ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚରୁ ବାଦ ପଡିଲେ ହାର୍ଦ୍ଦିକ ପାଣ୍ଡ୍ୟା: ବିସିସିଆଇ ଜାରି କଲା ଡାକ୍ତରୀ ରିପୋର୍ଟ

Published: Oct 20, 2023, 1:11 pm IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡର ତଥା ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଛନ୍ତି। ପୁଣେରେ ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ସେ ଆହତ ହୋଇଥିଲେ। ପାଣ୍ଡ୍ୟାଙ୍କ ଡାକ୍ତରୀ ରିପୋର୍ଟ ବିସିସିଆଇ ପ୍ରକାଶ କରିଛି। ବିସିସିଆଇ କହିଛି ଯେ, ଧର୍ମଶାଳାରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ହାର୍ଦ୍ଦିକ ଭାରତ ପାଇଁ ଖେଳି ପାରିବେ ନାହିଁ। ୨୦୨୩ ବିଶ୍ୱକପ ସମୟରେ ପାଣ୍ଡ୍ୟାଙ୍କ ଆଘାତ ଭାରତ ପାଇଁ ଏକ ବଡ ଝଟକା।

ବିସିସିଆଇ ଏହାର ୱେବସାଇଟ୍ ମାଧ୍ୟମରେ ପାଣ୍ଡ୍ୟାଙ୍କ ବିଷୟରେ ସୂଚନା ଦେଇଥିଲା। ବିସିସିଆଇ ନିଜ ୱେବସାଇଟରେ ଲେଖିଛି ଯେ, ବାଂଲାଦେଶ ବିପକ୍ଷ ମ୍ୟାଚରେ ଭାରତୀୟ ଦଳର ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଛନ୍ତି। ତାଙ୍କ ବାମ ଗୋଡରେ ଆଘାତ ଲାଗିଛି। ପାଣ୍ଡ୍ୟାଙ୍କୁ ସ୍କାନ କରାଯାଇଛି ଏବଂ ଡାକ୍ତର ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ସେ ବିସିସିଆଇ ମେଡିକାଲ ଦଳର ତତ୍ତ୍ବାବଧାନରେ ଅଛନ୍ତି। ଅକ୍ଟୋବର ୨୦ ତାରିଖରେ ଟିମ୍ ଇଣ୍ଡିଆ ସହିତ ହାର୍ଦ୍ଦିକ ଧର୍ମଶାଳା ଯିବେ ନାହିଁ। ସେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ପାଇଁ ସିଧାସଳଖ ଲକ୍ଷ୍ନୌରେ ଯୋଗଦେବେ।

ଗୁରୁବାର ଦିନ ପୁଣେରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା। ଟିମ୍ ଇଣ୍ଡିଆ ଏହାକୁ ୭ ୱିକେଟ୍ ରେ ଜିତିଛି। ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୨୫୬ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଭାରତ ୪୧.୩ ଓଭରରେ ଲକ୍ଷ୍ୟ ହାସଲ କରିଥିଲା। ବାଂଲାଦେଶ ଇନିଂସ ସମୟରେ ହାର୍ଦ୍ଦିକ ପାଣ୍ଡ୍ୟା ନିଜର ପ୍ରଥମ ଓଭର ବୋଲିଂ କରିଥିଲେ। ଏହି ସମୟରେ ସେ ଆହତ ହୋଇଥିଲେ। ପାଣ୍ଡ୍ୟା ଓଭରର ମାତ୍ର ତିନୋଟି ବଲ ବୋଲିଂ କରିବାରେ ସକ୍ଷମ ହୋଇଥିଲେ। ଏହା ପରେ ହାର୍ଦ୍ଦିକଙ୍କ ଓଭର ବିରାଟ କୋହଲି ଶେଷ କରିଥିଲେ।

Related posts