ଜାନୁଆରୀ ୪ ରୁ ଚିଲିକାରେ ଆରମ୍ଭ ହେବ ପକ୍ଷୀ ଗଣନା

Published: Dec 31, 2023, 8:35 pm IST

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଏସିଆର ବୃହତ୍ତମ ଲବଣ ହ୍ରଦ ଚିଲିକାରେ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଆସିଛନ୍ତି ଲକ୍ଷାଧିକ ବିଦେଶୀ ପକ୍ଷୀ। ତେବେ ଜାନୁଆରୀ ୪ ତାରିଖରେ ଅନୁଷ୍ଠାନିକ ଭାବେ ପକ୍ଷୀ ଗଣନା ଅନୁଷ୍ଠିତ ହେବ ବୋଲି ଆଜି ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ବାଲୁଗାଁ ବିଭାଗୀୟ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଡ଼ିଏଫଓ ଅମ୍ଲାନ ନାୟକ।

ସକାଳ ୬ ରୁ ମଧ୍ୟାହ୍ନ ୧୨ ଘଟିକା ଯାଏଁ ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ସାତପଡ଼ା, ରମ୍ଭା, ବାଲୁଗାଁ, ଟାଙ୍ଗୀ ଏବଂ ଚିଲିକା ରେଞ୍ଜରେ ୨୧ ଗୋଟି ଟିମ ପକ୍ଷୀଗଣନାରେ ନିୟୋଜିତ ହେବେ। ପ୍ରତି ଟିମରେ ୬ ରୁ ୭ ଜଣ ଗଣନାକାରୀ ଯୋଗଦେବେ। ପ୍ରତିବର୍ଷ ଭଳି ଗଣନା କାର୍ଯ୍ୟରେ ଜିପିଏସ,ବାଇନାକୁଲାର ବ୍ୟବହାର କରାଯିବ।

ଉକ୍ତ ଟିମରେ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ, ଜଙ୍ଗଲ ବିଭାଗ କର୍ମଚାରୀ, ଓୟୁଏଟି ର ଛାତ୍ରଛାତ୍ରୀ, ୱାଇଲଡ ଓଡ଼ିଶା ଏବଂ ୱାଇଲଡିଜ ନାମକ ସାମାଜିକ ସଂଗଠନର କାର୍ଯ୍ୟକର୍ତ୍ତା, ଟାଙ୍ଗୀ ରେଞ୍ଜ ଅନ୍ତର୍ଗତ ତିନି ଗୋଟି ପକ୍ଷୀ ସୁରକ୍ଷା ସମିତିର ସଦସ୍ୟମାନେ ଏବଂ ବିଏନଏଚଏସ ସାମିଲ ହେବେ ବୋଲି ଜଣାପଡିଛି।

ସେହିପରି ଭାବେ ମୁମ୍ବାଇ ସ୍ଥିତ ବିଏନଏଚଏସ ର ଉପ ନିର୍ଦେଶକ ଡ଼ଃ ପି ସାଥିୟା ସେଲଭମ , ଅବସରପ୍ରାପ୍ତ ଆରସିସିଏଫ ବ୍ରହ୍ମପୁର ପ୍ରଶାନ୍ତ କୁମାର ମିଶ୍ର, ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଡ଼ିଏଫଓ ଅମ୍ଲାନ ନାୟକ ମଧ୍ୟ ପକ୍ଷୀଗଣନାରେ ଉପସ୍ଥିତ ରହିବେ।

Related posts