
ନୂଆଦିଲ୍ଲୀ: ସେ ଥିଲେ ସରପଞ୍ଚ। ଗାଁ ଗାଁ ବୁଲି ପଞ୍ଚାୟତ କଥା ବୁଝୁଥିଲେ, ପୁରା ପଞ୍ଚାୟତ ପରିଚାଳନା କରୁଥିଲେ। ଏବେ ସେ ରାଜ୍ୟସଭା ପରିଚାଳନା କରୁଛନ୍ତି। ଯାହା ଓଡିଶା ପାଇଁ ଆଣିଛି ଗର୍ବ ଓ ଗୌରବ। ଗତକାଲି ବିଜେଡି ସାଂସଦ ସୁଲତା ଦେଓ ରାଜ୍ୟସଭା ଉପାଧ୍ୟକ୍ଷଙ୍କ ଆସନରେ ବସି ଗୃହ ପରିଚାଳନା କରିଥିଲେ। ସେତିକି ନୁହେଁ ସେ ଗତକାଲି ଜନଜାତି ସଂଶୋଧନ ବିଲକୁ ମଧ୍ୟ ପାଶ କରାଇଥିଲେ।
ପ୍ରଥମ ଥର ପାଇଁ ସୁଲତା ଦେଓ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଯାଇଛନ୍ତି। କେତୋଟି ଅଧିବେସନରେ ସେ ବସିବା ପରେ ତାଙ୍କୁ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲ ସଦସ୍ୟା ଭାବେ ମନୋନିତ କରାଯାଇଥିଲା। ଏହାପରେ ପ୍ରଥମ ଥର ପାଇଁ ଗତକାଲି ତାଙ୍କୁ ଗୃହ ପରିଚାଳନା କରିବା ପାଇଁ ସୁଯୋଗ ମିଳିଥିଲା। ପୂର୍ବରୁ ସାଂସଦ ସସ୍ମିତ ପାତ୍ର ମଧ୍ୟ ଏହି ପ୍ୟାନଲର ସଦସ୍ୟ ରହି ଗୃହ ପରିଚାଳନା କରିଥିଲେ।