ମହାରାଷ୍ଟ୍ର ଓ ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ

Published: Oct 15, 2024, 10:50 pm IST

ନୂଆଦିଲ୍ଲୀ: ଆସନ୍ତା ମାସର ୨୦ ତାରିଖରେ ମହାରାଷ୍ଟ୍ର ବିଧାନସଭାର ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ। ସେହିପରି ନଭେମ୍ବର ୧୩ ଏବଂ ୨୦ ତାରିଖରେ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ହେବ। ଭୋଟ୍ ଗଣନା ଆସନ୍ତା ମାସର ନଭେମ୍ବର ୨୩ ତାରିଖରେ ଦୁଇ ରାଜ୍ୟରେ ହେବ।ଆଜି ଭାରତ ନିର୍ବାଚନ ଆୟୋଗ ଏହି ତାରିଖ ଘୋଷଣା କରିଛନ୍ତି।

ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ ୨୮୮ ସଦସ୍ୟ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ଅକ୍ଟୋବର ୨୨ ରେ ଜାରି କରାଯିବ ଏବଂ ପ୍ରାର୍ଥୀମାନେ ୨୯ ଅକ୍ଟୋବର ପର‌୍ୟ୍ୟନ୍ତ ନାମାଙ୍କନ ଦାଖଲ କରିପାରିବେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟରେ ୯.୬୩ କୋଟି ଭୋଟରଙ୍କ ପାଇଁ ଏକ ଲକ୍ଷରୁ ଅଧିକ ମତଦାନ କେନ୍ଦ୍ର ସ୍ଥାପନ କରାଯିବ।

ଝାଡଖଣ୍ଡରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ବିଜ୍ଞପ୍ତି ଚଳିତ ମାସ ୧୮ ତାରିଖରେ ଜାରି କରାଯିବ ଏବଂ ପ୍ରାର୍ଥୀମାନେ ୨୫ ଅକ୍ଟୋବର ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିପାରିବେ। ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ୨୨ ଅକ୍ଟୋବରରେ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ୨୯ ଅକ୍ଟୋବର ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ କରାଯାଇପାରିବ।

ମୁଖ୍ୟ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି ଯେ ଝାଡଖଣ୍ଡରେ ୨୬ ହଜାରରୁ ଅଧିକ ମତଦାନ କେନ୍ଦ୍ରରେ ୨.୬ କୋଟି ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ମତଦାନ କାର‌୍ୟ୍ୟସୂଚୀ ଘୋଷଣା ସହିତ ଉଭୟ ରାଜ୍ୟରେ ଆଦର୍ଶ ଆଚରଣ ସଂହିତା ଲାଗୁ କରାଗଲା ବୋଲି ଘୋଷଣା କରାଯାଇଛି।

 

Related posts