ଖୋର୍ଦ୍ଧା ଟାଉନ ଥାନା ପୋଲିସକୁ ବଡ଼ ସଫଳତା: ଜବତ କଲା ୩୧ ଲକ୍ଷ ମୂଲ୍ୟର ବ୍ରାଉନ ସୁଗାର

Published: Aug 25, 2023, 8:29 pm IST

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପୋଲିସକୁ ବଡ଼ ସଫଳତା ମିଳିଛି। ୩୧ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ ସହ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଏ ନେଇ ସଦର ଏସଡିପିଓ ଦିଲ୍ଲୀପ କୁମାର ଦାସ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି।

ସୂଚନା ମୁତାବକ ଟାଉନ ଥାନା ଅନ୍ତର୍ଗତ ଗୁରୁଜଙ୍ଗ ସ୍ଥିତ ଗିନି ଫାକ୍ଟ୍ରି ନିକଟରେ ବେଆଇନ ବ୍ରାଉନ ସୁଗାର କାରବାର ଚାଲିଥିବାର ଖବର ପାଇଥିଲା ପୋଲିସ। ଏସପିଙ୍କ ନିର୍ଦ୍ଦେଶକ୍ରମେ ଏବଂ ଏସଡିପିଓ ଓ ଆଇଆଇସିଙ୍କ ତତ୍ୱାବଧାନରେ ଏକ ଟିମ ଗଠନ କରାଯାଇ ସମ୍ପୃକ୍ତ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ୨ ଅଭିଯୁକ୍ତ ଗିରଫ ହୋଇଛନ୍ତି।

ଅଭିଯୁକ୍ତ ଦ୍ବୟ ହେଲେ ପୁରୀ ଜିଲ୍ଲା ପିପିଲି ଥାନା ଅଞ୍ଚଳର ମହମଦ ରହିମ (୨୭) ଏବଂ ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା ଅନ୍ତର୍ଗତ ବରେଇପୁର ଥାନା ଅଞ୍ଚଳର ଆସିଫ ଖାନ (୩୮)। ଉଭୟ ଙ୍କ ନିକଟରୁ ୩୧୦ ଗ୍ରାମ ବ୍ରାଉନ ସୁଗାର ଓ ଏକ ବାଇକ ଜବତ କରିଛି ପୋଲିସ। ଜବତ ବ୍ରାଉନ ସୁଗାର ର ଆନୁମାନିକ ମୂଲ୍ୟ ୩୧ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।

ତେବେ ଉକ୍ତ ଘଟଣାରେ ଫେରାର ଥିବା ଅନ୍ୟ ଚାରି ଅଭିଯୁକ୍ତ ଖୁବଶୀଘ୍ର ଗିରଫ ହେବେ ବୋଲି ଏସଡ଼ିପିଓ ଶ୍ରୀ ଦାସ କହିଛନ୍ତି। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଏସଡ଼ିପିଓ ଙ୍କ ସହ ଟାଉନ ଥାନାଧିକାରୀ ତାରିକ ଅହମଦ ଉପସ୍ଥିତ ଥିଲେ।

Related posts