କଂଗ୍ରେସ ଛାଡିବେ 5 ବିଧାୟକ, ସେମାନଙ୍କୁ ନେବା ପାଇଁ ବିଜେପି, ବିଜେଡି ମଧ୍ୟରେ ଚାଲିଛି ବଳକଷା

Published: Jun 10, 2019, 9:36 am IST

ବର୍ତ୍ତମାନ କଂଗ୍ରେସର ଅବସ୍ଥା ଦିନକୁ ଦିନ ଉଭୟ ଜାତୀୟ ଓ ରାଜ୍ୟରେ ଦୟନୀୟ ହେବାରେ ଲାଗିଛି। ବିଭିନ୍ନ ରାଜ୍ୟରେ କଂଗ୍ରେସ ବିଧାୟକମାନେ ଦଳ ଛାଡି ବିଜେପି କିମ୍ବା ଆଞ୍ଚଳିକ ଦଳରେ ମିଶିବାରେ ଲାଗିଛନ୍ତି। ସେହିପରି ଅବସ୍ଥା ଓଡିଶା କଂଗ୍ରେସରେ ମଧ୍ୟ ଘଟିବାକୁ ଯାଉଛି ବୋଲି ଚର୍ଚ୍ଚା ଆରମ୍ଭ ହେଲାଣି। ଖୁବ ଶିଘ୍ର କଂଗ୍ରେସର 9 ଜଣ ବିଧାୟକଙ୍କ ମଧ୍ୟରୁ 5 ଜଣ ଦଳ ଛାଡି ଅନ୍ୟ ଦଳରେ ମିଶିବେ। ସେଥିପାଇଁ ପ୍ରାରମ୍ଭିକ ଉଦ୍ୟମ ଆରମ୍ଭ ହୋଇସାରିଲାଣି ବୋଲି ଜଣାପଡିଛି। ବିଜେପିର ଭିତିରିଆ ସୁତ୍ର ଅନୁସାରେ ଏହି କାର୍ଯ୍ୟରେ କୁଆଡେ ଦଳର ଜଣେ ଟାଣୁଆ ନେତା କଥାବାର୍ତ୍ତା ଆରମ୍ଭ କରିଛନ୍ତି। ସେମାନେ କଂଗ୍ରେସ ଛାଡି ବିଜେପିରେ ଯୋଗଦେବା ପାଇଁ ଏକ ବଡ ଅଫର ମଧ୍ୟ ଦିଆଯାଇଛି। କଂଗ୍ରେସ ଦଳର ଯେପରି ଅବସ୍ଥା ସେଥିରେ ରହି କିଛି ଲାଭ ନାହିଁ ବୋଲି ଏହି ବିଧାୟକଙ୍କୁ ବୁଝାଇ ଦିଆଯାଇଛି। ବିଜେପି ପରି ବିଜେଡି ମଧ୍ୟ କୁଆଡେ ଏହି ପାଞ୍ଚଜଣ ବିଧାୟକଙ୍କୁ ଦଳରେ ସାମିଲ କରିବା ପାଇଁ ଉଦ୍ୟମ ଆରମ୍ଭ କରିଦେଇଛି। ସରକାର ଗଠନ ପରେ ପରେ ଦଳର ଜଣେ ପ୍ରଭାବଶାଳୀ ନେତା ଏହି କାର୍ଯ୍ୟରେ କୁଆଡେ ଲାଗିପଡିଛନ୍ତି। ବିଜେଡି ତରଫରୁ ମଧ୍ୟ ସେମାନଙ୍କୁ ବଡ ଅଫର ଦିଆଯାଇଛି। ଯାହା ଜଣାପଡୁଛି ଆସନ୍ତା ବିଧାନସଭା ଅଧିବେଶନ ପୂର୍ବରୁ ଏହି ପାଞ୍ଚଜଣ ବିଧାୟକ କଂଗ୍ରେସ ଦଳ ଛାଡି ନୂଆ ଦଳରେ ଯୋଗଦେବାର ସମ୍ଭାବନା ରହିଛି।

Related posts