ବିଜେପିରେ ସାମିଲ ହେଲେ ଶତାଧିକ ବିଜେଡି ଓ କଂଗ୍ରେସ କର୍ମି

Published: Jan 10, 2024, 6:25 pm IST

ଭୁବନେଶ୍ୱର: ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ବଡଓସ୍ତିଆ ପଂଚାୟତରେ ରାଜ କିଶୋର ନାୟକଙ୍କ ନେତୃତ୍ୱରେ ୨୦ରୁ ଊର୍ଦ୍ଧ୍ୱ ପରିବାର ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେଡି ଓ କଂଗ୍ରେସ ଦଳ ଛାଡି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି।

ସେହିପରି ଗୋବିନ୍ଦପୁର ପଂଚାୟତରେ କାଳନ୍ଦୀ ନାୟକଙ୍କ ନେତୃତ୍ୱରେ ଶତାଧିକ କର୍ମୀ ବିଜେଡି ଓ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଲେ। ଏହି ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ ରାଜ୍ୟ ସଭାପତି ଶ୍ରୀ ସାମଲ ।

ରାଜ୍ୟରେ ଭାରତୀୟ ଜନତା ପାର୍ଟିର ସଂଗଠନ ସୁଦୃଢ଼ ହେଉଛି। ଆଜିର ଏହି ମିଶ୍ରଣ ପର୍ବ ପାର୍ଟିର ସଂଗଠନକୁ ଆହୁରି ସୁଦୃଢ କରିବ। ଓଡ଼ିଶାରେ ଯେଉଁ ଅଗଣତାନ୍ତ୍ରିକ ସରକାର ଚାଲିଛି ତାକୁ ହଟାଇବା ପାଇଁ ଓଡ଼ିଶାର ବିଭିନ୍ନ ବର୍ଗର ଲୋକମାନେ ଭାରତୀୟ ଜନତା ପାର୍ଟି ଉପରେ ଆସ୍ଥା ପ୍ରକଟ କରି ଯୋଗଦାନ ଦେଉଛନ୍ତି । ଓଡ଼ିଶାର ବିକାଶ ଦୁଇ ଦଶନ୍ଧୀ ପଛକୁ ପଳାଇ ଯାଇଛି।

ମୋଦିଙ୍କ ଗ୍ୟାରେଂଟି ଓଡ଼ିଶାବାସୀଙ୍କ ବିଶ୍ୱାସଭାଜନ ହୋଇଛି। ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟି ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନ କରିବ ଓ ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ଯାତ୍ରାକୁ ଓଡ଼ିଶାରେ ଆଗେଇ ନେବ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି।

ଏହି ମିଶ୍ରଣ ପର୍ବ ଅବସରରେ ଜିଲ୍ଲା ସଭାପତି ହେମନ୍ତ ପାଢ଼ୀ, ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନସ୍ମିତା ଖୁଂଟିଆ, ମଣ୍ଡଳ ସଭାପତି ରାଜାରାମ ମହାକୁଡ ପ୍ରମୁଖ ଉପସ୍ଥିତ ଥିଲେ।

Related posts