
ଭୁବନେଶ୍ଵର: କେନ୍ଦ୍ର ସରକାରଙ୍କ ହସ୍ତ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ନବରଙ୍ଗପୁର ଜିଲ୍ଲାର ପାରମ୍ପରିକ ଲାଖ ହସ୍ତ ଶିଳ୍ପରେ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଜାତୀୟ ହସ୍ତ ଶିଳ୍ପ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ଗୁରୁ ଶିଷ୍ୟ ପରମ୍ପରା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଲାଖ କାରୁକାର୍ଯ୍ୟରେ ଦକ୍ଷତା ବିକାଶ ପାଇଁ ଏହି ତାଲିମ ପ୍ରଦାନ କରାଯାଉଛି। ଦୁଇ ମାସ ଧରି ଅନୁଷ୍ଠିତ ହେଉଥିବା ଏହି ତାଲିମ କାର୍ଯ୍ୟକ୍ରମରେ ୩୦ ମହିଳା ଲାଖ କାରିଗର ତାଲିମ ଗ୍ରହଣ କରିଛନ୍ତି। ତାଲିମ କାରିଗରଙ୍କୁ ମାସିକ ୭୫୦୦ ଟଙ୍କାର ଷ୍ଟାଇପେଣ୍ଡ ପ୍ରଦାନ କରାଯାଉଛି। ଲାଖ କାରିଗର ରୂପେ ରାଜ୍ୟ ପୁରସ୍କାର ପାଇଥିବା ପ୍ରଭାତୀ ପାତ୍ର ମାଷ୍ଟର କ୍ରାଫ୍ଟ ୱମାନ ରୂପେ ରାଲିମ ପ୍ରଦାନ କରୁଛନ୍ତି। ଦୈନିକ ୬ ଘଣ୍ଟା ତାଲିମ ପ୍ରଦାନ କରାଯାଉଛି।
ପାରମ୍ପରିକ ଲାଖ କାରୁକାର୍ଯ୍ୟ ସହ ଲାଖ ଉପରେ ବିଭିନ୍ନ ନୂତନ ନୂତନ ଡିଜାଇନ ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଛି। ବିଶେଷତଃ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ପାରମ୍ପରିକ ଖେଳନା ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରୁ ଥିବାରୁ ଏହି ତାଲିମରେ କାରିଗର ମାନେ ଖେଳଣା ପ୍ରସ୍ତୁତି ରେ ଗୁରୁତ୍ୱ ଦେଇଥିଲେ। ଏଥି ସହ ମାଟି ଗ୍ଲାସ ଓ କପ ଓ ଗିନା ରେ ଲାଖ କାମ ର ତାଲିମ ନେଇଛନ୍ତି।ମାଟି କିମ୍ବା ବାଉଁଶ ସାମଗ୍ରୀ ଉପରେ ଲାଖ କାରୁକାର୍ଯ୍ୟ ବି କଷ୍ଟ କର। ନିଆଁର ଧାସ ନିକଟରେ ରହି ହିଁ ଏହି ଲାଖ କାମ କରିହୁଏ। ଗଛରୁ ସଂଗୃହିତ ଲାଖକୁ ଧୋଇ ପାଛୁଡ଼ି ଶୁଖାଇବା ପରେ ତାକୁ କପଡା ରେ ବାନ୍ଧି ତରଳା ଯାଏ। ତରଳା ଲାଖ ଟେଳାରେ ରଙ୍ଗ ଦିଆଯାଇ ସେଥିରୁ ସରୁସରୁ ଲାଖର ତାର ବା କାଠି ପ୍ରସ୍ତୁତ ହୁଏ। ସେହି କାଠିରେ ହିଁ ବିଭିନ୍ନ ଡିଜାଇନ ତିଆରି କରାଯାଏ।ବିବାହ ରେ ଲାଖ ଚୁଡ଼ି ପିନ୍ଧିବାର ପରମ୍ପରା ଥିବାରୁ ସ୍ୱତନ୍ତ୍ର ଭାବେ ଚୁଡ଼ି ତିଆରି ହୁଏ। ଲାଖ ପେଟିଆ, କଳସ, କଇଁଛ ସହ ନୁଆଁ ନୁଆଁ ଡିଜାଇନ ର ସାମଗ୍ରୀ ପ୍ରସ୍ତୁତି ଏହି ତାଲିମ ରେ ଲାଖ କାରିଗର ଶିଖି ପାରିଛନ୍ତି।
ଏହି ତାଲିମରେ ନୂତନ ଡିଜାଇନ ସହ ଖେଳଣା ସାମଗ୍ରୀ ପ୍ରସ୍ତୁତ କରି ଲାଖ କାରିଗର ମାନେ ବେଶ ଖୁସି ହେବା ସହ ଏପରି ତାଲିମ ପ୍ରଦାନ କରାଗଲେ ସେମାନେ ଅଧିକ ଶିଖି ପାରିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି। ୩୦ଜଣ ମହିଳା କାରିଗର ଗୁରୁ ଶିଷ୍ୟ ପରମ୍ପରା କାର୍ଯ୍ୟକ୍ରମ ରେ ତାଲିମ ଗ୍ରହଣ କରି ଜ୍ଞାନ ଆହରଣ କରିବା ସହ ସେମାନଙ୍କ କୌଳିକ ବୃତ୍ତି କୁ ଆଗେଇ ନେଇପାରିବେ ବୋଲି ମାଷ୍ଟର କ୍ରାଫ୍ଟ ୱମାନ ପ୍ରଭାତୀ ପାତ୍ର ଆଶା ପ୍ରକାଶ କରିଛନ୍ତି। ନବରଙ୍ଗପୁରର ପରିଚୟ ଥିବା ଏହି ଲାଖ ଶିଳ୍ପକୁ ଏଭଳି ତାଲିମ କାର୍ଯ୍ୟକ୍ରମ ଏକ. ନୂତନ ଦିଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି।