ଗୁଣି ସନ୍ଦେହରେ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଆକ୍ରମଣ, ଉଦ୍ଧାର କଲା ପୋଲିସ

Published: Aug 13, 2023, 2:20 pm IST

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗୁଣି ସନ୍ଦେହରେ ସହଦେବ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କୁ ଗ୍ରାମର କିଛି ଲୋକ ଖୁଣ୍ଟରେ ବାନ୍ଧି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୋଲିସ ପହଞ୍ଚି ସହଦେବଙ୍କୁ ସେଠାରୁ ଉଦ୍ଧାର କରିଛି। ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ପଞ୍ଚାୟତ କଲେଞ୍ଜିପଲୀ ଗ୍ରାମରେ ଏଭଳି ଘଟଣା ସାମ୍ନାକୁ ଆସିଛି।

ସୂଚନା ଅନୁଯାୟୀ, ସହଦେବ ପ୍ରଧାନ ନାମକଙ୍କୁ ଉକ୍ତ ଗ୍ରାମର କିଛି ଲୋକ ଖୁଣ୍ଟରେ ବାନ୍ଧି ଆକ୍ରମଣ କରୁଥିଲେ। ପରିବାର ଲୋକଙ୍କ ଠାରୁ ଖବର ପାଇ ଖଲ୍ଲିକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସହଦେବଙ୍କୁ ଉଦ୍ଧାର କରିବା ସହ ସେହି ଗ୍ରାମର ମଦନ ପ୍ରଧାନ, ନନ୍ଦି ପ୍ରଧାନ, ବିଦେଶୀ ପ୍ରଧାନ, ନାରାୟଣ ପ୍ରଧାନ, ଅମିନ ପ୍ରଧାନ, ଟୁକୁନା ପ୍ରଧାନ ଓ ମୋହନ ପ୍ରଧାନ ପ୍ରମୁଖ ୭ ଜଣ ଅଭିଯୁକ୍ତଙ୍କୁ ସହଦେବଙ୍କ ଏତଲାକୁ ଭିତ୍ତି କରି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ଘଟଣାରୁ ପ୍ରକାଶ ଯେ, ବିଦେଶୀ ପ୍ରଧାନଙ୍କ ପୁତ୍ର ଶୁକମୁନି ପ୍ରଧାନ କିଛି ଦିନ ତଳେ ଜ୍ୱର ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ। ଏହି ଭଳି ପରିସ୍ଥିତିରେ ସହଦେବ ପ୍ରତ୍ୟେକ ଦିନ ଗ୍ରାମର ରାଘବ ଦାସ ମଠକୁ ଯିବା ଆସିବା ଦେଖି ସେ ହିଁ ତା ପୁଅକୁ ଗୁଣି କରି ମାରିଛି ବୋଲି ତାଙ୍କ ଉପରେ ସନ୍ଦେହ କରିଥିଲେ। ସହଦେବ ମନ୍ଦିରଙ୍କୁ ଯିବା ବେଳେ ଉକ୍ତ ସମସ୍ତ ଅଭିଯୁକ୍ତଙ୍କ ସହଯୋଗରେ ତାକୁ ଖୁଣ୍ଟରେ ବାନ୍ଧି ଆକ୍ରମଣ କରିଥିଲେ।

Related posts