିଜସ୍ବ ପାଣ୍ଠିରୁ ଦଶ ଲକ୍ଷ ଟଙ୍କା ମଧ୍ୟ ମଞ୍ଜୁର କରୁଛନ୍ତି।

ପୂର୍ବରୁ ସେ ଏବେ ନୁହେଁ ପରେ ଚିଲିକା ଯିବେ ବୋଲି କହିଥିଲେ। ହେଲେ ଏତେଦିନ ଛାଡବାଡ ପରେ ମନ ବୁଝିଲା ନାହିଁ। ଫଳରେ ସେ ତୁରନ୍ତ ନିଜ ନିର୍ବାଚନ ମଣ୍ଡଳି ଗସ୍ତ କରିଛନ୍ତି। ତେବେ ଏଥିରେ ସେ ନା ଶୋଭାଯାତ୍ରା ନା ହୋ ହାଲ୍ଲା, କିଛି କରି ନାହାଁନ୍ତି। ଆଗକୁ ସେ ଚିଲିକାର ମୁଖ୍ୟ ପେଣ୍ଠସ୍ଥଳ ନାଚୁଣୀ, ବାଲୁଗାଁ, ବାଣପୁର ଗସ୍ତ କରିବେ ବୋଲି ଜଣାପଡିଛି। ଫଳରେ ବର୍ତ୍ତମାନ ଚିଲିକାରେ ‘ବାହୁବଳୀ ରିଟର୍ଣ୍ଣସ’ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

Related posts