ଅରୁଣାଚଳର ଗ୍ରାମରେ ଗୁଂଜରିତ ହେଲା 2047 ସୁଦ୍ଧା ବିକଶିତ ଭାରତର ବାର୍ତ୍ତା

Published: Dec 2, 2023, 7:33 am IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମହିଳା କିଷାନ ଡ୍ରୋନ କେନ୍ଦ୍ରର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଦେଓଘର ଏମ୍ସ (AIIMS) ଠାରେ ଐତିହାସିକ 10,000ତମ ଜନ ଔଷଧୀ କେନ୍ଦ୍ରକୁ ଲୋକାର୍ପଣ କରିଥିଲେ। ଏହାବ୍ୟତୀତ ଦେଶରେ ଜନ ଔଷଧି କେନ୍ଦ୍ର ସଂଖ୍ୟା 10 ହଜାରରୁ 25 ହଜାରକୁ ବୃଦ୍ଧି କରିବା ପାଇଁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।  ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଡ୍ରୋନ୍ ଯୋଗାଇବା ଏବଂ ଜନ ଔଷଧି କେନ୍ଦ୍ରସଂଖ୍ୟା 10,000 ରୁ 25,000କୁ ବୃଦ୍ଧି କରିବା ଭଳି ଏହି ଦୁଇଟି ପଦକ୍ଷେପ ବିଷୟରେ ପ୍ରଧାନମନ୍ତ୍ରୀ ଚଳିତ ବର୍ଷ ତାଙ୍କର ସ୍ୱାଧୀନତା ଦିବସ ଅଭିଭାଷଣରେ ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମରେ ସେ ଏହି ପ୍ରତିଶ୍ରୁତି ପୂରଣ କରିଛନ୍ତି ।

ଅରୁଣାଚଳ ପ୍ରଦେଶର ନାମସାଇର ଲାକର ପାଲେଙ୍ଗ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ସରକାରଙ୍କ ସହାୟତାରେ ନିର୍ମିତ ତାଙ୍କ ପକ୍କା ଘର ବିଷୟରେ ଅବଗତ କରାଇଥିଲେ । ଜଳ ଜୀବନ ମିଶନ ଦ୍ୱାରା ଆସିଥିବା ପରିବର୍ତ୍ତନ ବିଷୟରେ ସେ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ।

ଯେତେବେଳେ ଶ୍ରୀ ଲାକର ପ୍ରଧାନମନ୍ତ୍ରୀଙ୍କୁ ‘ଜୟ ହିନ୍ଦ’ ସହିତ ସ୍ୱାଗତ କରିଥିଲେ, ସେତେବେଳେ ପ୍ରଧାନମନ୍ତ୍ରୀ ଉତ୍ତର ଦେଇ କହିଥିଲେ ଯେ, ଜୟହିନ୍ଦ ହେଉଛି ଅରୁଣାଚଳରେ ଏକ ଲୋକପ୍ରିୟ ଅଭିବାଦନ । ସେ ଆହୁରି ମଧ୍ୟ କହିଥିଲେ ଯେ, ଅରୁଣାଚଳ ପ୍ରଦେଶର ଲୋକଙ୍କ ସହ ଅଲୋଚନା କରିବା ହେଉଛି ସର୍ବଦା ଆନନ୍ଦ ଦାୟକ ।

ଶ୍ରୀ ଲାକର ତାଙ୍କ ଗ୍ରାମ ପଞ୍ଚାୟତ ଦ୍ୱାରା ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ ବିଷୟରେ ଅବଗତ ହୋଇଥିଲେ ଏବଂ 2047 ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ଅନ୍ତର୍ନିହିତ ବାର୍ତ୍ତା ବିଷୟରେ ମଧ୍ୟ ଅବଗତ ଥିଲେ । ପ୍ରଧାନମନ୍ତ୍ରୀ ଗ୍ରାମବାସୀଙ୍କୁ 5ଟି ଟିମ୍ ଗଠନ କରି  ସେମାନେ ପାଞ୍ଚଟି ଗ୍ରାମକୁ ଯାଇ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ (ଭିବିଏସୱାଇ)ର’ମୋଦୀଙ୍କ ଗ୍ୟାରେଣ୍ଟି’ ଗାଡି ଆସୁଛି ବୋଲି କହିବାକୁ କହିଥିଲେ ।

Related posts