ବିହାରରେ ଲୁ’ ଜନିତ ମୃତ୍ୟସଂଖ୍ୟା ୯୦ରେ ପହଞ୍ଚିଲା,  ଆଜି ପ୍ରଭାବିତ ଅଞ୍ଚଳ ଗସ୍ତ କରିବେ ନୀତିଶ୍‌

Published: Jun 20, 2019, 12:20 pm IST

ସାରାଦେଶରେ ଦକ୍ଷିଣ – ପଶ୍ଚିମ ମୌସୁମୀ ବାୟୁ ଆସିବା ପ୍ରାୟ ୧୫ ଦିନ ବିଳମ୍ବରେ ଆସିଛି। ଏବେ ତା’ର ପ୍ରକୋପ ମଧ୍ୟ ବହୁତ୍‌ କମ୍‌ ରହିଛି। ମୌସୁମୀ ଏବେବି କର୍ଣ୍ଣାଟକ-କୋଙ୍କଣଠାରେ ହିଁ ରହିଛି। ମୌସୁମୀର ବିଳମ୍ବ ଯୋଗୁଁ ସାରା ଦେଶରେ ଭୀଷଣ ଗରମ ଅନୁଭୂତ ହେଉଛି। ନିଦାଘର ଦାରୁଣ ଚିତ୍ର ଦେଖିବାକୁ ମିଳିଛି ବିହାରରେ। ଏଠାରେ ଲୁ ପାଇଁ ଏପର୍ଯ୍ୟନ୍ତ ୯୦ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି। ତେବେ ଦିଲ୍ଲୀ, ଉତ୍ତରପ୍ରଦେଶ ଓ ରାଜସ୍ଥାନରେ ହାଲ୍‌କା ହାଲ୍‌କା ବର୍ଷା ହେବା ଯୋଗୁଁ ସେଠାରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ମୌସୁମୀର ବିଳମ୍ବ ଯୋଗୁଁ ଦେଶର ଅନେକ ଅଞ୍ଚଳରେ ପାନୀୟ ଜଳର ସମସ୍ୟା ଉତ୍ପନ୍ନ ମଧ୍ୟ ହୋଇଛି। ମସ୍ତିଷ୍କ ଜ୍ବରରେ ଶିଶୁ ମୃତ୍ୟୁ ହୋଇ ଚାଲିଥିବାବେଳେ ଅସହ୍ୟ ଗରମ ପ୍ରଭାବରୁ ଲୁ’ ଦ୍ବାରା ଲୋକଙ୍କ ମୃତ୍ୟୁ ସତେ ଯେମିତି ବିହାରବାସୀଙ୍କ ପାଇଁ ଅଭିଶାପ ପାଲଟିଯାଇଛି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ୍‌ କୁମାର ଆଜି ରାଜ୍ୟର ଲୁ ପ୍ରଭାବିତ ଅଞ୍ଚଳ ଗସ୍ତ କରି ଏହି ସମ୍ବନ୍ଧୀୟ ସମୀକ୍ଷା କରିବେ। ବିହାରର ଔରଙ୍ଗାବାଦ ଜିଲ୍ଲାରେ ୪୧ ଜଣ, ଗୟାରେ ୩୫ଜଣ ଓ ନାବାଦାରେ ୧୪ ଜଣଙ୍କ ଲୁ’ ପାଇଁ ମୃତ୍ୟୁବରଣ କରିଥିବା ଜଣାପଡିଛି। ୨୦୦୯ ପରେ ପାଟନାରେ ଚଳିତ ବର୍ଷ ଗତ ୧୦ ବର୍ଷର ଅଧିକ ତାପମାତ୍ରାର ରେକର୍ଡ ଭଙ୍ଗ କରିଛି।

Related posts