Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୧୯ ଦିନରେ ଅହୋରାତ୍ର ଗଣଧାରଣା: ସମସ୍ୟା ସମାଧାନ ସମ୍ପର୍କିତ ବିଜ୍ଞପ୍ତିକୁ ଅପେକ୍ଷା କରି ରହିଲେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ
ଆଜିର ଖବର

୧୯ ଦିନରେ ଅହୋରାତ୍ର ଗଣଧାରଣା: ସମସ୍ୟା ସମାଧାନ ସମ୍ପର୍କିତ ବିଜ୍ଞପ୍ତିକୁ ଅପେକ୍ଷା କରି ରହିଲେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ

February 25, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ଆହ୍ୱାନରେ ରାଜ୍ୟ ରାଜଧାନୀ ଭୁବନେଶ୍ୱର ସ୍ଥିତ ଲୋୟର୍ ପି.ଏମ୍‌.ଜି. ଗାନ୍ଧିମାର୍ଗରେ ଚାଲିଥିବା ଅହୋରାତ୍ର ଗଣଧାରଣା ୧୯ ଦିନରେ ପହଞ୍ଚିଛି। ସମସ୍ୟା ସମାଧାନ ଦିଗରେ ବିଜ୍ଞପ୍ତି ବାହାରିବା ପର୍ଯ୍ୟନ୍ତ ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନେ ପ୍ରତୀକାତ୍ମକ ଧାରଣାରେ ବସିଛନ୍ତି। ଓଷ୍ଟାର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ କହିଛନ୍ତି ଶିକ୍ଷକ  ଓ ଶିକ୍ଷାକର୍ମଚାରୀମାନଙ୍କର ଦାବୀ ପୂରଣ ଦିଗରେ ସରକାର ସହାୟକ ହୁଅନ୍ତୁ ଓ ସମସ୍ୟା ସମାଧାନ ଦିଗରେ ତତ୍‌ପରତା ପ୍ରକାଶ ପୂର୍ବକ ବିଜ୍ଞପ୍ତି ପ୍ରକାଶ କରନ୍ତୁ।

ସୂଚନାଥାଉକି, ୧୯ ଦିନ ଧରି ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀମାନେ ଦାବୀ ହାସଲ ପାଇଁ ଅହୋରାତ୍ର ଧାରଣାରେ ବସି ରହିଛନ୍ତି। ଆଉ କେତେ ଦିନ ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନେ ରାଜରାସ୍ତାରେ ଶୁଖିଲା ମୁଁହରେ ବସିଥିବେ ବୋଲି ଓଷ୍ଟା ପକ୍ଷରୁ ପ୍ରଶ୍ନ କରାଯିବା ସହ ସରକାର ତୁରନ୍ତ ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କର ସମସ୍ୟାକୁ ସମାଧାନ କରି ମାନବିକତାର ପରିଚୟ ଦିଅନ୍ତୁ ବୋଲି କୁହାଯାଇଛି। ଶିକ୍ଷକମାନଙ୍କର ନ୍ୟାର୍ଯ୍ୟ ଦାବୀଗୁଡ଼ିକ ମଧ୍ୟରେ ୨୦୧୩ ଅନୁଦାନ ଆଇନରୁ ବଞ୍ôଚତ ହୋଇଥିବା ଯୋଗ୍ୟ ବିବେଚିତ ବିଦ୍ୟାଳୟଗୁଡ଼ିକ ସମସ୍ତ ମାନଦଣ୍ଡକୁ ପରିପୂର୍ଣ୍ଣ କରିଥିଲେ ମଧ୍ୟ ସେହି  ବିଦ୍ୟାଳୟଗୁଡ଼ିକୁ ଅନୁଦାନ ନମିଳିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ। ସେହି ବର୍ଗର ଶିକ୍ଷକ ଓ ଶିକ୍ଷାକର୍ମଚାରୀ  ପ୍ରାୟ ୨୫ରୁ ୩୦ ବର୍ଷ ନିଜ ଜୀବନକୁ ଜଳାଞ୍ଜଳି ଦେଇ କାର୍ଯ୍ୟ କଲାପରେ ବିନା ପାରିଶ୍ରମିକରେ ଅବସର ନେଇଛନ୍ତି ଓ ମୃତ୍ୟୁବରଣ କରିଛନ୍ତି। ଏହି ବିଦ୍ୟାଳୟଗୁଡ଼ିକର ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କୁ ଅନୁଦାନ ପରିସରଭୁକ୍ତ କରାଯାଉ। ୨୬୦୮ଟି ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ କାର୍ଯ୍ୟରତ ଓ ଅବସର ନେଇଥିବା ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କ ପାଇଁ ପେନ୍‌ସନ୍ ଓ ଅବସରକାଳୀନ ସୁବିଧା ମିଳୁନାହିଁ।

୩୦ବର୍ଷରୁ ଊର୍ଦ୍ଧ୍ୱ କାର୍ଯ୍ୟ କରି ଶିକ୍ଷକଟି ୬୦ ବର୍ଷରେ ଅବସର ନେଲାପରେ ଶୂନ୍ୟହସ୍ତରେ ଅବସର ନେଉଛନ୍ତି ଓ ତାଙ୍କୁ ଅବସରକାଳୀନ ସୁବିଧା ଦବାର ବ୍ୟବସ୍ଥା ନାହିଁ। ତେଣୁ ସରକାରଙ୍କୁ ଅନୁରୋଧ କରି ଜଣାଉଛୁ କି ଅବସର ନେଉଥିବା ଓ ନେବାକୁ ଅପେକ୍ଷା କରିଥିବା ଶିକ୍ଷକମାନଙ୍କ ପାଇଁ ପେନ୍‌ସନ୍ ଓ ଅବସରକାଳୀନ ସୁବିଧା ଯୋଗାଇ ଦିଆଯାଉ।

ସରକାରୀ କର୍ମଚାରୀମାନଙ୍କର ଅବସର ବୟସସୀମା ୫୮ବର୍ଷ ଥିବାବେଳେ ବେସରକାରୀ ତଥା ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ କର୍ମଚାରୀଙ୍କ ଅବସର ବୟସସୀମା ୬୦ ଥିଲା।  ବର୍ତ୍ତମାନ ସରକାର ସରକାରୀ କର୍ମଚାରୀଙ୍କ ବୟସସୀମାକୁ ୬୦କୁ ବୃଦ୍ଧି କରିଥିବା ବେଳେ ବେସରକାରୀ ତଥା ଅନୁଦାନପ୍ରାପ୍ତ କର୍ମଚାରୀମାନଙ୍କର ବୟସସୀମା ୬୨କୁ ବୃଦ୍ଧି କରାଯାଇନାହିଁ। ତେଣୁ ଅବସର ବୟସସୀମାକୁ ୬୦ରୁ ୬୨ ବର୍ଷକୁ ବୃଦ୍ଧି କରାଯାଉ।

ଏତ୍‌ଦବ୍ୟତୀତ ସରକାର ସୁପ୍ରିମକୋର୍ଟ ଓ ହାଇକୋର୍ଟ ନିର୍ଦ୍ଦେଶାନାମାକୁ କାର୍ଯ୍ୟକାରୀ କରି ୪୮ ବର୍ଷରେ ପଦାର୍ପଣ କରିଥିବା ହିନ୍ଦୀ ଓ ସଂସ୍କୃତ ଶିକ୍ଷକମାନଙ୍କୁ ଟ୍ରେଣ୍ଡ ଗ୍ରାଜୁଏଟ୍ ସ୍କେଲ ପ୍ରଦାନ କରନ୍ତୁ। ନୂତନ ଅନୁଦାନପ୍ରାପ୍ତ ଓ ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକୁ ସରକାରୀକରଣ କରାଯାଉ। ଗ୍ରେଡ଼୍ ପେ ରେ ଥିବା ଅସଙ୍ଗତିକୁ ତୁରନ୍ତ ଦୂରୀକରଣ କରାଯାଉ। ୨୦୦୪ରୁ ୨୦୧୩ ଭିତରେ ନିଯୁକ୍ତି ପାଇଥିବା ଚୁକ୍ତି ଭିତ୍ତିକ ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କୁ ୬ଟି ନୋସ୍‌ନାଲ ଇନ୍‌କ୍ରିମେଣ୍ଟ ଦେଇ ବରିଷ୍ଠତା ପ୍ରଦାନ କରାଯାଉ।

ବି.ଏ.ବି.ପି.ଏଡ଼, ବି.ଏ.ସି.ପି.ଏଡ଼ ଯୋଗ୍ୟତାଧାରୀ ଖେଳ ଶିକ୍ଷକମାନଙ୍କୁ ପଦୋନ୍ନତି ଦିଆଯାଉ। ବର୍ତ୍ତମାନ ନୂତନ ଅନୁଦାନ ପାଉଥିବା ବିଦ୍ୟାଳୟରେ କାର୍ଯ୍ୟରତ ୨ୟ ଓ ୩ୟ ପିଅନ ଏବଂ କିଛି ବିଦ୍ୟାଳୟ ଯଥା- ୩୭, ୪୬, ୬୩ ବିଦ୍ୟାଳୟଙ୍କୁ ୦୧.୦୪.୨୦୦୮ ପରିବର୍ତ୍ତେ ୦୧.୦୧.୨୦୦୪ରୁ ଆଣ୍ଟିଡ଼େସନ୍ ପ୍ରଦାନ କରାଯାଉ। ଆର୍‌.ଏ. ସ୍କିମ୍‌ର ପୁନଃପ୍ରଚଳନ କରାଯାଉ। ସେହିଭଳି ଅଫିସ୍ ସହାୟକମାନଙ୍କୁ ମଧ୍ୟ ଉଚ୍ଚତର ଗ୍ରେଡ଼ପେ ପ୍ରଦାନ କରାଯାଉ। ଊର୍ଦ୍ଦୁ ଶିକ୍ଷକମାନଙ୍କୁ ଅନୁଦାନ ପ୍ରଦାନ କରାଯାଉ। ସରକାର ତୁରନ୍ତ ଏହିସବୁ ନ୍ୟାୟୋଚିତ ଦାବୀଗୁଡ଼ିକ ପ୍ରତି ଦୃଷ୍ଟି ନିକ୍ଷେପ କରି ଏହାର ସମାଧାନର ସୂତ୍ର ବାହାର କରନ୍ତୁ ବୋଲି ସଂଗଠନ ପକ୍ଷରୁ ଅନୁରୋଧ କରାଯାଇଛି।

ଜିଲ୍ଲାୱାରୀ ପାଳିରେ ଆଜି କେନ୍ଦ୍ରାପଡ଼ା, କଳାହାଣ୍ଡି, ମୟୁରଭଞ୍ଜ, ଯାଜପୁର, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାଗୁଡ଼ିକ ଅଂଶଗ୍ରହଣ କରିଛନ୍ତି  । ଜିଲ୍ଲାମାନଙ୍କ ତରଫରୁ ସର୍ବଶ୍ରୀ ଜ୍ଞାନରଞ୍ଜନ ପାଣିଗ୍ରାହୀ, ରାଜଲକ୍ଷ୍ମୀ ବେହେରା, ଗୋପୀବଲ୍ଲଭ ଭୁୟାଁ, ନିର୍ମଳ କୁମାର ଜେନା, ରମାକାନ୍ତ ମହାପାତ୍ର, ମୃତ୍ୟୁଞ୍ଜୟ ବେହେରା, ସୁନନ୍ଦ ରାଉତ, ଚିତ୍ତରଞ୍ଜନ ପଳତା, ଦୁର୍ଯ୍ୟୋଧନ ବେହେରା, ପ୍ରଭାତ କୁମାର ରଥ, କିଶୋର ଆଚାର୍ଯ୍ୟ, କେଶବ ନାୟକ  ପ୍ରମୁଖ ଧାରଣାରେ ଉପସ୍ଥିତ ରହି ଶିକ୍ଷକମାନଙ୍କୁ ଉଦ୍‌ବୋଧନ ଦେଇଥିଲେ। ସରକାର ତୁରନ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀମାନଙ୍କର ସମସ୍ୟା ସମ୍ପର୍କରେ ହସ୍ତକ୍ଷେପ କରି ସମାଧାନର ରାସ୍ତା ବାହାର କରନ୍ତୁ ବୋଲି ଆନ୍ଦୋଳନର ନେତୃତ୍ୱ ନେଉଥିବା ଓଷ୍ଟାର ସର୍ବଶ୍ରୀ ଅକ୍ଷୟ କୁମାର ମିଶ୍ର, ନୀଳମଣି ପୁରୋହିତ, ରଞ୍ଜନ କୁମାର ଦାଶ, ବ୍ରଜକିଶୋର ବିଶ୍ୱାଳ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି ପ୍ରମୁଖ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି।

OSSTA ଅହୋରାତ୍ର ଗଣଧାରଣା ଗାନ୍ଧିମାର୍ଗ ଭୁବନେଶ୍ୱର ଲୋୟର୍ ପି.ଏମ୍‌.ଜି.
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025
Latest News

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.