
ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ବିପୁଳ ବିଜୟ ପରେ ଆଜି ବିଜେପି ଅଧ୍ୟକ୍ଷ ଅମିତ ଶାହା ଦଳର ମୁଖ୍ୟମାନଙ୍କ ସହ ବୈଠକ କରୁଛନ୍ତି। ବୈଠକରେ ବସୁନ୍ଧରା ରାଜେ, ଉମା ଭାରତୀ, ଦୀଲିପ ଘୋଷ, ବିନୟ ସହଶ୍ରବୁଧେ, ଜେପି ନଡ୍ଡା ଏବଂ ଭୁପେନ୍ଦ୍ର ଯାଦବ ସାମିଲ ଅଛନ୍ତି। ବୈଠକରେ ଦଳର ଆଗାମୀ ରଣନୀତି ବାବଦରେ ଆଲୋଚନା ହେବ ବୋଲି ସୂଚନା ମିଳିଛି। ଏହା ପୂର୍ବରୁ ଗତ ୯ତାରିଖରେ ଅମିତ ଶାହା ହରିୟାଣା, ମହାରାଷ୍ଟ୍ର ଏବଂ ଝାଡଖଣ୍ଡର ବରିଷ୍ଠ ନେତାଙ୍କ ସହ ବୈଠକ କରିଥିଲେ। ଏହି ରାଜ୍ୟମାନଙ୍କରେ ଏକ ବର୍ଷ ମଧ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ନୂତନ ସରକାରରେ ଗୃହମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଶାହା ଲଗାତାର ଭାବେ ବୈଠକ ଡାକୁଛନ୍ତି। ଇଦ୍ ଦିନ ମଧ୍ୟ ସେ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ। ଏହା ବ୍ୟତୀତ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ବାବଦରେ ପଚାରି ବୁଝିଥିଲେ। ଯେଉଁଥିରେ ଆତଙ୍କବାଦ ଏବଂ ନକ୍ସଲ ସମସ୍ୟା ଉପରେ ଚର୍ଚ୍ଚା ହୋଇଥିଲା। ମାତ୍ର ଆସନ୍ତା ଡିସେମ୍ବର ଯାଏଁ ଶାହା ଏହି ପଦ ସମ୍ଭାଳିବା ନେଇ ଆଲୋଚନା ଚାଲିଛି।