ଜ୍ୱାଇଁର ଶାବଳ ମାଡରେ ସ୍ତ୍ରୀ ଓ ଶାଶୁ ମୃତ, ଅଢେଇ ବର୍ଷର ଛୁଆ ସହ ଆତ୍ମସମର୍ପଣ କଲା ଅଭିଯୁକ୍ତ

Published: Jul 22, 2024, 8:02 pm IST

ରେଢ଼ାଖୋଲ (କନ୍ଦର୍ପ ବେହେରା): ଜ୍ବାଇଁର ଶାବଳ ମାଡ଼ରେ ପତ୍ନୀ ସହ ଶାଶୁର ମୃତ୍ୟୁ ହୋଇଥିବା ଖବର ଜଣାପଡିଛି। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ପୋଡାବଲଣ୍ଡା ଗ୍ରାମରେ ଏଭଳି ଲୋମ ହର୍ଷଣ ଘଟଣା ଘଟିଛି।

ପୋଲିସ ସୂତ୍ରରୁ ଜଣା ପଡିଛି ଯେ, ପାରିବାରିକ କଳହରୁ ନିଜ ସ୍ତ୍ରୀ ଓ ଶାଶୂକୁ ଶାବଳରେ ଆକ୍ରମଣ କରି ନିର୍ମମ ଭାବରେ ହତ୍ୟା କରି ଥିଲା ଜ୍ବାଇଁ। ମୃତକ ହେଲେ ସ୍ତ୍ରୀ ଗାୟତ୍ରୀ ସାହୁ ଓ ଶାଶୁ ରୁକ୍ମିଣୀ ସାହୁ। ଦୁଇଜଣଙ୍କୁ ଏକ ଶାବଳରେ ଭୁସି ହତ୍ୟା କରିବା ପରେ ଜ୍ବାଇଁ ସେହି ଘରକୁ ତାଲା ପକାଇ ରେଢ଼ାଖୋଲ ଥାନାରେ ନିଜକୁ ଆତ୍ମସମର୍ପଣ କରିଥିଲା। ହତ୍ୟା କରିଥିବା ଅଭିଯୁକ୍ତ ଜ୍ବାଇଁ ଜଣଙ୍କ ହେଲେ ମିଥୁନ ସାହୁ।

ସୂଚନାଯୋଗ୍ୟ ଯେ, ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଥାନା ଜାମୁନାଳି ଗାଁର ମିଥୁନ ସାହୁ ଆଜକୁ ୪ ବର୍ଷ ହେବ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ପୋଡାବଲଣ୍ଡା ଗ୍ରାମର ରୁକ୍ମିଣୀ ସାହୁଙ୍କ ଝିଅ ଗାୟତ୍ରୀ ସାହୁଙ୍କୁ ବୈଦିକ ରିତିରେ ବିବାହ କରିଥିଲେ। ସେମାନଙ୍କର ଏକ ଅଢେଇ ବର୍ଷ ର ପୁତ୍ର ସନ୍ତାନ ମଧ୍ୟ ଅଛି। ହେଲେ ଗତ କିଛି ବର୍ଷ ହେବ କୌଣସି କାରଣରୁ ପାରିବାରିକ କଳହ ଲାଗି ରହିଥିଲା ଏବଂ ଏହାକୁ ନେଇ କୋର୍ଟରେ ମାମଲା ହେବାପରେ ଉଭୟ ସ୍ବାମୀ ଓ ସ୍ତ୍ରୀ ମିଶି ଏକାଠି ରହିବା ପାଇଁ କୋର୍ଟ ନିର୍ଦ୍ଦେଶ ପରେ ସମସ୍ତେ ଏକାଠି ରହିଆସୁଥିଲେ।

ହେଲେ ସୋମବାର କୌଣସି କାରଣରୁ ଉଭୟ ସ୍ତ୍ରୀ ଓ ଶାଶୁ ଏବଂ ଜ୍ବାଇଁ ମିଥୁନଙ୍କ ମଧ୍ୟରେ ପୁଣିଥରେ କଳହ ହୋଇଥିଲା ଶେଷରେ ଝଗଡାରୁ ଉଗ୍ରରୂପ ନେଇ ଜ୍ବାଇଁ ରାଗିଯାଇ ନିଜ ସ୍ତ୍ରୀ ଓ ଶାଶୂ ଙ୍କୁ ଶାବଳରେ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଥିଲା।

ମୃତ୍ୟୁ ହେବା ଜାଣି ଘରର କବାଟ ତାଲା ପକାଇ ରେଢ଼ାଖୋଲ ଥାନାରେ ନିଜର ଅଢେଇ ବର୍ଷର ପୁଅକୁ ଧରି ଆତ୍ମସମର୍ପଣ କରିଥିଲା ଅଭିଯୁକ୍ତ ଜ୍ବାଇଁ। ଘଟଣା ସ୍ଥଳରେ ରେଢ଼ାଖୋଲ ପୋଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ହତ୍ୟାକାରୀ ବିରୁଦ୍ଧରେ ରେଢ଼ାଖୋଲ ଥାନାରେ ଏକ ମାମଲା ରୁଜୁ ହୋଇଛି।

Related posts