Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଟକ ଠାରେ ୯୦ ତମ ରାଜ୍ୟ ପୋଲିସ ପ୍ରତିଷ୍ଠା ଦିବସ ପାଳିତ
ଆଜିର ଖବର

କଟକ ଠାରେ ୯୦ ତମ ରାଜ୍ୟ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

April 1, 2025No Comments5 Mins Read
Share Facebook Twitter LinkedIn Email WhatsApp Copy Link

କଟକ: ଓଡ଼ିଶା ପୋଲିସର ମୂଳ ମନ୍ତ୍ର ହେଉଛି “ସେବା ଓ ସୁରକ୍ଷା”। ସମାଜର ଦୁର୍ବଳ ଶ୍ରେଣୀ, ଅବହେଳିତ, ନିଷ୍ପେସିତ, ମହିଳା ଓ ଶିଶୁଙ୍କୁ ଉପଯୁକ୍ତ ପୋଲିସ ସେବା ଯୋଗାଇ ଦେବା ଆମ ସମସ୍ତଙ୍କ ପ୍ରାଥମିକ କର୍ତ୍ତବ୍ୟ। ସେମାନଙ୍କୁ ଉପଯୁକ୍ତ ସୁରକ୍ଷା ଏବଂ ନ୍ୟାୟ ପ୍ରଦାନ କରିବାରେ ସମସ୍ତ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ମୁଖ୍ୟ  ଭୂମିକା ଗ୍ରହଣ କରିବେ ବୋଲି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଓଡିଶା ପୋଲିସର ୯୦ତମ ପୋଲିସ ପ୍ରତିଷ୍ଠା ଦିବସ ମହାସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି।

ଆଜି ପୂର୍ବାହ୍ନରେ ରିଜର୍ଭ ପୋଲିସ ପଡିଆ, ବକ୍ସିବଜାର, କଟକ ଠାରେ ଓଡିଶା ପୋଲିସର ୯୦ତମ ପୋଲିସ ପ୍ରତିଷ୍ଠା ଦିବସ ମହାସମାରୋହରେ ଡିଜିପି ଶ୍ରୀ ଖୁରାନିଆ ଆୟୋଜିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହ ପୋଲିସ ସେବାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ପୁରସ୍କୃତ କରିଥିଲେ। ମୁଖ୍ୟ ଅତିଥି ଡିଜିପି ପ୍ରଥମେ ସହିଦ ପୋଲିସ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସେମାନଙ୍କ ପରିବାର ବର୍ଗଙ୍କୁ ଶ୍ରଦ୍ଧା ଓ ସମବେଦନା ଜ୍ଞାପନ କରିଥିଲେ।

୧ ଏପ୍ରିଲ ୧୯୩୬ ମସିହାରେ ନୂତନ ଓଡିଶା ପ୍ରଦେଶ ଗଠନ ସହ ଓଡିଶା ପୋଲିସ ପ୍ରତିଷ୍ଠା ହୋଇଥିଲା। ଦୀର୍ଘ ୯୦ବର୍ଷର ଅତିକ୍ରମ ପଥରେ ଓଡିଶା ପୋଲିସ ବିଭିନ୍ନ ସମୟରେ  ସମସ୍ଯା ସମ୍ମୁଖୀନ ହେଉଥିଲେ ମଧ୍ୟ ପ୍ରତ୍ଯେକଥର ସଫଳତାର ସହିତ ସମସ୍ତ ସମସ୍ୟାର ମୁକାବିଲା କରି ଲୋକମାନଙ୍କୁ  ନିରନ୍ତର ସେବା ପ୍ରଦାନ କରିବାରେ ସଫଳ ହୋଇଛୁ ବୋଲି ଡିଜିପି ଶ୍ରୀ ଖୁରାନିଆ କହିଛନ୍ତି।

ପୋଲିସର ସୁବନ୍ଦୋବସ୍ତ ଯୋଗୁଁ ସର୍ବଭାରତୀୟ ପୋଲିସ ମହାନିର୍ଦ୍ଦେଶକ/ଆରକ୍ଷୀ ନିର୍ଦ୍ଦେଶକ ସମ୍ମିଳନୀ, ପୁରୀ ବେଳାଭୂମିରେ ଅନୁଷ୍ଠିତ ହୋଇଥିବା ଭାରତୀୟ ନୌସେନା ଦିବସ,  “୧୮ ତମ ପ୍ରବାସୀ ଭାରତୀୟ ଦିବସ”, ଏବଂ “ଉତ୍କର୍ଷ ଓଡିଶା – ୨୦୨୫”, ଭଳି ଗୁରୁତ୍ବପୂର୍ଣ୍ଣ କାର୍ଯକ୍ରମ ଶାନ୍ତିଶୃଙ୍ଖଳାର ସହିତ ସମାହିତ ହୋଇଥିଲା। ସେଥିପାଇଁ ଡିଜିପି ସମସ୍ତ ପୋଲିସ କର୍ମଚାରୀଙ୍କୁ  ସାଧୁବାଦ ଜଣାଇଥିଲେ।

ଆସନ୍ତା ୭ ରୁ ୧୫ ତାରିଖ ପର୍ଯନ୍ତ ଓଡ଼ିଶା ପୋଲିସ ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମ ଠାରେ ସର୍ବ ଭାରତୀୟ ପୋଲିସ ହକି ଚାମ୍ପିୟନସିପ ଆୟୋଜିତ ହେବାକୁ ଯାଉଛି। ଏହାକୁ  ଶୃଙ୍ଖଳିତ ଭାବେ  ଆୟୋଜନ ଓ ସୁପରିଚାଳନା ନିମନ୍ତେ  ସମସ୍ତେ ଯତ୍ନବାନ ହେବେ ବୋଲି ଡିଜିପି ନିଜ ଅଭିଭାଷଣରେ ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ଡିଜିପି ମାଓବାଦୀ ଦମନ କ୍ଷେତ୍ରରେ ଓଡିଶା ପୋଲିସର ଦଳଗତ ସଫଳତା ପାଇଁ ପୋଲିସ କର୍ମଚାରୀ ଓ ଅଧିକାରୀଙ୍କୁ ସାଧୁବାଦ ଜଣାଇଥିଲେ। ମାଓବାଦୀ ମୁକାବିଲା କ୍ଷେତ୍ରରେ ଓଡିଶା ପୋଲିସ ଉଚ୍ଚକୋଟିର ଦକ୍ଷତା ପ୍ରଦର୍ଶନ କରିଛି ବୋଲି ମତବ୍ୟକ୍ତ କରିଥିଲେ।

ନିଶାଦ୍ରବ୍ୟ ଚୋରା ଚାଲାଣ ବିରୋଧରେ ରାଜ୍ୟ ପୋଲିସ କଠୋର ପଦକ୍ଷେପ ନେଉଛି। ୨୦୨୫ ମସିହା ମାର୍ଚ୍ଚ ୩୧ ପର୍ଯ୍ଯନ୍ତ ୨୮୦ ଟି ମାମଲା ରୁଜୁ କରାଯାଇ ୧ ଲକ୍ଷ ୬  ହଜାର ୫ ଶହ କେଜିରୁ ଅଧିକ  ଗଞ୍ଜେଇ ଜବତ କରାଯିବା ସହ ୩୩୫ ଜଣଙ୍କୁ ଗିରଫ କରାଯାଇଛି। ସେହିପରି ଉପାନ୍ତ ଅଞ୍ଚଳରେ  ଗଞ୍ଜେଇ ଚାଷକୁ ରୋକିବା ପାଇଁ ମଧ୍ୟ  ରାଜ୍ୟ ପୋଲିସ ସ୍ଵତନ୍ତ୍ର ଅଭିଯାନ ଜାରି ରଖିଛି। ଚଳିତ ବର୍ଷ ରେକର୍ଡ ପରିମାଣର  ୩୦ ହଜାରରୁ ଅଧିକ ଏକର ଗଞ୍ଜେଇ ଚାଷକୁ ସଂପୂର୍ଣ୍ଣ ଭାବେ ନଷ୍ଟ କରାଯାଇଛି ବୋଲି ଡିଜିପି କହିଥିଲେ।

ସେହିପରି  ସାରା ରାଜ୍ୟରେ ବାଲି ମାଫିଆଙ୍କ ବିରୁଦ୍ଧରେ  ୧୪  ଶହରୁ ଅଧିକ  ମାମଲା ରୁଜୁ କରାଯାଇଥିବା ବେଳେ ୧୭ ଶହରୁ ଅଧିକ  ବାଲି ବୋଝେଇ ଟ୍ରକ, ଟ୍ରାକ୍ଟର, ଟିପ୍ପର ଓ ହାଇୱା ଜବତ କରାଯାଇଛି। ଏହାସହ ୭୫୬ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ବୋଲି ଡିଜିପି ମତବ୍ୟକ୍ତ କରିଥିଲେ।

ରାଜ୍ୟରେ ଅପରାଧ ନିୟନ୍ତ୍ରଣ ଓ ନିରାକରଣ ପାଇଁ  ରାଜ୍ୟ  ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଥାନା ଗୁଡିକୁ ଅଧିକ କ୍ରିୟାଶୀଳ ଏବଂ ପୋଲିସକୁ ଆହୁରି ଲୋକାଭିମୁଖୀ କରିବାକୁ  ସମସ୍ତ ଥାନାଗୁଡିକୁ  ଅତିରିକ୍ତ ଯାନ ହିସାବରେ ଦ୍ରୁତ ଗାମୀ ସ୍କର୍ପିଓ ଗାଡି, ପ୍ରତ୍ଯେକ ତଦନ୍ତକାରୀ ଅଧିକାରୀଙ୍କୁ ବୁଲେଟ ମଟର ସାଇକେଲ, ମହିଳା  ତଦନ୍ତକାରୀ ଅଧିକାରୀଙ୍କୁ ସ୍କୁଟି ଏବଂ ଅତ୍ୟାଧୁନିକ ଲାପଟପ, ସ୍ମାର୍ଟ ଫୋନ୍‌ ଏବଂ ଅନ୍ୟାନ୍ୟ ସରଞ୍ଜାମ ଯୋଗାଇ ଦେବାର ବ୍ୟବସ୍ଥା କରାଯାଉଛି  ବୋଲି ଡିଜିପି ନିଜ ଅଭିଭାଷଣରେ କହିଥିଲେ।

ରାଜ୍ୟ ପୋଲିସ ବିଭାଗରେ SI, ASI ଏବଂ Constable ପଦବୀ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି ବୋଲି ଡିଜିପି ମତବ୍ୟକ୍ତ କରିଥିଲେ। ନିଯୁକ୍ତି ପ୍ରକ୍ରିୟାକୁ ଆଗାମୀ ଦିନରେ ତ୍ୱରାନ୍ୱିତ କରାଯିବ ବୋଲି ସେ କହିଥିଲେ। Cyber Crime, Economic offence ଭଳି ଅନେକ ନୂଆ ନୂଆ ସମସ୍ଯା ପୋଲିସ ପାଇଁ challenge ସୃଷ୍ଟି କରୁଥିଲେ ମଧ୍ୟ  ଏହାକୁ ରୋକିବାରେ ରାଜ୍ୟ ପୋଲିସ ସଫଳ ହୋଇଛି ବୋଲି ସେ କହିଥିଲେ।

ପୋଲିସ ପ୍ରତିଷ୍ଠା ଦିବସ ଉପଲକ୍ଷେ ମାନ୍ୟବର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା  ବାର୍ତ୍ତାକୁ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଶ୍ରୀ ଦୟାଲ ଗଙ୍ଗୱାର ପାଠ କରିଥିଲେ।

ଡିଜିପି ଶ୍ରୀ ଖୁରାନିଆ ଦେଶର ଦ୍ଵିତୀୟ ଶ୍ରେଷ୍ଠ ଥାନା ଭାବେ ପୁରସ୍କୃତ ହୋଇଥିବା ଗଞ୍ଜାମ ଜିଲ୍ଲାର ପାଟପୁର ଥାନାର ଇନ୍ସପେକ୍ଟରଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କେନ୍ଦ୍ର ଗୃହ ମନ୍ତ୍ରୀ ଏବଂ କେନ୍ଦ୍ର ଗୃହ ସଚିବଙ୍କ ଦସ୍ତଖତ ଥିବା ସାର୍ଟିଫିକେଟକୁ ଡିଜିପି ପ୍ରଦାନ କରିଥିଲେ।

ଏହି ଅବସରରେ ତଦନ୍ତ କ୍ଷେତ୍ରରେ ଉତ୍କର୍ଷତା ନିମନ୍ତେ ଅତିରିକ୍ତ ଏସପି ପ୍ରଭାତ କୁମାର ବିଶ୍ଵାଳ, ଏସଡିପିଓ ପ୍ରଶାନ୍ତ କୁମାର ସାହୁ, ଇନ୍ସପେକ୍ଟର ଦୁର୍ଗେଶ ନନ୍ଦିନୀ ମହାନ୍ତି, ଡିଏସପି ମାନସ ରଞ୍ଜନ ପ୍ରଧାନଙ୍କୁ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ପଦକ ପ୍ରଦାନ କରାଯାଇଥିଲା।

ଏହା ପରେ ମୁଖ୍ୟ ଅତିଥି ଉଲ୍ଲେଖନୀୟ ପୋଲିସ ସେବା ପାଇଁ ପୋଲିସ ଅଧିକାରୀଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ଶ୍ରେଷ୍ଠ ଇନିସ୍ପେକ୍ଟର ରଶ୍ମିରଞ୍ଜନ ମହାପାତ୍ର , ଶ୍ରେଷ୍ଠ ଇନିସ୍ପେକ୍ଟର (ଅପରାଧ ଶାଖା) ରୀନା ବେହେରା, ଶ୍ରେଷ୍ଠ ଇନିସ୍ପେକ୍ଟର ସ୍ପେଶାଲ ବ୍ରାଞ୍ଚ (SIW) ଅରୁଣ କୁମାର ବେହେରା, ଶ୍ରେଷ୍ଠ ସବ-ଇନିସ୍ପେକ୍ଟର ଦେବଦତ୍ତ ସାମନ୍ତରାୟ , ଏସ.ଓ.ଜି ର ଶ୍ରେଷ୍ଠ ଟିମ ଲିଡର ଏସ.ଆଇ (ସଶସ୍ତ୍ର) ଦେବଜ୍ୟୋତି ପାତାଳସିଂ, ଶ୍ରେଷ୍ଠ ଏ.ଏସ.ଆଇ ଲାଲୁ  ହାଁସଦା , ଶ୍ରେଷ୍ଠ ହାବିଲଦାର କୃଷ୍ଣଚନ୍ଦ୍ର ନାୟକ, ଶ୍ରେଷ୍ଠ ଓ.ଆର କନେଷ୍ଟବଳ ଦୀପକ କୁମାର ତ୍ରିପାଠୀ, ଶ୍ରେଷ୍ଠ ଏ.ପି.ଆର କନେଷ୍ଟବଳ ଭକ୍ତ ବତ୍ସଳ ବେହେରା, ଶ୍ରେଷ୍ଠ ଟ୍ରାଫିକ କନେଷ୍ଟବଳ  ଲୀଳାବତୀ ମୁଣ୍ଡା , ଶ୍ରେଷ୍ଠ ଇନିସ୍ପେକ୍ଟର (ସଶସ୍ତ୍ର) ଏସ. କେ. ରହିମ ତୁଲ୍ଲା, ଶ୍ରେଷ୍ଠ ଏସ.ଆଇ (ସଶସ୍ତ୍ର) ଅମିୟ କୁମାର ନାୟକ, ଶ୍ରେଷ୍ଠ ଏ.ଏସ.ଆଇ (ସଶସ୍ତ୍ର) ତେଜ ବାହାଦୁର ଗୁରୁଙ୍ଗ, ଶ୍ରେଷ୍ଠ ହାବିଲଦାର (ସଶସ୍ତ୍ର) ଶ୍ଯାମ ବାହାଦୁର ରାଣା, ଶ୍ରେଷ୍ଠ ସିପାହୀ ଭାବେ ଅନିରୁଦ୍ଧ ଜେନାଙ୍କୁ ପୁରସ୍କୃତ କରଯାଇଥିଲା।

ଏହା  ସହ ସ୍ୱର୍ଗତଃ ଭ୍ରମରବର ସାହୁ ଓ ସ୍ୱର୍ଗତଃ ରାଜେନ୍ଦ୍ର ମୋହନ ପଟ୍ଟନାୟକ ସ୍ମାରକୀ ସାହସିକତା ପୁରସ୍କାର ପ୍ରଦାନ କରାଯାଇଥିଲା। କନେଷ୍ଟବଳ କାହ୍ନୁ ଚରଣ ବେହେରା, ଶୁଶୀଳ କହଁର, ସବ- ଇନ୍ସପେକ୍ଟର ସମ୍ବିତ କୁମାର ସ୍ଵାଇଁ, ମାଥ୍ୟୁ ପ୍ରଧାନଙ୍କୁ ସ୍ୱର୍ଗତଃ ଭ୍ରମରବର ସାହୁ ସ୍ମାରକୀ  ସାହସିକତା ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି କନେଷ୍ଟବଳ ବିବତ୍ସ ପ୍ରଧାନ, କମାଣ୍ଡୋ ସୁନୀଲ ବେହେରାଙ୍କୁ  ସ୍ୱର୍ଗତଃ ରାଜେନ୍ଦ୍ର ମୋହନ ପଟ୍ଟନାୟକ ସ୍ମାରକୀ ସାହସିକତା ପୁରସ୍କାର ପ୍ରଦାନ କରାଯାଇଥିଲା।

ସେହିପରି ଓଏସଏପି ଷଷ୍ଠ ବାଟାଲିୟନ, କଟକକୁ ଶ୍ରେଷ୍ଠ ବାଟାଲିୟନ ଭାବେ ପୁରସ୍କୃତ କରାଯାଇଥିଲା। ଶ୍ରେଷ୍ଠ ପରିବାର କଲ୍ୟାଣ କେନ୍ଦ୍ର ଭାବେ ଦ୍ୱିତୀୟ ସ୍ୱତନ୍ତ୍ର ସଶସ୍ତ୍ର ବାଟାଲିୟନ, ପରିବାର କଲ୍ୟାଣ କେନ୍ଦ୍ର , ଝାରସୁଗୁଡା (ପ୍ରଥମ), ଓଏସଏପି ଷଷ୍ଠ ବାଟାଲିୟନ, କଟକ (ଦ୍ୱିତୀୟ), ତୁଳସୀପୁର ପରିବାର କଲ୍ୟାଣ କେନ୍ଦ୍ର, କଟକ (ତୃତୀୟ)ଙ୍କୁ ପୁରସ୍କୃତ କରାଯାଇଥିଲ।। ଆଜିର ଆନୁଷ୍ଠାନିକ ପ୍ୟାରେଡରେ SOG, ଚନ୍ଦକା ଦଳ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ O.S.A.F ଦଳ ଦ୍ୱିତୀୟ ସ୍ଥାନ ଅଧିକାର କରି ଡିଜିପି ଶ୍ରୀ  ଖୁରାନିଆଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ।

ଆଜିର ଏହି ଆନୁଷ୍ଠାନିକ ପ୍ୟାରେଡରେ SOG, OSAP, IRB , UPD Cuttack (APR Women), UPD Cuttack (APR Men)/ Traffic Constable, UPD Cuttack, O.D.R.A.F, O.I.S.F, O.S.A.F ଓ Fire Service ଙ୍କୁ ନେଇ ସର୍ବମୋଟ ଦଶଟି (୧୦) ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ। ପ୍ୟାରେଡର ମୁଖ୍ୟ କମାଣ୍ତର ଶ୍ରୀ ଅନୁଗୁ ଶିବା ମାରୁଥି ରେଡ୍ଡି, ଆଇ. ପି. ଏସ୍ (ଅଣ୍ଡର ଟ୍ରେନିଂ)ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ୟାରେଡ ଅନୁଷ୍ଠିତ ହୋଇଥିଲ।। ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଦୟାଲ ଗଙ୍ଗୱାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରାଯାଇଥିଲା।

ଏହାପରେ କଟକସ୍ଥିତ ଆର.କେ ପାଢୀ ମେମୋରିଆଲ ହଲଠାରେ ୫୮ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ପଦକ ପ୍ରଦାନ କରାଯାଇଥିଲା। ଡିଆଇଜି (କାର୍ମିକ) ଯୁଗଳ କିଶୋର ବନୋଥ,ଏଆଇଜିପି (ଭିଜିଲାନ୍ସ) ମହେଶ୍ଵର ସେଠୀ, ଏସପି (କ୍ରାଇମ ବ୍ରାଞ୍ଚ) କୃଷ୍ଣ ପ୍ରସାଦ ପଟ୍ଟନାୟକ, ଅତିରିକ୍ତ ଏସପି (ଏସଡବ୍ଲୁ) ଶିଶିର କୁମାର ମିଶ୍ର, ଅତିରିକ୍ତ ଏସପି (ଭିଜିଲାନ୍ସ) ଅରୁଣ କୁମାର ନାୟକ, ଅତିରିକ୍ତ ଡିସିପି (ଏସଏସବି) ବାନାମ୍ବର ସେଠୀଙ୍କ  ସମେତ ଏସଓଜି ର ୧୯ ଜଣ, ସ୍ପେଶାଲ ବ୍ରାଞ୍ଚ ର ୦୭ ଜଣଙ୍କ ସମେତ ଅନ୍ୟାନ୍ୟ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ଡିଜିପି ପଦକ ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ପୋଲିସ ଅଧିକାରୀ, ସେବା ନିବୃତ୍ତ ଅଧିକାରୀ ପୋଲିସ କର୍ମଚାରୀ ଓ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗ ଦେଇଥିଲେ।

ଓଡିଶା ପୋଲିସ କଟକ ପ୍ରତିଷ୍ଠା ଦିବସ ରାଜ୍ୟ ପୋଲିସ ସେବା ଓ ସୁରକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ୟୁପିଆଇ ଯୋଗେ ଭାରତରେ ୮୫% ଓ ବିଦେଶରେ ପ୍ରାୟ ୫୦% କାରବାର

July 20, 2025

ସଂସଦର ମୌସୁମୀ ଅଧିବେସନ ହେବ ଆରମ୍ଭ, ଓଡିଶା ଛାତ୍ରୀ ନିର୍ଯ୍ୟାତନା ପ୍ରମୁଖ ପ୍ରସଂଗ ହେବ କି ?

July 20, 2025

କଚ୍ଛ ଯିବା ପାଇଁ ମୋଟରସାଇକେଲ ଚାଳକମାନଙ୍କୁ ଉତ୍ସାହିତ କରିବା ଦିଗରେ ପ୍ରୟାସକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

July 20, 2025

ରୁଷ-ୟୁକ୍ରେନ ଯୁଦ୍ଧ: ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶାନ୍ତି ଆଲୋଚନା ପାଇଁ ପ୍ରସ୍ତୁତ, ରଖିଲେ ଏହି ବଡ଼ ସର୍ତ୍ତ

July 20, 2025
Latest News

ୟୁପିଆଇ ଯୋଗେ ଭାରତରେ ୮୫% ଓ ବିଦେଶରେ ପ୍ରାୟ ୫୦% କାରବାର

July 20, 2025

ଭାରତ-ଚୀନ୍ ସୀମାରେ ଶାନ୍ତିର ସଙ୍କେତ! କୈଳାସ ମାନସରୋବର ଯାତ୍ରା ବିଷୟରେ ବଡ଼ କଥା କହିଲେ ଚୀନ୍ ରାଷ୍ଟ୍ରଦୂତ

July 20, 2025

ସଂସଦର ମୌସୁମୀ ଅଧିବେସନ ହେବ ଆରମ୍ଭ, ଓଡିଶା ଛାତ୍ରୀ ନିର୍ଯ୍ୟାତନା ପ୍ରମୁଖ ପ୍ରସଂଗ ହେବ କି ?

July 20, 2025

କଚ୍ଛ ଯିବା ପାଇଁ ମୋଟରସାଇକେଲ ଚାଳକମାନଙ୍କୁ ଉତ୍ସାହିତ କରିବା ଦିଗରେ ପ୍ରୟାସକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

July 20, 2025

ରୁଷ-ୟୁକ୍ରେନ ଯୁଦ୍ଧ: ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶାନ୍ତି ଆଲୋଚନା ପାଇଁ ପ୍ରସ୍ତୁତ, ରଖିଲେ ଏହି ବଡ଼ ସର୍ତ୍ତ

July 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.