Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୋରାପୁଟ ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଭୂମିପୂଜନ
ଆଜିର ଖବର

କୋରାପୁଟ ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଭୂମିପୂଜନ

July 5, 2025No Comments4 Mins Read
Share Facebook Twitter LinkedIn Email WhatsApp Copy Link

ସୁନାବେଡ଼ା/କୋରାପୁଟ: କୋରାପୁଟ ଜିଲ୍ଲାରେ ଅବସ୍ଥାପିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କେବଳ ଏକ ଅନୁଷ୍ଠାନ ନୁହେଁ ବରଂ କୋରାପୁଟ ଏବଂ ଜନଜାତି ଯୁବଶକ୍ତିଙ୍କ ପାଇଁ ସୁଯୋଗ ଓ ସମ୍ଭାବନାର ଏକ ନୂଆ ଦିଗନ୍ତ। ଭାରତ ସରକାର ଏହି ବିଶ୍ୱବିଦ୍ୟାଳୟର ସ୍ଥାୟୀ ଭିତ୍ତିଭୂମି ନିର୍ମାଣ ତଥା ନବକଳେବର ପାଇଁ ପ୍ରାୟ ୭୫୦ କୋଟି ଟଙ୍କା ନିବେଶ କରିଛନ୍ତି ବୋଲି ଶନିବାର ପବିତ୍ର ‘ବାହୁଡ଼ା ଯାତ୍ରା’ ଅବସରରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଭୂମିପୂଜନ କରିବା ଅବସରରେ କହିଛନ୍ତି  କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ(ସିୟୁଓ)ରେ ଶୈକ୍ଷିକ ଭିତ୍ତିଭୂମିର ବିକାଶ ପାଇଁ ପ୍ରାୟ ୪୮୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପଗୁଡ଼ିକ ପାଇଁ ଭୂମିପୂଜନ କରିବା ସହ ଅନ୍ୟାନ୍ୟ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ବିଶ୍ୱବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଅନେକ ସଂକଳ୍ପ ନେଇ ଆଗକୁ ବଢୁଛି। ଓଡିଶା ତଥା କୋରାପୁଟରେ ଗୁଣାତ୍ମକ ଶିକ୍ଷାର ପ୍ରସାର ତଥା ଭିତ୍ତିଭୂମି ବିକାଶ ପାଇଁ ଆଜି ଲୋକାର୍ପିତ ଓ ଭୂମିପୂଜନ ହୋଇଥିବା ପ୍ରକଳ୍ପ ଗୁଡ଼ିକ ଦ୍ୱାରା ଛାତ୍ରଛାତ୍ରୀମାନେ ବିଶେଷ ଭାବରେ ଉପକୃତ ହେବେ। ସେହିପରି ଓଡ଼ିଶାର ୬ଟି ଅଗ୍ରଣୀ କେନ୍ଦ୍ରୀୟ ଉଚ୍ଚ ଶିକ୍ଷାନୁଷ୍ଠାନ ମଧ୍ୟରେ ଐତିହାସିକ ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷରିତ ହେବା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ଶ୍ରୀ ପ୍ରଧାନ।

ସେ କହିଛନ୍ତି, ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟ, ଆଇଆଇଟି, ଭୁବନେଶ୍ୱର, ଏନଆଇଟି ରାଉରକେଲା, ଆଇଆଇଏମ, ସମ୍ବଲପୁର, ଆଇଜର,  ବ୍ରହ୍ମପୁର ଏବଂ ଶ୍ରୀସଦାଶିବ କ୍ୟାମ୍ପସ(କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ), ପୁରୀ ମଧ୍ୟରେ ଏମଓୟୁ ଜାତୀୟ ଶିକ୍ଷା ନୀତି -୨୦୨୦ର ଲକ୍ଷ୍ୟକୁ ପୂରଣ କରିବା ଦିଗରେ ସହାୟକ ହେବ। ବହୁମୁଖୀ ଶିକ୍ଷା, ଗବେଷଣା, ଏକାଡେମିକ୍ ବ୍ୟାଙ୍କ ଅଫ୍ କ୍ରେଡିଟ୍ ମାଧ୍ୟମରେ କ୍ରେଡିଟ୍ ସ୍ଥାନାନ୍ତର, ଯୁଗ୍ମ ଡିଗ୍ରୀ କାର୍ଯ୍ୟକ୍ରମ ଏବଂ ଭାରତୀୟ ଜ୍ଞାନ ପ୍ରଣାଳୀକୁ ପ୍ରୋତ୍ସାହନ ଦେବା ଦିଗରେ ଏହି ବୁଝାମଣା ବିଶେଷ ସହାୟକ ହେବ। ଜନଜାତି ସମୁଦାୟକୁ ସଶକ୍ତ କରିବା, ସ୍ଥାୟୀ ଏବଂ ଡିଜିଟାଲ୍ ଶିକ୍ଷାକୁ ପ୍ରୋତ୍ସାହିତ କରିବା, ନବସୃଜନ ଏବଂ ଉଦ୍ୟମିତାକୁ ସମର୍ଥନ କରିବା ଏବଂ ଶୈକ୍ଷିକ ଏବଂ ଗବେଷଣା ଭିତ୍ତିଭୂମିର ଆଦାନପ୍ରଦାନ ଦିଗରେ ଏହା ସ୍ୱାଗତଯୋଗ୍ୟ ପଦକ୍ଷେପ। ଆଜି ଏଠାରେ ଲୋକାର୍ପିତ ଓ ଭୂମିପୂଜନ ହୋଇଥିବା ପ୍ରକଳ୍ପ ସହ ଓଡ଼ିଶାର ଅଗ୍ରଣୀ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ସହ ସ୍ୱାକ୍ଷରିତ ହୋଇଥିବା ବୁଝାମଣା ପତ୍ର କୋରାପୁଟକୁ ଏକ ‘ବ୍ରାଣ୍ଡ୍ କୋରାପୁଟ’ରେ ପରିଣତ କରିବ।

ଶ୍ରୀ ପ୍ରଧାନ କହିଛନ୍ତି, ନୈସର୍ଗିକ ପ୍ରକୃତିର ଗନ୍ତାଘର କୋରାପୁଟରେ ଅପାର ସମ୍ଭାବନା ଅଛି। ମୌଳିକ ଚାଷ ସହ ଫଳ,ପନିପରିବା, ପଶୁପାଳନ, ଦୁଗ୍ଧ ଚାଷକୁ ପ୍ରୋତ୍ସାହନ ଦେବାର ଅନେକ ବିଷୟ କୋରାପୁଟ ସହ ଜଡ଼ିତ। ଏହି ଜିଲ୍ଲାରେ ବକ୍ସସାଇଟ୍ ଉତ୍ତୋଳନ ହେଉଥିବା ବେଳେ ଆଲୁମିନିୟମ ଓ ଅନେକ ଖଣିଜ ପଦାର୍ଥ ଉତ୍ପାଦନ ହେଉଛି। ହାଲ୍, ନାଲକୋ, ଉତ୍କଳ ଆଲୁମିନିୟମ ଭଳି କରଖାନା ଓ ଅନେକ ଶିଳ୍ପାନୁଷ୍ଠାନ ରହିଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ବିଶ୍ୱବିଦ୍ୟାଳୟରେ କୃଷିଭିତ୍ତିକ, ଲଜିଷ୍ଟିକ୍ସରେ ୟୁଜି ଓ ପିଜି ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ। ସେ ଆହୁରି କହିଛନ୍ତି ଯେ ଆସନ୍ତାବର୍ଷ ଠାରୁ ଏଠାରେ ଡିପ୍ଲୋମା ପାଠ ପଢିବାର ବ୍ୟବସ୍ଥା କରାଯିବ। ଡିପ୍ଲୋମା ଇଞ୍ଜିନିୟରିଂ କେବଳ ସିଭିଲ, ମେକାନିକାଲ, ଲେକ୍ଟ୍ରିକାଲ ଭଳି ନୁହେଁ ବରଂ ବିଶ୍ୱ ବଜାରରେ ପରିବର୍ତ୍ତିତ ପାଠପଢାର ଅବସ୍ଥିତି ଦେଖି ଏଠାରେ ଏଆଇ, ମେସିନ ଲର୍ଣ୍ଣିଂ, ଏଭିଏସନ ମେଣ୍ଟେନାନ୍ସ, ଉଦ୍ୟମିତା, ହେଲଥ୍ ସାଇନ୍ସ ଭଳି ବିଷୟରେ ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ଯୋଜନା ହେବ। ଛାତ୍ରଛାତ୍ରୀମାନେ ୟୁଜି କରିବେ ଏଆଇରେ, ଡିଗ୍ରୀ ପାଇବେ ଏଆଇରେ। ଏପରି ବ୍ୟବସ୍ଥା ହେବ।

୨୦୩୬ରେ ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶହେ ବର୍ଷ ପୂରଣ କରିବ। ୨୦୪୭ରେ ଦେଶ ସ୍ୱତନ୍ତ୍ରତାର ଶହେ ବର୍ଷ ପୂରଣ କରିବ । ଓଡ଼ିଶା ଗଠନରେ କୋରାପୁଟର ତ୍ୟାଗ, ବଳିଦାନ ଓ ପରିଶ୍ରମ ଅତୁଳନୀୟ। ୨୦୩୬ ସୁଦ୍ଧା ଅବିଭକ୍ତ କୋରାପୁଟ ଜିଲ୍ଲାର ମୌଳିକ ପରିବର୍ତ୍ତନ କରିବା ଆମର ସଂକଳ୍ପ। ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ ଓଡ଼ିଶାର ଜ୍ଞାନର ପେଣ୍ଠସ୍ଥଳୀ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ବଦ୍ଧପରିକର। ବିଶ୍ୱବିଦ୍ୟାଳୟରେ ଥିବା ଖାଲି ପଦବୀକୁ ପୂରଣ କରିବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଥିଲେ।

ସୂଚନାଥାଉ କି, କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଓଡ଼ିଶାର ୬ଟି କେନ୍ଦ୍ରୀୟ ଅନୁଦାନପ୍ରାପ୍ତ ଅଗ୍ରଣୀ ଉଚ୍ଚ ଶିକ୍ଷାନୁଷ୍ଠାନ ମଧ୍ୟରେ ଐତିହାସିକ ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଛି। ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟ, ଭାରତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ(ଆଇଆଇଟି), ଭୁବନେଶ୍ୱର ; ଜାତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ (ଏନଆଇଟି) ରାଉରକେଲା ; ଇଣ୍ଡିଆନ ମ୍ୟାନେଜମେଣ୍ଟ୍ ଇନଷ୍ଟିଚ୍ୟୁସନ (ଆଇଆଇଏମ) ସମ୍ବଲପୁର ; ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଗବେଷଣା ସଂସ୍ଥାନ (ଆଇଜର), ବ୍ରହ୍ମପୁର ଏବଂ ଶ୍ରୀସଦାଶିବ କ୍ୟାମ୍ପସ(କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ), ପୁରୀ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଛି।

ଭୂମିପୂଜନ ହୋଇଥିବା ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପଗୁଡ଼ିକ ହେଉଛି ବହୁମୁଖୀ ଏକାଡେମିକ ବିଲଡିଂ, ଅତ୍ୟାଧୁନିକ ଛାତ୍ରାବାସ, ଅତ୍ୟାଧୁନିକ ଅଡିଟୋରିୟମ୍, ଜିମ, ଇନଡୋର ସ୍ପୋର୍ଟ୍ସ କମ୍ପଲେକ୍ସ,  ଷ୍ଟୁଡେଣ୍ଟ୍ କାଫେଟେରିଆ, ସ୍ୱାସ୍ଥ୍ୟ କେନ୍ଦ୍ର ଓ ଅତିଥି ଭବନ। ଲୋକାର୍ପିତ ପ୍ରକଳ୍ପ ଗୁଡ଼ିକ ହେଲା ଶୈକ୍ଷିକ ଭବନ, କୁଳପତି ବାସଭବନ, ଅଧିକାରୀ ଏବଂ କର୍ମଚାରୀ ବାସଗୃହ। ଏହାବ୍ୟତୀତ ଶ୍ରୀ ପ୍ରଧାନ ଏହି ଅବସରରେ ବିଶ୍ୱବିଦ୍ୟାଳୟରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗଦେଇ ବିଭିନ୍ନ କାର୍ଯ୍ୟର ତଦାରଖ କରିଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ସମବେତ ଛାତ୍ରଛାତ୍ରୀଙ୍କୁ  ସମ୍ବୋଧିତ କରିଥିଲେ। ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲାକା, ନବରଙ୍ଗପୁରର ସାଂସଦ ବଳଭଦ୍ର ମାଝୀ ଏବଂ ଏହି ଅଞ୍ଚଳର ବିଧାନସଭା ସଦସ୍ୟଗଣ, ଭାରତ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ସଚିବ ବିନୀତ ଯୋଶୀ, ଉପରୋକ୍ତ ଉଚ୍ଚଶିକ୍ଷାନୁଷ୍ଠାନର କୁଳପତି, ନିର୍ଦ୍ଦେଶକ, ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀମାନେ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

'ନବକଳେବର' ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୋରାପୁଟ ଧର୍ମେନ୍ଦ୍ର ପ୍ରଧାନ ଭୂମିପୂଜନ ଲୋକାର୍ପଣ
Share. Facebook Twitter LinkedIn Email WhatsApp Copy Link

Related Posts

ରାସ୍ତାରେ ଲୋକଙ୍କୁ ଅଟକାଇ ଲୁଟ୍ ପ୍ରସଙ୍ଗ: ୪ ଲୁଟେରାଙ୍କୁ କୋର୍ଟ ଚାଲାଣ

August 20, 2025

ଦଳରେ ସାମିଲ ହେଲେନି ଶ୍ରେୟସ ଆୟର: ସମାଲୋଚନା କଲେ ପୂର୍ବତନ ଟିମ୍ ଇଣ୍ଡିଆ କୋଚ୍

August 20, 2025

କେଏଟିଏସ ଆୟୁର୍ବେଦିକ ମହାବିଦ୍ୟାଳୟ ୪୮ବର୍ଷ ରେ ମାତ୍ର ୪ଟି ପିଜି ସିଟ

August 20, 2025

ଦଶମ ଶ୍ରେଣୀ ଛାତ୍ରଙ୍କୁ ଛୁରୀରେ ଭୁସି ହତ୍ୟା କଲା ୮ମ ଛାତ୍ର, ସ୍କୁଲ ବାହାରେ ଉତ୍ତେଜନା

August 20, 2025
Latest News

ରାସ୍ତାରେ ଲୋକଙ୍କୁ ଅଟକାଇ ଲୁଟ୍ ପ୍ରସଙ୍ଗ: ୪ ଲୁଟେରାଙ୍କୁ କୋର୍ଟ ଚାଲାଣ

August 20, 2025

ଦଳରେ ସାମିଲ ହେଲେନି ଶ୍ରେୟସ ଆୟର: ସମାଲୋଚନା କଲେ ପୂର୍ବତନ ଟିମ୍ ଇଣ୍ଡିଆ କୋଚ୍

August 20, 2025

କେଏଟିଏସ ଆୟୁର୍ବେଦିକ ମହାବିଦ୍ୟାଳୟ ୪୮ବର୍ଷ ରେ ମାତ୍ର ୪ଟି ପିଜି ସିଟ

August 20, 2025

ଦଶମ ଶ୍ରେଣୀ ଛାତ୍ରଙ୍କୁ ଛୁରୀରେ ଭୁସି ହତ୍ୟା କଲା ୮ମ ଛାତ୍ର, ସ୍କୁଲ ବାହାରେ ଉତ୍ତେଜନା

August 20, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ସିପି ରାଧାକୃଷ୍ଣନ, ପ୍ରସ୍ତାବକ ହେଲେ ପ୍ରଧାନମନ୍ତ୍ରୀ ମୋଦି

August 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.