୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ଅଲିମ୍ପିକ୍ ପଦକ ବିଜେତା ସାକ୍ଷୀ ମଲିକ୍

Published: Apr 18, 2024, 7:50 am IST

ନୂଆଦିଲ୍ଲୀ: ଡିସେମ୍ବର ୨୦୨୩ ରେ କୁସ୍ତିରୁ ଅବସର ନେଇ ସାକ୍ଷୀ ମଲିକ୍ କ୍ରୀଡା ଜଗତରେ ଏକ ହଇଚଇ ସୃଷ୍ଟି କରିଥିଲେ। ବର୍ତ୍ତମାନ ଟାଇମ୍ସ ମାଗାଜିନ୍ ତାଙ୍କୁ ୨୦୨୪ ରେ ଦୁନିଆର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ନାମିତ କରିଛି। ଅଲିମ୍ପିକ୍ସ ଇତିହାସରେ କୁସ୍ତିରେ ପଦକ ଜିତିଥିବା ସାକ୍ଷୀ ହେଉଛନ୍ତି ପ୍ରଥମ ମହିଳା ରେସଲର। ସେ ୨୦୧୬ ରିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ସମଗ୍ର ବିଶ୍ୱରେ ଭାରତ ପାଇଁ ଗୌରବ ଆଣିଥିଲେ। ଗତ କିଛି ମାସ ଧରି ଭାରତୀୟ ରେସଲିଂ ଫେଡେରେଶନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ଉପରେ ଅଭିଯୋଗ ଆଣି ସାକ୍ଷୀ ଖବରରେ ଥିଲେ।

ଟାଇମ୍ସ ମାଗାଜିନ ଦ୍ୱାରା ପ୍ରକାଶିତ ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବାରୁ ସାକ୍ଷୀ ମଲିକ ଖୁସି ବ୍ୟକ୍ତ କରି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି ଯେ, କ୍ରୀଡା ଜଗତ ସହିତ ଜଡିତ ଅନ୍ୟାନ୍ୟ କ୍ରୀଡ଼ାବିତ୍ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି, କିନ୍ତୁ ସାକ୍ଷୀ ମଲିକ୍ ହେଉଛନ୍ତି ଏକମାତ୍ର ଭାରତୀୟ ଖେଳାଳି ଯିଏକି ୨୦୨୪ ପାଇଁ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ଭାରତୀୟଙ୍କ ବିଷୟରେ କହିବାକୁ ଗଲେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ମଧ୍ୟ ୨୦୨୪ ର ୧୦୦ ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଇଛି।

ସାକ୍ଷୀ ମଲିକ୍ ସମ୍ବାଦରେ କାହିଁକି?:

ସାକ୍ଷୀ ମଲିକଙ୍କ ସହ ଟୋକିଓ ଅଲିମ୍ପିକ୍ସର ବ୍ରୋଞ୍ଜ ପଦକ ବିଜେତା ବଜରଙ୍ଗ ପୁନିଆ ଏବଂ ଦୁଇଥର ବିଶ୍ୱ ରେସଲିଂ ଚାମ୍ପିଅନସିପ୍ ବ୍ରୋଞ୍ଜ ପଦକ ବିଜେତା ଭିନେଶ ଫୋଗାଟ ମଧ୍ୟ ଭାରତୀୟ ରେସଲିଂ ଫେଡେରେଶନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ସିଂଙ୍କ ବିରୋଧରେ ଯୌନ ନିର୍ଯାତନା ଆଣି ଧାରଣାରେ ବସିଥିଲେ। ଅନେକ ଥର ଅଭିଯୁକ୍ତ ହୋଇଥିଲେ ମଧ୍ୟ ବ୍ରିଜ ଭୂଷଣ ଏଭଳି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଆସୁଛନ୍ତି। ଏହି ଅଭିଯୋଗ ଯୋଗୁଁ ବ୍ରିଜ ଭୂଷଣ ଫେଡେରେଶନରେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ ସ୍ଥାନରେ ବ୍ରିଜ ଭୂଷଣଙ୍କ ସହକର୍ମୀ ସଞ୍ଜୟ ସିଂ ଏହି ପଦ ଗ୍ରହଣ କରିଥିଲେ।

Related posts