ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଆନ୍ତର୍ଜାତୀୟ ବାଳିକା ଦିବସ ପାଳିତ

Published: Oct 11, 2023, 7:10 pm IST

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ତରଫରୁ ଆଜି ଆନ୍ତର୍ଜାତୀୟ ବାଳିକା ଦିବସ ୨୦୨୩ ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲାର ୨୬ ଜଣ ମନୋନୀତ ସଖି ଓ ସହେଲି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବାଳିକା ଶିକ୍ଷାର ଗୁରୁତ୍ବ ତଥା ଅଧା ପାଠ ନ ଛାଡିବା ପାଇଁ ପିଲା ମାନେ କଣ କରିବେ ଏହି ବିଷୟକୁ ନେଇ ପିଲା ମାନଙ୍କ ମଧ୍ୟରେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ୩ ଜଣ କୃତୀ ପ୍ରତିଯୋଗୀଙ୍କୁ ବଛା ହୋଇଥିଲା।

ଅଂଶ ଗ୍ରହଣ କରିଥିବା ସମସ୍ତ ପିଲା ମାନଙ୍କୁ ମାନପତ୍ର ଦ୍ବାରା ସମ୍ମାନିତ କରାଯାଇଥିଲା । ପ୍ରତିଯୋଗିତା ର ବିଚାରକ ଭାବରେ ସୁଷମା ମହାନ୍ତି, ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ସୁରଥ ବିଶ୍ବାଳ, ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ମମତା, ବାଣୀଶ୍ରୀ ପଟ୍ଟନାୟକ, ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଯୋଗ ଦେଇ ପିଲା ମାନଙ୍କୁ ପାଠ ପଢାର ମହତ୍ତ୍ବ ବିଷୟରେ ବୁଝାଇଥିଲେ।

ଝିଅ ଜନ୍ମ ଭଗବାନଙ୍କ ଏକ ଆଶୀର୍ବାଦ ବୋଲି କହିଥିଲେ ଖୋର୍ଦ୍ଧା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଣି ନିରୂପମା ପାଣି। ସେ ପିଲାମାନଙ୍କୁ ସୁଷମ ଖାଦ୍ୟ ଖାଇବା, ଶିକ୍ଷା ତଥା ବାପା ମା ଆଉ ଗୁରୁଜନ ମାନଙ୍କୁ ସମ୍ମାନ ଦେବା ପାଇଁ ଉପଦେଶ ଦେଇଥିଲେ। କିଶୋର କିଶୋରୀ ପିଲା ମାନେ କିପରି ରକ୍ତହୀନତା କୁ ଦୂରେଇ ଏକ ସୁସ୍ଥ ଜୀବନ ଶୈଳୀ ଆପଣେଇବେ ଏବଂ ଏକ ନିରାପଦ ଭବିଷ୍ୟତ ଗଠନ କରିପାରିବେ ବୋଲି ଅତିଥିମାନେ କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟନିର୍ବାହୀ ସୁରକ୍ଷା ଅଧିକାରୀ ମୌଜ ମଣି ନାୟକ, ବାଲ୍ୟ ବିବାହ ନିଷେଧ ଅଧିକାରିଣୀ ସୁଜାତା ତ୍ରିପାଠୀ, ମିନାକ୍ଷୀ ପଟ୍ଟନାୟକ ଆଦି ଯୋଗ ଦେଇଥିଲେ। ଶୁଭସ୍ମୀତା ବେହେରା, କଳ୍ପନା ପରିଡା, ଲକି ସନ୍ତୋଷ, ଜାନକୀ, ସଂଗୀତା ଆଦି ପରିଚାଳନାରେ ସହଯୋଗ କରିଥିଲେ।

ସ୍ୱାତୀ ତନ୍ମୟା ମିଶ୍ର, ଜିଲ୍ଲା ସଂଯୋଜିକା ଏକ୍ସନଏଡ ସଭା କୁ ପରିଚାଳନା କରିଥିଲେ ଏବଂ ଅଭିଲିପ୍ସା ବେହେରା,ପୋଷଣ ସଂଯୋଜିକା ସଭାରେ ଶପଥ ପାଠ କରେଇବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

Related posts