
ନୂଆଦିଲ୍ଲୀ: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ନକ୍ସଲ ମୁକ୍ତ ଭାରତ ଗଠନ ଦିଗରେ ଏକ ବିଶାଳ ପଦକ୍ଷେପ ଗ୍ରହଣ କରି ଆମ ଦେଶ ବାମପନ୍ଥୀ ଉଗ୍ରବାଦ ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଥିବା ଜିଲ୍ଲା ସଂଖ୍ୟା ୧୨ରୁ ମାତ୍ର ୬କୁ ହ୍ରାସ କରି ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛି।
ସାମାଜିକ ଗଣମାଧ୍ୟମ ଏକ୍ସ ପୋଷ୍ଟରେ ଅମିତ ଶାହ କହିଛନ୍ତି ଯେ ମୋଦୀ ସରକାର ନକ୍ସଲବାଦ ପ୍ରତି କଠୋର ଆଭିମୁଖ୍ୟ ସହିତ ଏକ ସଶକ୍ତ, ସୁରକ୍ଷିତ ଏବଂ ସମୃଦ୍ଧ ଭାରତ ନିର୍ମାଣ କରୁଛନ୍ତି। ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ନକ୍ସଲବାଦକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରିବାକୁ ଭାରତ ସଂକଳ୍ପବଦ୍ଧ।
ଦେଶରେ ନକ୍ସଲ ପ୍ରଭାବିତ ଜିଲ୍ଲା ସଂଖ୍ୟା ୩୮ ଥିଲା। ଏମାନଙ୍କ ମଧ୍ୟରୁ ସର୍ବାଧିକ ପ୍ରଭାବିତ ଜିଲ୍ଲା ସଂଖ୍ୟା ୧୨ରୁ ୬କୁ ହ୍ରାସ ପାଇଛି, ସମ୍ବେଦନଶୀଳ ଜିଲ୍ଲା ସଂଖ୍ୟା ମଧ୍ୟ ୯ରୁ ୬କୁ ହ୍ରାସ ପାଇଛି ଏବଂ ଅନ୍ୟାନ୍ୟ ମାଓ ହିଂସା ପ୍ରଭାବିତ ଜିଲ୍ଲା ସଂଖ୍ୟା ମଧ୍ୟ ୧୭ରୁ ୬କୁ ହ୍ରାସ ପାଇଛି।
ସମୁଦାୟ ନକ୍ସଲ ପ୍ରଭାବିତ ଜିଲ୍ଲାଗୁଡ଼ିକ ମଧ୍ୟରୁ ସବୁଠୁ ଅଧିକ ପ୍ରଭାବିତ ଜିଲ୍ଲା ସଂଖ୍ୟା ୧୨ରୁ ୬କୁ ହ୍ରାସ ପାଇଛି, ଯେଉଁଥିରେ ଛତିଶଗଡ଼ର ୪ଟି ଜିଲ୍ଲା (ବିଜାପୁର, କାଙ୍କେର, ନାରାୟଣପୁର ଏବଂ ସୁକମା), ଝାଡ଼ଖଣ୍ଡର ୧ଟି (ପଶ୍ଚିମ ସିଂହଭୂମ) ଏବଂ ମହାରାଷ୍ଟ୍ର (ଗଡ଼ଚିରୋଲି)ର ଗୋଟିଏ ଜିଲ୍ଲା ଅନ୍ତର୍ଭୁକ୍ତ।
ସେହିପରି ସମୁଦାୟ ୩୮ଟି ପ୍ରଭାବିତ ଜିଲ୍ଲା ମଧ୍ୟରୁ ଗୁରୁତର ଭାବେ ପ୍ରଭାବିତ ଜିଲ୍ଲାବ୍ୟତୀତ ଅତିରିକ୍ତ ସମ୍ବଳ ଯୋଗାଇ ଦେବାକୁ ପଡ଼ୁଥିବା ଜିଲ୍ଲା ସଂଖ୍ୟା ୯ରୁ ୬କୁ ହ୍ରାସ ପାଇଛି। ଏହି ୬ଟି ଜିଲ୍ଲା ହେଲା ଆନ୍ଧ୍ରପ୍ରଦେଶ (ଅଲୁରି ସୀତାରାମ ରାଜୁ), ମଧ୍ୟପ୍ରଦେଶ (ବାଲାଘାଟ), ଓଡ଼ିଶା (କଳାହାଣ୍ଡି, କନ୍ଧମାଳ ଓ ମାଲକାନଗିରି) ଏବଂ ତେଲେଙ୍ଗାନା (ଭଦ୍ରାଦ୍ରି-କୋଠାଗୁଡେମ)।
ନକ୍ସଲବାଦ ବିରୋଧରେ ଲଗାତାର କାର୍ଯ୍ୟାନୁଷ୍ଠାନ ଯୋଗୁଁ ମାଓ ହିଂସା ପ୍ରଭାବିତ ଜିଲ୍ଲା ସଂଖ୍ୟା ମଧ୍ୟ ୧୭ରୁ ୬କୁ ହ୍ରାସ ପାଇଛି। ଏଥିରେ ଛତିଶଗଡ଼ (ଦାନ୍ତେଓ୍ଵାଡ଼ା, ଗରିଆବନ୍ଦ ଓ ମୋହଲା-ମାନପୁର-ଆମ୍ବାଗଡ଼ ଚୌକି), ଝାଡ଼ଖଣ୍ଡ (ଲାତେହାର), ଓଡ଼ିଶା (ନୂଆପଡ଼ା) ଏବଂ ତେଲେଙ୍ଗାନା (ମୁଲୁଗୁ) ଜିଲ୍ଲା ଅନ୍ତର୍ଭୁକ୍ତ।
ସର୍ବସାଧାରଣ ଭିତ୍ତିଭୂମିରେ ଥିବା ଅଭାବକୁ ପୂରଣ କରିବା ପାଇଁ ଭାରତ ସରକାର ସ୍ୱତନ୍ତ୍ର କେନ୍ଦ୍ରୀୟ ସହାୟତା (ଏସସିଏ) ନାମକ ଏକ ସ୍ୱତନ୍ତ୍ର ଯୋଜନା ଅଧୀନରେ ସର୍ବାଧିକ ପ୍ରଭାବିତ ଜିଲ୍ଲା ଏବଂ ସମ୍ବେଦନଶୀଳ ଜିଲ୍ଲାଗୁଡିକୁ ଯଥାକ୍ରମେ ୩୦ କୋଟି ଟଙ୍କା ଏବଂ ୧୦ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରନ୍ତି। ଏତଦ୍ ବ୍ୟତୀତ ଆବଶ୍ୟକତା ଅନୁଯାୟୀ ଏହି ଜିଲ୍ଲାଗୁଡ଼ିକ ପାଇଁ ସ୍ୱତନ୍ତ୍ର ପ୍ରକଳ୍ପ ମଧ୍ୟ ଯୋଗାଇ ଦିଆଯାଉଛି।
ବିଗତ ଏକ ବର୍ଷ ମଧ୍ୟରେ ବାମପନ୍ଥୀ ଉଗ୍ରବାଦ ସ୍ଥିତିରେ ଦ୍ରୁତ ଉନ୍ନତି ମୁଖ୍ୟତଃ ନକ୍ସଲ ପ୍ରଭାବିତ ଅଞ୍ଚଳରେ ନୂତନ ସୁରକ୍ଷା ଶିବିର ପ୍ରତିଷ୍ଠା ଏବଂ ସରକାରଙ୍କ ରାସ୍ତା ସମ୍ପ୍ରସାରଣ, ପରିବହନ ସୁବିଧା, ପାଣି, ବିଜୁଳି ଏବଂ ଅନ୍ୟାନ୍ୟ ଉନ୍ନୟନମୂଳକ ଯୋଜନା ତଥା ଗ୍ରାମବାସୀଙ୍କ ପାଖରେ ପହଂଚିବା ଭଳି ବିକାଶମୂଳକ କାର୍ଯ୍ୟ ଯୋଗୁଁ ସମ୍ଭବ ହୋଇପାରିଛି।