ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ତ୍ରିପୁରାର ଅଗରତାଲାଠାରେ ଉତ୍ତର-ପୂର୍ବ ପରିଷଦ (ଏନଇସି)ର ୭୨ତମ ପ୍ଲେନାରୀ ଅଧିବେଶନରେ ଉଦବୋଧନ ଦେଇଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ଏମ ସିନ୍ଧିଆ, ତ୍ରିପୁରାର ରାଜ୍ୟପାଳ ଇନ୍ଦ୍ରସେନା ରେଡ୍ଡୀ ନାଲ୍ଲୁ, ତ୍ରିପୁରା ମୁଖ୍ୟମନ୍ତ୍ରୀ ପ୍ରଫେସର (ଡ. ) ମାଣିକ ସାହା ଏବଂ କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ ଉପସ୍ଥିତ ଥିଲେ। ଏହି ବୈଠକରେ ଅରୁଣାଚଳ ପ୍ରଦେଶ, ଆସାମ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ ଏବଂ ସିକ୍କିମର ରାଜ୍ୟପାଳଙ୍କ ସମେତ ଅରୁଣାଚଳ ପ୍ରଦେଶ, ଆସାମ, ମଣିପୁର, ମିଜୋରାମ, ନାଗାଲାଣ୍ଡ ଏବଂ ସିକ୍କିମ ମୁଖ୍ୟମନ୍ତ୍ରୀଙ୍କ ସମେତ ମେଘାଳୟର ଗୋଷ୍ଠୀ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଏବଂ ଅନ୍ୟ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।
ନିଜ ଅଭିଭାଷଣରେ କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗତ ୧୦ ବର୍ଷ ଉତ୍ତର-ପୂର୍ବାଞ୍ଚଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଯେଉଁଭଳି ଭାବରେ ଏହି ଅଞ୍ଚଳ ପ୍ରତି ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛନ୍ତି ତାହା ସମଗ୍ର ଉତ୍ତର-ପୂର୍ବ ପାଇଁ ପରିବର୍ତନକାରୀ । ଶ୍ରୀ ଶାହ କହିଛନ୍ତି ଯେ ଦୀର୍ଘ ଦିନ ଧରି ଏହି ଅଞ୍ଚଳ ଦିଲ୍ଲୀ ପାଇଁ କେବଳ ଭାଷଣର ପ୍ରସଙ୍ଗ ଥିଲା, କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଦୂରଦୃଷ୍ଟି ଏବଂ ସମ୍ବେଦନଶୀଳତା ବଳରେ ଏହି କ୍ଷେତ୍ରକୁ ବିକାଶର କେନ୍ଦ୍ରକୁ ଆଣିଛନ୍ତି। ସେ କହିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ଉତ୍ତର-ପୂର୍ବାଞ୍ଚଳରେ ଭିତ୍ତିଭୂମିର ଅଭୂତପୂର୍ବ ବିକାଶ ଯୋଗୁଁ କେବଳ ଭୌତିକ ଦୂରତା ହ୍ରାସ ପାଇନାହିଁ, ବରଂ ପ୍ରଧାନମନ୍ତ୍ରୀ ମୋଦୀ ଏହି ଅଞ୍ଚଳ ଏବଂ ଦିଲ୍ଲୀ ମଧ୍ୟରେ ହୃଦୟର ଦୂରତାକୁ ଦୂର କରିବା ପାଇଁ ମଧ୍ୟ କାର୍ଯ୍ୟ କରିଛନ୍ତି।
କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଉତ୍ତର-ପୂର୍ବକୁ ପ୍ରାଥମିକତା ଦେଇଥିଲେ, ଏହା ସ୍ୱାଭାବିକ ଭାବେ ସମଗ୍ର କେନ୍ଦ୍ର ସରକାରଙ୍କ ପାଇଁ ପ୍ରାଥମିକତା ପାଲଟିଥିଲା। ବହୁ ବିବିଧତା ସତ୍ତ୍ୱେ ଆଜି ଆମ ଉତ୍ତର-ପୂର୍ବାଞ୍ଚଳ ବିକାଶ ପଥରେ ଗତି କରୁଛି ବୋଲି ସେ କହିଥିଲେ। ୧୦ ବର୍ଷ ତଳେ ୨୦୦ରୁ ଅଧିକ ଆଦିବାସୀ ଗୋଷ୍ଠୀ ଏବଂ ଏହି ଅଞ୍ଚଳର ୧୯୫ରୁ ଅଧିକ ଉପଭାଷା ଓ ଭାଷା ଏକ ପ୍ରକାରରେ ଆମର ଦୁର୍ବଳତା ପାଲଟିଥିଲା, ଯାହା ବିଭିନ୍ନ ପ୍ରକାର ସଂଘର୍ଷ ସୃଷ୍ଟି କରିଥିଲା। ଶ୍ରୀ ଶାହା କହିଛନ୍ତି ଯେ ଆଜି ଯେତେବେଳେ ଆମେ ପଛକୁ ଚାହିଁବୁ, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଜୀ ହିଁ ସେହି ଦୁର୍ବଳତାକୁ ମଜବୁତ ଓ ଶକ୍ତିରେ ପରିଣତ କରିବାର କାର୍ଯ୍ୟ କରିଛନ୍ତି। ସେ କହିଥିଲେ ଯେ ଆଜି ୨୦୦ରୁ ଅଧିକ ଆଦିବାସୀ ଗୋଷ୍ଠୀ ସେମାନଙ୍କର ସାଂସ୍କୃତିକ ବିବିଧତା କାରଣରୁ ସମଗ୍ର ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ଏବଂ ୧୯୫ରୁ ଅଧିକ ଉପଭାଷା ଏବଂ ଭାଷା ଉତ୍ତର-ପୂର୍ବାଞ୍ଚଳକୁ ବିଶ୍ୱର ୩୬ଟି ଜୈବ ବିବିଧତା ହଟସ୍ପଟ୍ ମଧ୍ୟରୁ ଅନ୍ୟତମ କରିବାରେ ଯୋଗଦାନ ଦେଇଛନ୍ତି ।
କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ କେବଳ ଉତ୍ତର-ପୂର୍ବାଞ୍ଚଳରେ ବିଭିନ୍ନ ପ୍ରକାର ବନ୍ୟଜନ୍ତୁ ଓ ଜଳସମ୍ପଦ ସହିତ ୭୫୦୦ରୁ ଅଧିକ ପ୍ରଜାତିର ଫୁଲ ରହିଛି। ଏହି ପ୍ରାକୃତିକ ବିବିଧତାକୁ ସଂରକ୍ଷଣ କରିବା ଏବଂ ଏହି ଅଞ୍ଚଳକୁ ଏକ ପସନ୍ଦର ପର୍ଯ୍ୟଟନ ସ୍ଥଳୀରେ ପରିଣତ କରିବା ପାଇଁ ମୋଦୀ ସରକାର ଗତ ୧୦ ବର୍ଷ ଧରି ଗୁରୁତ୍ୱପୂର୍ଣ୍ଣ ପ୍ରୟାସ କରିଛନ୍ତି।
କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ ଉତ୍ତର-ପୂର୍ବରେ ଶାନ୍ତି ପ୍ରତିଷ୍ଠା ପାଇଁ ମୋଦୀ ସରକାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପନ୍ନ କରିଛନ୍ତି। ଗତ ୧୦ ବର୍ଷ ମଧ୍ୟରେ ଅନେକ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହୋଇଛି ଏବଂ ପ୍ରାୟ ୧୦୫୭୪ ସଶସ୍ତ୍ର ଯୁବକ ଆତ୍ମସମର୍ପଣ କରି ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି, ଉତ୍ତର-ପୂର୍ବାଞ୍ଚଳରେ ଶାନ୍ତି ଆଣିଛନ୍ତି ଏବଂ ବିକାଶର ମୂଳଦୁଆ ପକାଇଛନ୍ତି। ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ସମଗ୍ର ଦେଶ ଏବଂ ବିଶ୍ୱ ଏବେ ମୋଦିଙ୍କ ‘ଅଷ୍ଟଲକ୍ଷ୍ମୀ’ର ଧାରଣାକୁ ଗ୍ରହଣ କରୁଛି ।
କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ଆଜି ସମଗ୍ର ଦେଶ ପ୍ରତ୍ୟେକ ବ୍ୟକ୍ତି ଏବଂ ଉତ୍ତର-ପୂର୍ବର ରାଜ୍ୟମାନଙ୍କ ପାଇଁ ସମୃଦ୍ଧି ଚାହୁଁଛି ଯାହା ଦ୍ୱାରା ଉତ୍ତର-ପୂର୍ବ ଦେଶର ବିକାଶରେ ଯୋଗଦାନ ଜାରି ରଖିବ । ମୋଦୀ ସରକାରଙ୍କ ୧୦ ବର୍ଷରେ ଏଭଳି ବିବିଧତା ସହ ବିକାଶ ପଥରେ ଆଗକୁ ବଢିବା ପାଇଁ ସବୁ ପ୍ରକାର ଭିତ୍ତିଭୂମି ନିର୍ମାଣ ପାଇଁ ପ୍ରୟାସ କରାଯାଇଛି ବୋଲି ସେ କହିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ଏହି ଭିତ୍ତିରେ ବିକାଶର ଏକ ମଜଭୁତ, ଉଚ୍ଚ ଏବଂ ସାମଗ୍ରିକ ଢାଞ୍ଚା ନିର୍ମାଣ କରିବାର ସମୟ ଆସିଛି । ସେ କହିଛନ୍ତି ଯେ ସରକାର ସର୍ବଦା ଉତ୍ତର-ପୂର୍ବାଞ୍ଚଳକୁ ପ୍ରାଥମିକତା ଦେଇ ଆସୁଛନ୍ତି ଏବଂ ମୋଦୀ ସରକାରଙ୍କ ଲକ୍ଷ୍ୟ ହେଉଛି ଏହି ଅଞ୍ଚଳର ବିକାଶର ଗତିକୁ ତ୍ୱରାନ୍ୱିତ କରି ଅବିଶିଷ୍ଟ ଭାରତ ସହିତ ସମକକ୍ଷ କରିବା । ଶ୍ରୀ ଶାହ ଉଲ୍ଲେଖ କରିଥିଲେ ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ ଡିଓଏନଇଆର (ଉତ୍ତର-ପୂର୍ବାଞ୍ଚଳ ବିକାଶ) ମନ୍ତ୍ରଣାଳୟ ପ୍ରତିଷ୍ଠା କରାଯାଇଥିଲା । ମୋଦି ଜୀ ସମଗ୍ର କ୍ୟାବିନେଟକୁ ଉତ୍ତର-ପୂର୍ବ ଗସ୍ତ କରାଇ ସେଠାରେ ରାତ୍ରିଯାପନ କରିବାକୁ ଅନୁରୋଧ କରିଥିଲେ, ଯାହାଫଳରେ କେନ୍ଦ୍ର ମନ୍ତ୍ରୀମାନେ ଏହି ଅଞ୍ଚଳରେ ୭୦୦ ରାତିରୁ ଅଧିକ ସମୟ ବିତାଇଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ନିଜେ ୬୫ ଥର ଉତ୍ତର-ପୂର୍ବ ଗସ୍ତ କରିଛନ୍ତି ଏବଂ ପ୍ରତ୍ୟେକ ଗସ୍ତ ସମୟରେ ସେ ଏହି ଅଞ୍ଚଳ ପାଇଁ ବିକାଶମୂଳକ ଉପହାର ଆଣିଛନ୍ତି।
ଅମିତ ଶାହ କହିଛନ୍ତି ଯେ ଉତ୍ତର-ପୂର୍ବର ସଂସ୍କୃତିକୁ ବଜାୟ ରଖିବାରେ ମୋଦୀ ସରକାର କୌଣସି ସୁଯୋଗ ଛାଡ଼ି ନାହାନ୍ତି। ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ଉତ୍ତର-ପୂର୍ବର ସବୁଠାରୁ ଅଧିକ ଭାଷାକୁ ଅନ୍ତର୍ଭୁକ୍ତ କରିବା ପାଇଁ ମୋଦୀ ସରକାର କାର୍ଯ୍ୟ କରିଥିଲେ ବୋଲି ସେ ଉଲ୍ଲେଖ କରିଥିଲେ । ଶ୍ରୀ ଶାହ କହିଛନ୍ତି ଯେ ବିଭିନ୍ନ ଶାନ୍ତି ଚୁକ୍ତିରେ କେନ୍ଦ୍ର ସରକାର କେବଳ ଉତ୍ତର-ପୂର୍ବର ବିଭିନ୍ନ ଉପଭାଷାକୁ ସଶକ୍ତ ଏବଂ ସଂରକ୍ଷିତ କରିନାହାଁନ୍ତି ବରଂ ଏହି ଅଞ୍ଚଳର ସ୍ଥାନୀୟ ଭାଷାରେ ପ୍ରାଥମିକ ଶିକ୍ଷା ପ୍ରଦାନ କରିବାକୁ ମଧ୍ୟ ସମର୍ଥନ କରିଛନ୍ତି । ଏହା ଦ୍ୱାରା ଆମ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ବହୁ ମାତ୍ରାରେ ଉପକୃତ ହୋଇଛି। ଏବେ ଉତ୍ତର-ପୂର୍ବାଞ୍ଚଳର ବିକାଶ ମାଧ୍ୟମରେ ଦେଶର ୫ ଟ୍ରିଲିୟନ ଡଲାର ଅର୍ଥନୀତି ରେ ପରିଣତ ହେବାର ପ୍ରୟାସକୁ ଏକ ବଡ଼ ପ୍ରୋତ୍ସାହନ ଦେବାର ସମୟ ଆସିଛି ବୋଲି ସେ ଉଲ୍ଲେଖ କରିଛନ୍ତି। ଏଥିପାଇଁ ଡିଓଏନଆର ମନ୍ତ୍ରଣାଳୟ ଏବଂ ଉତ୍ତର-ପୂର୍ବ ପରିଷଦ (ଏନଇସି) “ଆକ୍ଟ ଇଷ୍ଟ, ଆକ୍ଟ ଫାଷ୍ଟ ଏବଂ ଆକ୍ଟ ଫାଷ୍ଟ” ମନ୍ତ୍ରକୁ କାର୍ଯ୍ୟକାରୀ କରିବା ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି।
କେନ୍ଦ୍ର ଗୃହମନ୍ତ୍ରୀ କହିଲେ ଯେ ଗତ ୫୦ ବର୍ଷ ମଧ୍ୟରେ ଏନଇସି ଆହ୍ୱାନର ଆକାଂକ୍ଷା, ଆବଶ୍ୟକତା ଏବଂ ସମ୍ଭାବ୍ୟ ସମାଧାନ ଉପରେ ଆଲୋଚନା କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିଛି ଏବଂ ଉତ୍ତର-ପୂର୍ବର ବିକାଶ ପାଇଁ ବ୍ଲୁପ୍ରିଣ୍ଟ ପାଲଟିବା ପାଇଁ କାର୍ଯ୍ୟ କରିଛି | ସେ କହିଲେ ଯେ ଭାରତ ସରକାର ଏବଂ ଉତ୍ତର-ପୂର୍ବାଞ୍ଚଳର ରାଜ୍ୟମାନଙ୍କ ନୀତିକୁ ସମନ୍ୱିତ କରିବାରେ ଏନଇସି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ତୃଣମୂଳ ସ୍ତରରେ ବିକାଶ ଯେପରି ପହଞ୍ଚିବ ତାହା ସୁନିଶ୍ଚିତ କରିବା। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିକାଶ ଯୋଜନା ପ୍ରସ୍ତୁତ କରିବା, ବିଭିନ୍ନ ଆଦିବାସୀ ଗୋଷ୍ଠୀକୁ ବିକାଶ ସହିତ ଯୋଡ଼ିବା ଏବଂ ସମଗ୍ର ଅଞ୍ଚଳକୁ ଏକ ନିଆରା ଦୃଷ୍ଟିକୋଣରୁ ଦେଖି ଉତ୍ତର-ପୂର୍ବାଞ୍ଚଳର ବିକାଶକୁ ରୂପରେଖ ଦେବା ପାଇଁ ଏନଇସି ଦାୟୀ।
ଅମିତ ଶାହ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀ ଏକ ସକାରାତ୍ମକ ଇକୋସିଷ୍ଟମ ସୃଷ୍ଟି କରିଛନ୍ତି ଏବଂ ଏହା ଆଧାରରେ ରାଜ୍ୟ ଏବଂ ଡିଓଏନଆର ମନ୍ତ୍ରଣାଳୟ ନିବେଶ ବ୍ୟବସ୍ଥାରେ ଉନ୍ନତି ଆଣିବା ଆବଶ୍ୟକ । ସେ କହିଛନ୍ତି ଯେ ଏହି ଅଞ୍ଚଳରୁ ଯୋଗାଯୋଗ ଆଉ ସମସ୍ୟା ହୋଇ ରହିବ ନାହିଁ ଏବଂ କିଛି ଦିନ ମଧ୍ୟରେ ବିଶ୍ୱ ସହିତ ଯୋଗାଯୋଗ ମଧ୍ୟ ଆଉ ପ୍ରସଙ୍ଗ ହେବ ନାହିଁ । ସେ କହିଛନ୍ତି ଯେ ବାଂଲାଦେଶ ଏନକ୍ଲେଭସ୍ ଏକ୍ସଚେଞ୍ଜ ପରେ ଉତ୍ତର-ପୂର୍ବାଞ୍ଚଳକୁ ବିଶ୍ୱ ସହ ଯୋଡ଼ିବାର ଆମର ଲକ୍ଷ୍ୟ ଖୁବ୍ ଶୀଘ୍ର ହାସଲ ହେବ। ଏହା ଉତ୍ତର-ପୂର୍ବାଞ୍ଚଳର ଶିଳ୍ପ ଇକୋସିଷ୍ଟମକୁ ସୁଦୃଢ଼ କରିବ ଏବଂ ଏଠାରେ ନିବେଶ କରୁଥିବା ଲୋକଙ୍କ ପାଇଁ ବିଶ୍ୱ ବଜାରକୁ ମଧ୍ୟ ଖୋଲିବ ବୋଲି ସେ ଉଲ୍ଲେଖ କରିଛନ୍ତି। ଏଥିପାଇଁ ପ୍ରତ୍ୟେକ ରାଜ୍ୟ ନିଜ ନିଜ ପ୍ରୟାସକୁ ସୁଦୃଢ଼ କରିବା ଦରକାର ବୋଲି ଶ୍ରୀ ଶାହ ଗୁରୁତ୍ୱାରୋପ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ସରକାର ସମସ୍ତ ନିବେଶକଙ୍କୁ ଉତ୍ତର-ପୂର୍ବରେ ନିବେଶ କରିବାକୁ ପ୍ରୋତ୍ସାହିତ କରୁଛନ୍ତି ।
କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ ନିକଟରେ କେନ୍ଦ୍ର କ୍ୟାବିନେଟ୍ ସେମିକଣ୍ଡକ୍ଟର ଏବଂ ଡିସପ୍ଲେ ଉତ୍ପାଦନ ଇକୋସିଷ୍ଟମର ବିକାଶ ପାଇଁ ଉତ୍ତର-ପୂର୍ବାଞ୍ଚଳରେ ତିନୋଟି ସେମିକଣ୍ଡକ୍ଟର ୟୁନିଟ୍ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛି। ସେଥିମଧ୍ୟରୁ ଟାଟା ସେମିକଣ୍ଡକ୍ଟର ଆସେମ୍ବଲି ଏବଂ ଟେଷ୍ଟ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ ୟୁନିଟ୍ ଆସାମରେ ପାଖାପାଖି ୨୭,୦୦୦ କୋଟି ଟଙ୍କା ବିନିଯୋଗରେ ପ୍ରତିଷ୍ଠା ହେବ, ଯାହା କି ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ପୁଞ୍ଜିନିବେଶ ହେବ। ଏହାଦ୍ୱାରା ୨୦,୦୦୦ ପ୍ରତ୍ୟକ୍ଷ ନିଯୁକ୍ତି ଓ ୬୦,୦୦୦ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଶ୍ରୀ ଶାହ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଭବିଷ୍ୟତର ସମ୍ଭାବନାକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଯୁବପିଢ଼ିଙ୍କୁ ପ୍ରାସଙ୍ଗିକ ଶିକ୍ଷା ଓ ଜ୍ଞାନରେ ସଶକ୍ତ କରିବା ପାଇଁ ଉତ୍ତର-ପୂର୍ବାଞ୍ଚଳର ବିଶ୍ୱବିଦ୍ୟାଳୟମାନଙ୍କ ସହଯୋଗରେ ପାଠ୍ୟକ୍ରମ ପ୍ରସ୍ତୁତ କରୁଛି। ଏହା ଦ୍ୱାରା ଉତ୍ତର-ପୂର୍ବର ସମସ୍ତ ୮ଟି ରାଜ୍ୟରେ ଯୁବବର୍ଗଙ୍କ ପାଇଁ ବହୁ ସଂଖ୍ୟକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।
ଅମିତ ଶାହ କହିଥିଲେ ଯେ ଉତ୍ତର-ପୂର୍ବାଞ୍ଚଳ ପାଇଁ ଶିଳ୍ପ ପୁଞ୍ଜିନିବେଶ ଆକୃଷ୍ଟ କରିବା ଗୁରୁତ୍ୱପୂର୍ଣ୍ଣ ଏବଂ ଏହାକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରୟାସକୁ ଗତି ଦେବାର ଆବଶ୍ୟକତା ରହିଛି । ସେ ଉଲ୍ଲେଖ କରିଥିଲେ ଯେ କେବଳ ଏହି ଅଞ୍ଚଳ ଏବଂ ରାଜ୍ୟଗୁଡ଼ିକର ବିକାଶ ଦ୍ୱାରା ଉତ୍ତର-ପୂର୍ବ ଶାନ୍ତିପୂର୍ଣ୍ଣ ରହିପାରିବ ନାହିଁ; ବ୍ୟକ୍ତି, ଗ୍ରାମ ଓ ରାଜ୍ୟର ବିକାଶରେ ସନ୍ତୁଳନ ରହିବା ଆବଶ୍ୟକ। ବ୍ୟକ୍ତିବିଶେଷଙ୍କ ବିକାଶ ପାଇଁ ଗାଁର ବିକାଶ ସୁନିଶ୍ଚିତ ହେବା ଆବଶ୍ୟକ ଏବଂ ଏହାକୁ ହାସଲ କରିବା ପାଇଁ ଶିଳ୍ପ ବିକାଶ ସହିତ ଏହି ଅଞ୍ଚଳକୁ ଦୁଗ୍ଧ, ପନିପରିବା, ଅଣ୍ଡା, ମାଛ ଓ ମାଂସ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବାକୁ ପଡ଼ିବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ ଜୈବିକ ଉତ୍ପାଦ, କ୍ଷୀର, ପନିପରିବା, ଅଣ୍ଡା ଏବଂ ଏହିପରି ଜିନିଷ ହିଁ ଏହି ଅଞ୍ଚଳରେ ବ୍ୟକ୍ତିଗତ ବିକାଶକୁ ପ୍ରୋତ୍ସାହିତ କରିପାରିବ ଏବଂ ଯେପର୍ଯ୍ୟନ୍ତ ପ୍ରତ୍ୟେକ ବ୍ୟକ୍ତି ସମୃଦ୍ଧ ନ ହୋଇଛନ୍ତି, ସେ ପର୍ଯ୍ୟନ୍ତ ଏକ ସମୃଦ୍ଧ ଉତ୍ତର-ପୂର୍ବର ସ୍ୱପ୍ନ ସାକାର ହୋଇପାରିବ ନାହିଁ ।
କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ସମଗ୍ର ଉତ୍ତର-ପୂର୍ବରେ ପ୍ରାକୃତିକ ଭାବେ ଜୈବିକ ଚାଷ ହୋଇଥାଏ। ବୈଠକରେ ଉପସ୍ଥିତ ଥିବା ସମସ୍ତ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବମାନଙ୍କୁ ଭାରତ ସରକାରଙ୍କ ଦ୍ୱାରା ସ୍ଥାପିତ ଜାତୀୟ ସମବାୟ ଜୈବିକ ଲିମିଟେଡ୍ (ଏନସିଓଏଲ୍ )ରେ ଯୋଗ ଦେବାକୁ ସେ ଅନୁରୋଧ କରିଥିଲେ। ସମବାୟ ଜୈବିକ କୃଷିରେ ନିୟୋଜିତ ସମସ୍ତ କୃଷକଙ୍କୁ ଯୋଡ଼ିବା ଏବଂ ପ୍ୟାକେଜିଂ, ମାର୍କେଟିଂ ଏବଂ ରପ୍ତାନି ପାଇଁ ଭିତ୍ତିଭୂମି ନିର୍ମାଣ କରିବା ଏନସିଓଏଲର ଉଦ୍ଦେଶ୍ୟ। ସେ ଗୁରୁତ୍ୱାରୋପ କରିଥିଲେ ଯେ ସମସ୍ତ ରାଜ୍ୟ ଏନସିଓଏଲ ସହିତ ଚୁକ୍ତି କରିବା ଉଚିତ ଏବଂ ସେମାନଙ୍କ କୃଷକମାନଙ୍କୁ ଏଥିରେ ଯୋଡ଼ିବା ଉଚିତ, ଯାହାଦ୍ୱାରା ସେମାନଙ୍କର ଜୈବିକ ଉତ୍ପାଦ ବିଶ୍ୱ ବଜାରରେ ପହଞ୍ଚିପାରିବ । ଶ୍ରୀ ଶାହ ଆହୁରି ମଧ୍ୟ କହିଛନ୍ତି ଯେ ମୋଦୀ ସରକାର ଉତ୍ତର-ପୂର୍ବର ପ୍ରତ୍ୟେକ ରାଜ୍ୟ ଏବଂ ଆସାମ ଭଳି ବୃହତ ରାଜ୍ୟରେ ଗୋଟିଏ ଲେଖାଏଁ ଜୈବିକ ସାର୍ଟିଫିକେସନ୍ ଲ୍ୟାବ୍ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଦ୍ୱାରା ଉଭୟ ମୃତ୍ତିକା ଓ କୃଷି ଜାତ ଦ୍ରବ୍ୟପାଇଁ ନିର୍ଭରଯୋଗ୍ୟ ଜୈବିକ ପ୍ରମାଣପତ୍ର ସୁନିଶ୍ଚିତ ହେବ। ଅମୁଲ ଓ ଭାରତ ଭଳି ବ୍ରାଣ୍ଡ ଜରିଆରେ ଆମର ଉତ୍ପାଦ ବିଶ୍ୱ ବଜାରରେ ପହଞ୍ଚିପାରିବ ବୋଲି ସେ କହିଛନ୍ତି।
ଅମିତ ଶାହ କହିଛନ୍ତି ଯେ ଉତ୍ତର-ପୂର୍ବାଞ୍ଚଳରେ ପ୍ରତ୍ୟେକ ପ୍ରକାର ସଂଯୋଗ ମୋଦୀ ସରକାରଙ୍କ ପ୍ରାଥମିକତା। ସେ ଉଲ୍ଲେଖ କରିଥିଲେ ଯେ ମିଶନ ପାମ୍ ଅଏଲ ଉତ୍ତର-ପୂର୍ବର ସମସ୍ତ ରାଜ୍ୟର ବିକାଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାର୍ଗ ରେ ପରିଣତ ହେବାର ସମ୍ଭାବନା ରହିଛି । ଦେଶରେ ତୈଳବୀଜ ଉତ୍ପାଦନ କମ୍ ଏବଂ ଆମେ ଏବେ ବି ଖାଇବା ତେଲ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ନୁହଁ, କିନ୍ତୁ ମିଶନ ପାମ୍ ଅଏଲ ଆମକୁ ଏହି କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିପାରିବ ବୋଲି ସେ ଆଲୋକପାତ କରିଥିଲେ । ଶ୍ରୀ ଶାହା ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଉତ୍ତର-ପୂର୍ବରେ ୧୦ଟି ନୂତନ ତେଲ କଳ ବିକଶିତ କରିବାକୁ ପ୍ରସ୍ତାବ ରହିଛି।
କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ ମୋଦୀ ସରକାର ସୁରକ୍ଷା କ୍ଷେତ୍ରରେ ଏକ ବହୁମୁଖୀ ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଏବଂ ପ୍ରତ୍ୟେକ ରାଜ୍ୟ ପାଇଁ ଏକ ନିର୍ଦ୍ଦିଷ୍ଟ ରଣନୀତି ପ୍ରସ୍ତୁତ କରି ଆମେ ଗତ ୧୦ ବର୍ଷ ମଧ୍ୟରେ ଅଗ୍ରଗତି କରିଛୁ। ଏହି ରଣନୀତିର ଫଳସ୍ୱରୂପ ପୋଲିସ, ସେନା, ଆସାମ ରାଇଫଲ୍ସ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ) ଉତ୍ତର ପୂର୍ବରେ ଏକ ବହୁତ ଭଲ ବ୍ୟବସ୍ଥାକୁ ସଫଳତାର ସହ ପ୍ରତିଷ୍ଠା କରିପାରିଛନ୍ତି ବୋଲି ସେ ଉଲ୍ଲେଖ କରିଥିଲେ । ଶ୍ରୀ ଶାହ କହିଥିଲେ ଯେ ଗତ ୧୦ ବର୍ଷ ମଧ୍ୟରେ ଉତ୍ତର-ପୂର୍ବାଞ୍ଚଳରେ ହିଂସାତ୍ମକ ଘଟଣା ୭୧% ହ୍ରାସ ପାଇଛି ଏବଂ ସାଧାରଣ ନାଗରିକଙ୍କ ମୃତ୍ୟୁ ୮୬% ହ୍ରାସ ପାଇଛି। ପାଖାପାଖି ୧୦,୫୭୪ ବିଦ୍ରୋହୀ ଆତ୍ମସମର୍ପଣ କରିଛନ୍ତି ଏବଂ ଅନେକ ଶାନ୍ତି ଚୁକ୍ତି ଯୋଗୁଁ ଭାରତ ସରକାର ସମଗ୍ର ଉତ୍ତର-ପୂର୍ବରେ ଶାନ୍ତି ପ୍ରତିଷ୍ଠା କରିବାରେ ସଫଳ ହୋଇଛନ୍ତି।
ଅମିତ ଶାହ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀ ନିଶାମୁକ୍ତ ଭାରତ ପାଇଁ ଏକ ଅଭିଯାନ ଆରମ୍ଭ କରିଛନ୍ତି, ଯେଉଁଥିରେ ଉତ୍ତର-ପୂର୍ବର ଏକ ସ୍ୱତନ୍ତ୍ର ଦାୟିତ୍ୱ ରହିଛି, କାରଣ ଭାରତରେ ପ୍ରବେଶ କରୁଥିବା ନିଶାଦ୍ରବ୍ୟର ଏକ ପ୍ରମୁଖ ମାର୍ଗ ଉତ୍ତର-ପୂର୍ବର ରାଜ୍ୟ ଦେଇ ଯାଇଥାଏ । ଗତ ୬ ବର୍ଷ ମଧ୍ୟରେ ଏ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ ହୋଇଛି, କିନ୍ତୁ ଆମର ଗତି ଏପର୍ଯ୍ୟନ୍ତ ଯଥେଷ୍ଟ ନୁହେଁ ବୋଲି ସେ ଉଲ୍ଲେଖ କରିଛନ୍ତି। ବୈଠକରେ ଉପସ୍ଥିତ ଥିବା ସମସ୍ତ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲା ମନିଟରିଂ କମିଟିର ଜିଲ୍ଲାସ୍ତରୀୟ ବୈଠକ ଆୟୋଜନ ଉପରେ ଗୁରୁତ୍ୱ ଦେବା ସହ ଏହାର ପ୍ରଭାବଶାଳୀ ତଦାରଖ ସୁନିଶ୍ଚିତ କରିବାକୁ ଗୃହମନ୍ତ୍ରୀ ଅନୁରୋଧ କରିଥିଲେ। ସେ କହିଥିଲେ ଯେ ନିଶା ଭବିଷ୍ୟତ ପିଢ଼ିକୁ ନଷ୍ଟ କରିଦିଏ ଏବଂ ଭାରତକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବା ଆମର ଲକ୍ଷ୍ୟ, ଏହି ଅଭିଯାନରେ ଉତ୍ତର-ପୂର୍ବ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ।
କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ଉତ୍ତର-ପୂର୍ବର ସମସ୍ତ ରାଜ୍ୟରେ ତିନୋଟି ନୂତନ ଅପରାଧିକ ଆଇନକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତୁତି ଚାଲିଛି। ଏହି ଆଇନଗୁଡ଼ିକ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହେବା ପରେ ସୁପ୍ରିମ୍ କୋର୍ଟରେ ପହଞ୍ଚୁଥିବା ସବୁଠାରୁ ଜଟିଳ ମାମଲାରେ ମଧ୍ୟ ତିନି ବର୍ଷ ମଧ୍ୟରେ ନ୍ୟାୟ ପ୍ରଦାନ କରାଯିବ ବୋଲି ସେ ଉଲ୍ଲେଖ କରିଛନ୍ତି। ସେ ଦର୍ଶାଇଛନ୍ତି ଯେ ବର୍ଷ ବର୍ଷ ଧରି ସବୁ ରାଜ୍ୟରେ ପୋଲିସର ଫୋକସ କେବଳ ବିଦ୍ରୋହ ଓ ହିଂସାର ମୁକାବିଲା ଉପରେ ରହିଥିଲା । କିନ୍ତୁ ଏବେ ଉତ୍ତର-ପୂର୍ବାଞ୍ଚଳରେ ହିଂସା ପ୍ରାୟ ବନ୍ଦ ହୋଇଯାଇଥିବାରୁ ଏହି ଅଞ୍ଚଳର ପ୍ରତ୍ୟେକ ନାଗରିକଙ୍କୁ ସମ୍ପତ୍ତି, ସମ୍ମାନ ଓ ପାରିବାରିକ ସୁରକ୍ଷା ର ସାମ୍ବିଧାନିକ ଅଧିକାର ପ୍ରଦାନ କରିବାର ସମୟ ଆସିଛି, ଯାହା କି ଏହି ତିନୋଟି ଆଇନରେ ଅନ୍ତର୍ଭୁକ୍ତ।
ଉତ୍ତର-ପୂର୍ବ ପୁଲିସର ଆଭିମୁଖ୍ୟ ଓ ଦିଗ ବଦଳାଇବାର ସମୟ ଆସିଛି ବୋଲି ଗୃହମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଯେ ଏହି ଅଞ୍ଚଳରେ ଶାନ୍ତି ବଜାୟ ରହିଥିବାରୁ ନାଗରିକମାନଙ୍କୁ ସେମାନଙ୍କର ନ୍ୟାର୍ଯ୍ୟ ଅଧିକାର ସୁନିଶ୍ଚିତ କରିବା ଉପରେ ଧ୍ୟାନ ଦିଆଯିବା ଉଚିତ୍ । ଏଥିପାଇଁ ଉତ୍ତର-ପୂର୍ବାଞ୍ଚଳର ପ୍ରତ୍ୟେକ ରାଜ୍ୟରେ ପୁଲିସର ଆଭିମୁଖ୍ୟ, ପ୍ରଶିକ୍ଷଣ ଓ ମନୋଭାବରେ ପରିବର୍ତ୍ତନ ର ଆବଶ୍ୟକତା ରହିଛି। ସେ ଉଲ୍ଲେଖ କରିଛନ୍ତି ଯେ ଏହି ପରିବର୍ତ୍ତନ ହାସଲ କରିବାର ପ୍ରାଥମିକତା ହେଉଛି ଏହି ଅଞ୍ଚଳର ସମସ୍ତ ରାଜ୍ୟରେ ଏହି ତିନୋଟି ନୂତନ ଆଇନର ସମ୍ପୂର୍ଣ୍ଣ ରୂପାୟନ ।
ଅମିତ ଶାହ ବୈଠକରେ ଉପସ୍ଥିତ ଥିବା ସମସ୍ତ ରାଜ୍ୟପାଳଙ୍କୁ ବ୍ୟକ୍ତିଗତ ଭାବେ ଏହି ପ୍ରକ୍ରିୟା ଉପରେ ନଜର ରଖିବାକୁ ଅନୁରୋଧ କରିଥିଲେ, କାରଣ ଏଫଆଇଆର ଦାଖଲ କରି ନାଗରିକମାନେ ନ୍ୟାୟ ପାଇପାରିବେ ବୋଲି ଉତ୍ତର-ପୂର୍ବାଞ୍ଚଳରେ ବିଶ୍ୱାସ ସ୍ଥାପନ କରିବା ଗୁରୁତ୍ୱପୂର୍ଣ୍ଣ । ସେ କହିଛନ୍ତି ଯେ ଚାରି ଦଶନ୍ଧି ଧରି ଉତ୍ତର-ପୂର୍ବର ସମସ୍ତ ରାଜ୍ୟରେ ପୋଲିସ ବାହିନୀ ସମ୍ପୂର୍ଣ୍ଣ ଭାବରେ ବିଦ୍ରୋହର ମୁକାବିଲା ଉପରେ ଧ୍ୟାନ ଦେଉଥିଲା ଏବଂ ବର୍ତ୍ତମାନ ଯେହେତୁ ବିଦ୍ରୋହ ଆଉ ଏକ ପ୍ରମୁଖ ପ୍ରସଙ୍ଗ ନୁହେଁ, ତେଣୁ ନାଗରିକମାନଙ୍କୁ ସେମାନଙ୍କ ଅଧିକାର ପ୍ରଦାନ ଉପରେ ଧ୍ୟାନ ଦେବା ଉଚିତ୍ । ଯଦି ଏହା ହାସଲ ହୁଏ, ତେବେ ଦେଶର ନାଗରିକମାନଙ୍କୁ ଦିଆଯାଇଥିବା ସାମ୍ବିଧାନିକ ଅଧିକାର ମଧ୍ୟ ଉତ୍ତର ପୂର୍ବାଞ୍ଚଳର ନାଗରିକମାନଙ୍କୁ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।
ଅମିତ ଶାହ କହିଛନ୍ତି ଯେ ପିଏମ-ଡିଭାଇନ୍ ଯୋଜନା ପାଇଁ ଆବଣ୍ଟନ ପ୍ରାୟ ୬୬୦୦ କୋଟି ଟଙ୍କା ଥିଲା, କିନ୍ତୁ ଖୁବଶୀଘ୍ର ଏହାକୁ ୯୦୦୦ କୋଟି ଟଙ୍କାକୁ ବୃଦ୍ଧି କରାଯିବ । ଉତ୍ତର-ପୂର୍ବାଞ୍ଚଳର ବିକାଶ ପାଇଁ ସଡ଼କ, ବିଦ୍ୟୁତ, ଶିକ୍ଷା, ସ୍ୱାସ୍ଥ୍ୟସେବା, କ୍ରୀଡ଼ା ଭିତ୍ତିଭୂମି ଓ ପର୍ଯ୍ୟଟନ ପ୍ରକଳ୍ପ ସମେତ ୧୧୧ରୁ ଅଧିକ ପ୍ରକଳ୍ପ ରହିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ୨୦୧୪-୧୫ ରୁ ଉତ୍ତର-ପୂର୍ବ ପାଇଁ ବଜେଟ୍ ୧୫୩% ବୃଦ୍ଧି ପାଇଛି ଏବଂ ବାଉଁଶ ମିଶନ ମାଧ୍ୟମରେ ସରକାର ସମଗ୍ର ଉତ୍ତର-ପୂର୍ବାଞ୍ଚଳକୁ ସମୃଦ୍ଧ କରିବା ପାଇଁ ଏକ ମହତ୍ୱାକାଂକ୍ଷୀ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଉତ୍ତର-ପୂର୍ବାଞ୍ଚଳର ପ୍ରତ୍ୟେକ ପ୍ରକାର ଯୋଗାଯୋଗ ପାଇଁ ମୋଦୀ ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ ଏବଂ ଏଥିପାଇଁ ବଜେଟ୍ ର ଅଭାବ ରହିବ ନାହିଁ ବୋଲି ଶ୍ରୀ ଶାହା ଗୁରୁତ୍ୱାରୋପ କରିଥିଲେ।
କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ କହିଛନ୍ତି ଯେ ରେଳ ସଂଯୋଗ ପାଇଁ ୮୧,୦୦୦ କୋଟି ଏବଂ ସଡ଼କ ଯୋଗାଯୋଗ ପାଇଁ ୪୧,୦୦୦ କୋଟି ଟଙ୍କାର ଯୋଜନା କରାଯାଇଛି। ୬୪ଟି ନୂଆ ବିମାନ ମାର୍ଗ ଆରମ୍ଭ କରାଯାଇଛି ଏବଂ ଅବଶିଷ୍ଟ କାର୍ଯ୍ୟ ଆସନ୍ତା ୩ ବର୍ଷ ମଧ୍ୟରେ ଶେଷ ହେବ ବୋଲି ସେ ଉଲ୍ଲେଖ କରିଛନ୍ତି। ଶ୍ରୀ ଶାହ ଗୁରୁତ୍ୱାରୋପ କରିଥିଲେ ଯେ ଉତ୍ତର-ପୂର୍ବର ରାଜ୍ୟଗୁଡ଼ିକ ଏନଇଏସଏସି (ନର୍ଥ ଇଷ୍ଟର୍ଣ୍ଣ ସ୍ପେସ୍ ଆପ୍ଲିକେସନ୍ ସେଣ୍ଟର)ର ସର୍ବାଧିକ ବ୍ୟବହାର କରିବା ଉଚିତ୍ । ଚ୍ୟାଲେଞ୍ଜିଂ ଭୌଗୋଳିକ ସ୍ଥିତି ଥିବା ଉତ୍ତର-ପୂର୍ବର ୮ଟି ରାଜ୍ୟର ବିକାଶ ପାଇଁ ଜ୍ଞାନକୌଶଳର ଉପଯୋଗ ନହେବା ପର୍ଯ୍ୟନ୍ତ ବିକାଶ ଉପରେ ଗୁରୁତ୍ୱ ଦିଆଯାଇ ପାରିବ ନାହିଁ ବୋଲି ସେ କହିଛନ୍ତି।
ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ବନ୍ୟା ସମସ୍ୟା ସମ୍ପର୍କରେ ଗୃହମନ୍ତ୍ରୀ କହିଛନ୍ତି ଯେ ପ୍ରାକୃତିକ ଗତିପଥରେ ରାସ୍ତା ନିର୍ମାଣ ପାଇଁ ଜ୍ଞାନକୌଶଳର ବ୍ୟବହାର ଦ୍ୱାରା ରାସ୍ତା ନିର୍ମାଣ ପାଇଁ ବଜେଟ୍ ଅତି କମରେ ୩୦% ହ୍ରାସ କରାଯାଇପାରିବ। ବନ୍ୟା ଜଳକୁ ଅନ୍ୟତ୍ର ସ୍ଥାନାନ୍ତର କରି ବଡ଼ ବଡ଼ ଜଳାଶୟ ସୃଷ୍ଟି କରି ବନ୍ୟା ନିବାରଣ, କୃଷି ଓ ପର୍ଯ୍ୟଟନ ଆଦି ତିନୋଟି ଲକ୍ଷ୍ୟ ହାସଲ କରାଯାଇପାରିବ ବୋଲି ସେ କହିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ଆସାମ ପରୀକ୍ଷାମୂଳକ ଭାବରେ ୧୫ଟି ବୃହତ ଜଳାଶୟ ସୃଷ୍ଟି କରାଯାଇଛି ଏବଂ ବନ୍ୟା ରିଲିଫ ଏବଂ ଜଳ ସଂରକ୍ଷଣ ପାଇଁ ସମସ୍ତ ରାଜ୍ୟ ଏହି ପଦ୍ଧତି ବ୍ୟବହାର କରିବା ଉଚିତ୍ । ଶ୍ରୀ ଶାହ ଆହୁରି ମଧ୍ୟ କହିଛନ୍ତି ଯେ ଜ୍ଞାନକୌଶଳର ବ୍ୟବହାର ଦୁର୍ନୀତିକୁ ହ୍ରାସ କରିବା ସହ ପ୍ରତ୍ୟକ୍ଷ ଲାଭ ସ୍ଥାନାନ୍ତର (ଡିବିଟି)କୁ ଆଗେଇ ନେବାରେ ସହାୟକ ହୋଇଥାଏ।
ଅମିତ ଶାହ କହିଛନ୍ତି ଯେ କେବଳ ଏକ ଶାନ୍ତିପୂର୍ଣ୍ଣ ଏବଂ ସମୃଦ୍ଧ ଉତ୍ତର-ପୂର୍ବାଞ୍ଚଳ ଯଥେଷ୍ଟ ନୁହେଁ। ଉତ୍ତର-ପୂର୍ବାଞ୍ଚଳର ସାଂସ୍କୃତିକ ବିବିଧତା, କଳା, ସାହିତ୍ୟ ଓ ଭାଷାର ସଂରକ୍ଷଣ ଏବଂ ସେମାନଙ୍କ ଅସ୍ତିତ୍ୱ ସୁନିଶ୍ଚିତ କରିବା କେବଳ ଉତ୍ତର-ପୂର୍ବାଞ୍ଚଳ ପାଇଁ ନୁହେଁ ବରଂ ସମଗ୍ର ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ଉତ୍ତର-ପୂର୍ବାଞ୍ଚଳର ରାଜ୍ୟଗୁଡ଼ିକ ସମ୍ମୁଖୀନ ହେଉଥିବା ପ୍ରତ୍ୟେକ ସମସ୍ୟାର ସମାଧାନ ପାଇଁ ସେମାନଙ୍କ ସହିତ ଛିଡ଼ା ହୋଇଛନ୍ତି ବୋଲି ସେ ଉଲ୍ଲେଖ କରିଥିଲେ। ୨୦୪୭ ସୁଦ୍ଧା ଭାରତ ସମ୍ପୂର୍ଣ୍ଣ ବିକଶିତ ହେବା ବେଳକୁ ଉତ୍ତର-ପୂର୍ବାଞ୍ଚଳ ଦେଶର ସବୁଠାରୁ ସମୃଦ୍ଧ ଅଞ୍ଚଳ ରେ ପରିଣତ ହେବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ।