ସାମ୍ବିଧାନିକ ଖଣ୍ଡପୀଠରେ ୨୯ଟି ମାମଲା ବିଚାରଧୀନ: ୩୧ ବର୍ଷ ଧରି ଚାଲିଛି ଗୋଟିଏ ମାମଲା

Published: Aug 7, 2023, 1:06 pm IST

ଭୁବନେଶ୍ୱର: ସର୍ବଶେଷ ବିବରଣୀ ଅନୁସାରେ ସୁପ୍ରିମକୋର୍ଟରେ ୬୯ହଜାର ୭୬୬ଟି ବିଚାର ଅପେକ୍ଷାରେ ରହିଥିଲାବେଳେ ସାମ୍ବିଧାନିକ ଖଣ୍ଡପୀଠରେ ବିଚାର ଅପେକ୍ଷାରେ ରହିଥିବା ୨୯ ଟି ମାମଲା ଏବେ ଚିନ୍ତାର ବିଷୟ ହୋଇଛି। ଏଥି ମଧ୍ୟରୁ ୫ଜଣିଆ ଖଣ୍ଡପୀଠରେ ଚାଲିଥିବା ଗୋଟିଏ ମାମଲା ୩୧ ବର୍ଷ ଧରି ବିଚାର ଚାଲିଥିବାବେଳେ ଆଉ ଗୋଟିଏ ମାମଲା ୨୯ ବର୍ଷ ଧରି ମଧ୍ୟ ଚାଲିଛି।

୯ ଜଣିଆ ଖଣ୍ଡପୀଠରେ ୫ ଟି ମାମଲା ବିଚାର ଅପେକ୍ଷାରେ ରହିଛି। ଏଥିରୁ ଗୋଟି ମାମଲା ବିଚାର ୧୯୯୯ରୁ ଚାଲିଥିଲାବେଳେ ଆଉ ଦୁଇଟି ମାମଲା ୨୧ ବର୍ଷ ଧରି ଚାଲିଛି। ଚତୁର୍ଥ ମାମଲାଟି ୧୬ ବର୍ଷ ହେବ ପଡ଼ି ରହିଛି। ୫ଜଣିଆ ଖଣ୍ଡପୀଠରେ ୧୮ ଟି ମାମଲା ବିଚାର ଅପେକ୍ଷାରେ ରହିଛି। ଏହି ଖଣ୍ଡପୀଠରେ ଧାରା-୩୭୦ ଉଚ୍ଛେଦ ମାମଲାର ଏବେ ଶୁଣାଣୀ ଚାଲିଛି। ୭ଜଣିଆ ଖଣ୍ଡପୀଠରେ ୬ଟି ମାମଲା ଅପେକ୍ଷାରେ ରହିଛି।

୧୯୫୦ରୁ ୧୯୫୯ ମଧ୍ୟରେ ୪୪୦ଟି ମାମଲାର ବିଚାର ଶେଷ ହୋଇଥିବାବେଳେ ୧୯୬୦ରୁ ୧୯୬୯ ମଧ୍ୟରେ ୯୫୬ଟି ମାମଲାର ବିଚାର ଶେଷ ହୋଇଥିଲା। କିନ୍ତୁ ୨୦୧୦ରୁ ୨୦୧୯ ମଧ୍ୟରେ ଏହି ସାମ୍ବିଧାନିକ ଖଣ୍ଡପୀଠରେ ୭୧ଟି ମାମଲା ବିଚାର ଶେଷ ହୋଇଥିବାବେଳେ ୨୦୨୦-୨୦୨୩ ମଧ୍ୟରେ ୧୯ଟି ମାମଲା ବିଚାର ହୋଇଛି।

୧୯୫୦ ଜାନୁଆରୀ ୨୬ରେ ସୁପ୍ରିମକୋର୍ଟ ଗଠିତ ହୋଇଥିବାବେଳେ ଏହାର ବିଚାରପତି ସଂଖ୍ୟା ଥିଲା ୮ ଜଣ ଥିଲା। ୧୯୫୬ରେ ଏହାର ବିଚାରପତି ସଂଖ୍ୟା ୧୧କୁ ବୃଦ୍ଧି ପାଇଥିବାବେଳେ ୧୯୬୦ରେ ୧୪କୁ ବୃଦ୍ଧି ପାଇଥିଲା। ୧୯୭୭ରେ ଏହା ୧୮କୁ ବୃଦ୍ଧି ପାଇଥିବାବେଳେ ୧୯୮୬ରେ ୨୬କୁ ବୃଦ୍ଧି ପାଇଥିଲା। ୨୦୦୯ରେ ଏହା ୩୧କୁ ବୃଦ୍ଧି ପାଇଥିବାବେଳେ ୨୦୧୯ରେ ୩୪କୁ ବୃଦ୍ଧି ପାଇଛି। ତଥାପି ମଧ୍ୟ ମାମଲା ବିଚାର ପାଇଁ ପଡ଼ି ରହୁଛି।

Related posts