ପ୍ରତିଶ୍ରୁତି ପୂରଣ କଲେ ପୁରୀ ସାଂସଦ ଡ଼ା ସମ୍ବିତ ପାତ୍ର: ଦିବ୍ୟାଙ୍ଗ ମେଧାବୀ ଛାତ୍ର ଚିନ୍ମୟଙ୍କୁ ଦେଲେ ସ୍କୁଟି

Published: Jan 4, 2025, 11:23 am IST

ଚିଲିକା: ଅପେକ୍ଷାର ଅନ୍ତ ଘଟିଛି। ବାରମ୍ବାର ପ୍ରଶାସନ ଠାରୁ ଆରମ୍ଭ କରି ଜନପ୍ରତିନିଧିଙ୍କୁ ଗାଡି ପାଇଁ ଅବଗତ କରାଇଥିଲେ, ଯାହା ଆଜି ସଫଳ ହୋଇଛି। ବାଲୁଗାଁ ଏନଏସି ଅନ୍ତର୍ଗତ ପାଟଣା ସାହି ବାସିନ୍ଦା ରମେଶ ସାହୁଙ୍କ ଏକ ମାତ୍ର ପୁଅ ଚିନ୍ମୟ ସାହୁ ଆଜନ୍ମ ଦିବ୍ୟାଙ୍ଗ। ୮୮ ପ୍ରତିଶତ ଦିବ୍ୟାଙ୍ଗ ରହିଥିବା ବେଳେ ଦୁଇ ଗୋଡ଼ ସମ୍ପୂର୍ଣ୍ଣ ଅକାମୀ ସାଙ୍ଗକୁ ଶରୀର ଅତି ଛୋଟ।

ବାଲୁଗାଁ ମହାବିଦ୍ୟାଳୟର କଳାରେ ଯୁକ୍ତ ତିନି ତୃତୀୟ ବର୍ଷ ଓଡ଼ିଆ ସମ୍ମାନରେ ଚିନ୍ମୟ ଅଧ୍ୟୟନ କରୁଥିବାବେଳେ ସେ ଜଣେ ମେଧାବୀ ଛାତ୍ର ସାଙ୍ଗକୁ ନିଜର ପାଠପଢା ଖର୍ଚ୍ଚ ପିଲାଙ୍କୁ ଟିଉସନ କରି ତୁଲାଉଛନ୍ତି। ହେଲେ କଲେଜ ଯିବା ଆସିବା ଠାରୁ ଆରମ୍ଭ କରି ଟିଉସନ ହେଉ ଅବା କେଉଁଠିକୁ ଯିବାକୁ ହେଲେ ଅନ୍ୟ ଉପରେ ନିର୍ଭର କରୁଛି ତ କେତେବେଳେ ନିଜ ଟ୍ରାଇ ସାଇକେଲରେ ଯାଆସ କରୁଛି। ଯାହାକି ଅନେକ ସମୟରେ ବିଳମ୍ବରେ ପହଁଚିବା ହେଉ ଅବା ଛୋଟ ଆକୃତି ଶରୀର ଯୋଗୁଁ ଟ୍ରାଇ ସାଇକେଲ ଚଳାଇବା କଷ୍ଟକର ହୋଇପଡୁଥିବା ବେଳେ ଏକ ଚାରି ଚକିଆ ସ୍କୁଟି ପାଇଁ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ସୁଦ୍ଧା ଏଥିପ୍ରତି କେହି ଦୃଷ୍ଟି ଦେଇନଥିବା ଚିନ୍ମୟ କହିଛନ୍ତି।

ଏନେଇ ବିଗତ ଛ ମାସ ପୂର୍ବେ ପ୍ରମେୟ ଖବର କାଗଜରେ ପ୍ରସାରଣ ହୋଇଥିଲା। ନିକଟରେ ବାଲୁଗାଁ ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସରେ ଅତିଥି ଭାବେ ଯୋଗ ଦେଇଥିବା ପୁରୀ ସାଂସଦ ଡ଼ା ସମ୍ବିତ ପାତ୍ରଙ୍କୁ ଚିନ୍ମୟ ସାକ୍ଷାତ କରି ନିଜର ଅକ୍ଷମତା ପ୍ରକାଶ କରିବା ପରେ ତୁରନ୍ତ ଏକ ସ୍କୁଟି ଯୋଗାଇ ଦେବାକୁ ଶ୍ରୀ ପାତ୍ର ପ୍ରତିଶ୍ରୁତି ଦେଇଥିଲେ।

ଫଳସ୍ୱରୂପ ଗତକାଲି ଅପରାହ୍ନରେ ଶ୍ରୀ ପାତ୍ର ଚିନ୍ମୟଙ୍କ ଘରକୁ ଆସି ସ୍କୁଟି ପ୍ରଦାନ କରିଛନ୍ତି।ଯାହାକୁ ନେଇ ଚିନ୍ମୟ ଆଗକୁ ଆହୁରି କଠିନ ପରିଶ୍ରମ କରି ଭବିଷ୍ୟତରେ ନିଜ ଗୋଡ଼ରେ ଛିଡା ହେବାସହ ସ୍କୁଟି ପାଇ ବେଶ ଖୁସି ଥିବା କହିଛନ୍ତି।

Related posts