ଅଗଷ୍ଟ ୧୨ ତାରିଖରେ ମଧ୍ୟପ୍ରଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

Published: Aug 11, 2023, 10:24 am IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୨ ଅଗଷ୍ଟ ୨୦୨୩ ରେ ମଧ୍ୟପ୍ରଦେଶ ଗସ୍ତ କରିବେ। ଅପରାହ୍ନ ପ୍ରାୟ ୨:୧୫ ସମୟରେ ସେ ସାଗର ଜିଲ୍ଲାରେ ପହଞ୍ଚିବେ, ଯେଉଁଠାରେ ସେ ସନ୍ଥ ଶିରୋମଣି ଗୁରୁଦେବ ଶ୍ରୀ ରବିଦାସ ଜୀ ସ୍ମାରକୀ ସ୍ଥଳରେ ଭୁମି ପୂଜନ କରିବେ। ଅପରାହ୍ନ ପ୍ରାୟ ୩:୧୫ ସମୟରେ ପ୍ରଧାନମନ୍ତ୍ରୀ ଧନାରେ ଏକ ସାଧାରଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଯେଉଁଠାରେ ସେ ସନ୍ଥ ଶିରୋମଣି ଗୁରୁଦେବ ଶ୍ରୀ ରବିଦାସ ଜୀ ସ୍ମାରକୀ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ।

ବିଶିଷ୍ଟ ସାଧୁ ତଥା ସମାଜ ସଂସ୍କାରକଙ୍କୁ ସମ୍ମାନିତ କରିବା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟର ଏକ ବିଶେଷ ଅଂଶ ଅଟେ। ତାଙ୍କ ଦୃଷ୍ଟିକୋଣ ଅନୁଯାୟୀ ସନ୍ଥ ଶିରୋମଣି ଗୁରୁଦେବ ଶ୍ରୀ ରବିଦାସ ଜୀ ସ୍ମାରକୀ ୧୧.୨୫ ଏକରରୁ ଅଧିକ ଅଞ୍ଚଳରେ ର୍ନିମାଣ ହେବ ଏବଂ ଏହାର ମୂଲ୍ୟ ୧୦୦ କୋଟି ଟଙ୍କାରୁ ଅଧିକ ହେବ। ଏହି ମହାନ୍ ସ୍ମାରକୀରେ ସନ୍ଥ ଶିରୋମଣି ଗୁରୁଦେବ ଶ୍ରୀ ରବିଦାସ ଜୀଙ୍କର ଜୀବନ, ଦର୍ଶନ ଏବଂ ଶିକ୍ଷା ପ୍ରଦର୍ଶନ କରିବାକୁ ଏକ ଆକର୍ଷଣୀୟ କଳା ସଂଗ୍ରହାଳୟ ଏବଂ ଗ୍ୟାଲେରୀ ରହିବ । ଏଥିରେ ସ୍ମାରକୀ ପରିଦର୍ଶନ କରିବାକୁ ଥିବା ଭକ୍ତମାନଙ୍କ ଲାଗି ଭକ୍ତ ନିବାସ, ଭୋଜନାଳୟ ଇତ୍ୟାଦିର ସୁବିଧା ମଧ୍ୟ ରହିବ ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଶକୁ ୪୦୦୦ କୋଟିରୁ ଅଧିକ ଟଙ୍କା ମୂଲ୍ୟର ରେଳ ଏବଂ ସଡକ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

କୋଟା-ବୀଣା ରେଳ ମାର୍ଗର ଦୋହରୀକରଣ କାର୍ଯ୍ୟ ସମାପ୍ତ ହୋଇଥିବା ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଦେଶ ପାଇଁ ଉତ୍ସର୍ଗ କରିବେ । ପ୍ରାୟ ୨୪୭୫ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ର୍ନିମିତ ଏହି ପ୍ରକଳ୍ପ ରାଜସ୍ଥାନର କୋଟା ଏବଂ ବରନ ଜିଲ୍ଲା ଏବଂ ମଧ୍ୟପ୍ରଦେଶର ଗୁନା, ଅଶୋକନଗର ଏବଂ ସାଗର ଜିଲ୍ଲା ଦେଇ ଯାଇଥାଏ । ଅତିରିକ୍ତ ରେଳ ଲାଇନ ଉନ୍ନତ ଗତିଶୀଳତା ପାଇଁ କ୍ଷମତା ବୃଦ୍ଧି କରିବ ଏବଂ ଏହି ମାର୍ଗରେ ଟ୍ରେନର ବେଗକୁ ବଢାଇବାରେ ସାହାଯ୍ୟ କରିବ ।

ପ୍ରଧାନମନ୍ତ୍ରୀ ୧୫୮୦ କୋଟିରୁ ଅଧିକ ମୂଲ୍ୟରେ ଦୁଇଟି ସଡକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏଥିମଧ୍ୟରେ ମୋରିକୋରୀ – ବିଦିଶା – ହିନୋତିୟାକୁ ସଂଯୋଗ କରୁଥିବା ଏକ ଚାରି ଲେନ ବିଶିଷ୍ଟ ସଡକ ପ୍ରକଳ୍ପ ଏବଂ ହିନୋତିୟାକୁ ମେହଲୁୱା ସହିତ ସଂଯୋଗ କରୁଥିବା ଏକ ସଡକ ପ୍ରକଳ୍ପ ଅନ୍ତର୍ଭୁକ୍ତ ।

Related posts