ବାଲୁଗାଁ ୧୬ ନମ୍ବର ଜାତୀୟ ରାଜପଥ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଘଟଣାସ୍ଥଳରେ ଦୁଇ ମୃତ

Published: Jun 4, 2024, 8:42 am IST

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ୧୬ ନମ୍ବର ଜାତୀୟ ରାଜପଥ ଛତ୍ରଗଡ଼ ଛକରେ ଆଜି ଭୋରରୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଦୁଇ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।

ସୂଚନା ମୁତାବକ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଏକ ଟ୍ରାଭେରା କାର ଏବଂ ଆଇରନ ବୋଝେଇ ଟ୍ରକ ଆଗ ପଛ ହୋଇ ଯାଉଥିବା ବେଳେ ଛତ୍ରଗଡ଼ ଛକରେ ଟ୍ରାଭେରାକୁ ପଛପଟୁ ଧକ୍କା ଦେଇଥିଲା ଆଇରନ ବୋଝେଇ ଟ୍ରକ। ଫଳରେ ଟ୍ରାଭେରାରେ ଉପସ୍ଥିତ ଥିବା ଦୁଇ ଜଣ ବ୍ୟକ୍ତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଦ୍ବୟ ହେଲେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଅଞ୍ଚଳର ଟ୍ରାଭେରା ଡ୍ରାଇଭର ବିଦ୍ୟାଧର ବେହେରା ଏବଂ ଟ୍ରାଭେରା ମାଲିକ ମନୋରଞ୍ଜନ ପାଣିଗ୍ରାହୀ।

ଖବର ପାଇ ନାଭାଲ ଫାଣ୍ଡି ଅଧିକାରୀ ରବୀନ୍ଦ୍ରନାଥ ଗୌଡ ଅଗ୍ନିଶମ ବାହିନୀ ସହ ସଦଳବଳେ ଦୁର୍ଘଟଣାସ୍ଥଳରେ ପହଞ୍ଚି ଦୁଇ ମୃତକଙ୍କ ଶରୀରକୁ ଗାଡି ମଧ୍ୟରୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଦେଇଛନ୍ତି।

ଅପରପକ୍ଷରେ ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ପୋଲିସ ସୂଚନା ଦେଇଛି।

Related posts