‘କଂଗ୍ରେସ ସହ ସମ୍ପର୍କ ସ୍ଥାୟୀ ନୁହେଁ’: ଶେଷ ପର୍ଯ୍ୟାୟ ପୂର୍ବରୁ ଅରବିନ୍ଦ କେଜ୍ରିୱାଲଙ୍କ ବଡ ବିବୃତ୍ତି

Published: May 29, 2024, 5:13 pm IST

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ସପ୍ତମ ତଥା ଶେଷ ପର୍ଯ୍ୟାୟ ଭୋଟ୍ ଦୁଇ ଦିନ ପରେ ଅର୍ଥାତ୍ ଜୁନ୍ ୧ ତାରିଖରେ ହେବ ଏବଂ ଏହାର ଫଳାଫଳ ଜୁନ୍ ୪ ତାରିଖରେ ଆସିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏନଡିଏକୁ କ୍ଷମତାକୁ ଆସିବାକୁ ନଦେବା ଉଦ୍ଦେଶ୍ୟରେ ଗଠିତ ଇଣ୍ଡିଆ ମେଣ୍ଟକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ,କଂଗ୍ରେସ ସହିତ ଆମ୍ ଆଦମୀ ପାର୍ଟିର ସମ୍ପର୍କ ସ୍ଥାୟୀ ନୁହେଁ।

ଇଣ୍ଡିଆ ଟୁଡେକୁ ଦେଇଥିବା ଏକ ସାକ୍ଷାତକାରରେ AAP ସଂଯୋଜକ କହିଛନ୍ତି ଯେ, “କଂଗ୍ରେସ ସହିତ AAP ର କୌଣସି ସ୍ଥାୟୀ ସମ୍ପର୍କ ନାହିଁ। ବର୍ତ୍ତମାନ ଆମର ଉଦ୍ଦେଶ୍ୟ ହେଉଛି ବିଜେପିକୁ ପରାସ୍ତ କରିବା ଏବଂ ବର୍ତ୍ତମାନର ଶାସନର ଏକଛତ୍ରବାଦୀ ଶାସନକୁ ରୋକିବା।” ଏହା ସହିତ ସେ ଆଶା ପ୍ରକଟ କରିଛନ୍ତି ଯେ, ଜୁନ୍ ୪ ତାରିଖରେ I.N.D.I.A ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ମେଣ୍ଟ ସରକାର ଗଠନ କରିବାକୁ ଯାଉଛି।

ଦିଲ୍ଲୀରେ AAP ଏବଂ କଂଗ୍ରେସ ମଧ୍ୟରେ ମେଣ୍ଟ ଥିବାବେଳେ ପଡୋଶୀ ରାଜ୍ୟ ପଞ୍ଜାବରେ ଉଭୟ ଦଳ ପରସ୍ପର ବିରୋଧରେ ନିର୍ବାଚନ ଲଢୁଛନ୍ତି। ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ଯେ, “ଦେଶକୁ ବଞ୍ଚାଇବା ଗୁରୁତ୍ୱପୂର୍ଣ୍ଣ। ଯେଉଁଠାରେ ବିଜେପିକୁ ପରାସ୍ତ କରିବା ପାଇଁ ଏକ ମେଣ୍ଟର ଆବଶ୍ୟକତା ଥିଲା, ତେଣୁ AAP ଏବଂ କଂଗ୍ରେସ ଏକାଠି ହୋଇ ଏକ ପ୍ରାର୍ଥୀ ଦେଇଥିଲେ। ପଞ୍ଜାବରେ ବିଜେପିର କୌଣସି ଅସ୍ତିତ୍ୱ ନାହିଁ।”

Related posts