ଉତ୍କଳିକା ଦ୍ୱାରା ଅତିଥି ଗୃହର ଶୁଭ ଉଦ୍‌ଘାଟନ: ଓଡ଼ିଶାର ବୁଣାକାର ଓ କାରିଗରମାନେ ନେଇପାରିବେ ସୁବିଧା

Published: Mar 7, 2024, 7:11 am IST

ଭୁବନେଶ୍ୱର: ହସ୍ତତନ୍ତ, ବୟନ ଏବଂ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ ବୁଧବାର ହସ୍ତଶିଳ୍ପ ନିର୍ଦ୍ଦେଶାଳୟର ଆର୍ଥିକ ସହାୟତାରେ ଓଡ଼ିଶା ରାଜ୍ୟ ହସ୍ତଶିଳ୍ପ ନିଗମ ଲିଃ (ଉତ୍କଳିକା) ଦ୍ୱାରା ନିର୍ମିତ ଏକ ଅତିଥି ଗୃହର ଶୁଭ ଉଦ୍‌ଘାଟନ କରିଛନ୍ତି । ସମଗ୍ର ଓଡ଼ିଶାର ବୁଣାକାର ଓ କାରିଗରମାନେ ବିପଣନ ତଥା ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଭୁବନେଶ୍ୱର ଆସିଥାନ୍ତି । ସ୍ୱଳ୍ପକାଳ ରହଣି ନିମନ୍ତେ କମ୍‌ ଦରରେ ରାତି୍ରଯାପନ ପାଇଁ ଏକ ନିର୍ଭରଯୋଗ୍ୟ ଅତିଥି ଗୃହର ଆବଶ୍ୟକତାକୁ ଅନୁଭବ କରି ଏହି ଅତିଥି ଗୃହର ନିର୍ମାଣ କରାଯାଇଛି । ଓଡ଼ିଶାର ସମସ୍ତ ବୁଣାକାର ଓ କାରିଗରମାନେ ଭୁବନେଶ୍ୱର ଗସ୍ତ ସମୟରେ ଏହି ଅତିଥି ଗୃହର ସୁବିଧା ନେଇପାରିବେ ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ ଆଶାପ୍ରକାଶ କରିଥିଲେ ।

ମଞ୍ଚେଶ୍ୱରସ୍ଥିତ ଏହି ଅତିଥି ଭବନରେ ନିର୍ଦ୍ଧାରିତ ମୂଲ୍ୟରେ ଜଣେ ବୁଣାକାର ବା କାରିଗର ରାତି୍ରଯାପନ କରିପାରିବେ ଓ ସର୍ବାଧିକ ୭ ଦିନ ରହି ପାରିବାର ବ୍ୟବସ୍ଥା କରାଯାଇଛି। ଏଠାରେ ଶୀତତାପ ନିୟନ୍ତ୍ରିତ କୋଠରି, ଶଯ୍ୟା ଓ ପରିଷ୍କାର ଶୌଚାଳୟ ସହିତ ପାନୀୟ ଜଳ ଉପଲବ୍ଧ କରାଯାଇଛି। ପୁରୁଷ ଓ ମହିଳା କାରିଗରମାନଙ୍କ ନିମନ୍ତେ ପୃଥକ ଗୃହର ବ୍ୟବସ୍ଥା କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସିସିଟିଭି ସମେତ ସସ୍ତେ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ଉତ୍କଳିକା ଏହି ଅତିଥି ଗୃହର ପରିଚାଳନା ଦାୟିତ୍ୱ ନେଇଛି।

ଏହି ଅତିଥି ଭବନ ଉଦ୍‌ଘାଟନ ସମୟରେ ଓଡ଼ିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ ଓ ବିକାଶ ପରିଷଦର ସଭାପତି ସୁଦର୍ଶନ ସାହୁ, ହସ୍ତଶିଳ୍ପ ନିର୍ଦ୍ଦେଶିକା ପ୍ରଣତୀ ଛୋଟରାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅତିରିକ୍ତ ଶାସନ ସଚିବ ବିକ୍ରମାଦିତ୍ୟ ବାରିକ, ଉତ୍କଳିକାର ପରିଚାଳନା ନିର୍ଦ୍ଦେଶିକା କଲ୍ୟାଣୀ ପଟ୍ଟନାୟକ ଏହି ଉଦ୍‌ଘାଟନ ଉତ୍ସବରେ ଉପସ୍ଥିତ ଥିଲେ।

Related posts