ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱରର ୬୧ ତମ ପ୍ରତିଷ୍ଠା ଦିବସ

Published: Aug 5, 2023, 9:33 pm IST

ଭୁବନେଶ୍ୱର: ଦେଶରେ ଅଗ୍ରଣୀ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ, ସ୍ଥାନୀୟ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଆଜି ୬୧ତମ ପ୍ରତିଷ୍ଠା ଦିବସ ପାଳନ କରିଛି। ଓଡିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ କୁମ୍‌କୁମ୍ ମହାନ୍ତି ଏହି ପ୍ରତିଷ୍ଠା ଦିବସକୁ ଉଦ୍‌ଘାଟନ କରି ସାମଗ୍ରିକ ବିକାଶ ପାଇଁ ଖେଳକୁଦ, କଳା ପାଠ୍ୟକ୍ରମର ଗୁରୁତ୍ୱ ବିଷୟରେ କହିଥିଲେ। ଜାତୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦର ନିର୍ଦ୍ଦେଶକ ପ୍ରଫେସର ଦିନେଶ ପ୍ରସାଦ ସାକ୍‌ଲାନୀ ଛାତ୍ରଛାତ୍ରୀ, ପୁରାତନ କର୍ମଚାରୀ, ଅଧ୍ୟାପକ, ଅଧ୍ୟାପିକାମାନଙ୍କର ନିରବଚ୍ଛିନ୍ନ ସେବା କିପରି ପ୍ରତିଷ୍ଠାନର ବିକାଶ ଓ ଦେଶର ଶିକ୍ଷାର ଗୁଣବତ୍ତାରେ ସହାୟକ ହେବ ସେ ବିଷୟରେ କହିଥିଲେ।

ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପ୍ରକାଶଚନ୍ଦ୍ର ଅଗ୍ରୱାଲ ସ୍ୱାଗତ ଭାଷଣ ଦେବା ସହ ପ୍ରତିଷ୍ଠାନ କିପରି ବିଗତ ବର୍ଷରେ ଶିକ୍ଷଣ, ଶିକ୍ଷାଦାନ, ଅନୁସନ୍ଧାନ ଓ ବିସ୍ତାର କାର୍ଯ୍ୟକ୍ରମରେ ପ୍ରଭାବଶୀଳ କାର୍ଯ୍ୟ କରିଛି ବର୍ଣ୍ଣନା କରିଥିଲେ। ଡିନ୍ ପ୍ରଫେସର ସନ୍ଧ୍ୟାରାଣୀ ସାହୁ ପ୍ରତିଷ୍ଠାନର ଭୂମିକା ଉପରେ ଆଲୋକପାତ କରିଥିଲେ। ପୁରାତନ କର୍ମଚାରୀମାନଙ୍କୁ ମୁଖ୍ୟ ଅତିଥି ଓ ଅଧ୍ୟକ୍ଷ ସମ୍ବର୍ଦ୍ଧିତ କରିଥିଲେ।

ଏହି ଅବସରରେ ପରିସରରେ ବୃକ୍ଷରୋପଣ କରାଯାଇଥିଲା। ଡ. କଳିଙ୍ଗ କେତକୀଙ୍କ ସଂଯୋଜନାରେ ପରିଚାଳିତ କାର୍ଯ୍ୟକ୍ରମରେ ପ୍ରଶାସନିକ ଅଧିକାରୀ ପୁଷ୍କର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ପ୍ରତିଷ୍ଠାନରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Related posts