Categories
ଆଜିର ଖବର ରାଜ୍ୟ ଖବର

ଦେବଗଡ଼ କେନ୍ଦ୍ରୀୟ ବିଦ୍ୟାଳୟର ଭୂମିପୂଜନ କଲେ କେନ୍ଦ୍ରମନ୍ତ୍ରୀ

ଦେବଗଡ: ଭାରତ ଏବେ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିର ଦେଶ ଭାବରେ ପରିଣତ ହୋଇଛି। ଆଗାମୀ ଦିନରେ ଆମ ଦେଶ ବିଶ୍ୱର ଏକ ନମ୍ବର ଅର୍ଥନୀତି ହେବା ସହ ବିକଶିତ ଭାରତ ହେବ। ଏଥିପାଇଁ ଏବେ ଠାରୁ ଆମର ଛାତ୍ରଛାତ୍ରୀଙ୍କ ଦକ୍ଷ କରିବାକୁ ପଡିବ। ସେମାନଙ୍କ ମଧ୍ୟରେ ବୈଜ୍ଞାନିକ ମନୋବୃତ୍ତି ସୃଷ୍ଟି କରିବା ପାଇଁ ପଡିବ ବୋଲି ଶନିବାର ଦେବଗଡ଼ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ ଭବନର ଭୂମିପୂଜନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେବଗଡ଼ ଆମର ସାଂସ୍କୃତିକ ସହର ଓ ପଢାଲେଖା ଅଞ୍ଚଳ। ଦେବଗଡର ମୁଳପୁଞ୍ଜି ଶିକ୍ଷା। ଏଠାରେ ପାଠପଢାର ବହୁତ ପୁରୁଣା ସଂସ୍କାର ଅଛି। ଜିଲ୍ଲାରେ ଗଢି ଉଠିଥିବା ଶିକ୍ଷାନୁଷ୍ଠାନ ଗୁଡିକ ମଧ୍ୟରୁ ଅନେକ ଅନୁଷ୍ଠାନ ଶହେବର୍ଷ ପୁରୁଣା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ସମୃଦ୍ଧ କରିବା ଦିଗରେ ଦେବଗଡର ଅବଦନ ଅତୁଳନୀୟ। ଭାଷାଭିତ୍ତିରେ ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶ ଗଠନ କରିବା ତଥା ଓଡ଼ିଆ ଭାଷାକୁ ସୁରକ୍ଷିତ ରଖିବାରେ ବାମଣ୍ଡା ରାଜା ସାର୍ ବାସୁଦେବ ସୁଢଳଦେବଙ୍କ ବଡ଼ ଭୂମିକା ରହିଛି।

ଭାରତ ସରକାରଙ୍କ ସହଯୋଗରେ ପ୍ରାୟ ୩୨ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ ପୂର୍ଣ୍ଣାଙ୍ଗ ହେଲେ ଏକ ଭଲ ସ୍କୁଲ ହେବ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଜାତୀୟ ଶିକ୍ଷା ନୀତିରେ ଗୁଣାତ୍ମକ ଶିକ୍ଷା ସହ ବହୁମୁଖୀ ଶିକ୍ଷାକୁ ପ୍ରୋତ୍ସାହନ ଦିଆଯାଇଛି। ବାଲବାଟିକା ମାଧ୍ୟମରେ ଖେଳକୁଦ, ଗୀତ ଓ ଯାଦୁ ଆଧାରିତ ଶିକ୍ଷାକୁ ପ୍ରାଧାନ୍ୟ ଦିଆଯାଇଛି। ମାତୃଭାଷାକୁ ଗୁରୁତ୍ୱ, ଗବେଷଣା ଏବଂ ସାମାଜିକ ସଚେତନତା ଭଳି ବିଷୟକୁ ପାଠପଢାର ଅଂଶବିଶେଷ କରିବା ଉପରେ ପ୍ରାଥମିକତା ଦିଆଯାଇଛି। ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାରେ ବଡ଼ ଭୂମିକା ଗ୍ରହଣ କରିବ।

ସ୍କୁଲରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢୁଥିବା ଦୃଷ୍ଟିରେ ରଖି ଆସନ୍ତା ଶିକ୍ଷା ବର୍ଷରୁ ଏଠାରେ ୨ଟି ସେକ୍ସନ କରିବା ପାଇଁ ବ୍ୟବସ୍ଥା କରିବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି। ଏହାସହ ସ୍କୁଲରେ ଦ୍ୱାଦଶ ଉତ୍ତୀର୍ଣ୍ଣ ହେବା ପରେ ଛାତ୍ରଛାତ୍ରୀମାନେ କିପରି ପ୍ରତିଯୋଗିତାମୂଳକ ଭାବେ ଆଗକୁ ବଢିବେ, ସେଥିପାଇଁ ଉଦ୍ୟମ କରିବାକୁ ଶ୍ରୀ ପ୍ରଧାନ ବିଶେଷ ଗୁରୁତ୍ୱ ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ରମନ୍ତ୍ରୀଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତ: ବିଭିନ୍ନ ପ୍ରକଳ୍ପର କରିବେ ଭୂମିପୂଜନ ଏବଂ ଶୁଭାରମ୍ଭ

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ କାଳରେ ଶ୍ରୀ ପ୍ରଧାନ ଅନୁଗୋଳ ଏବଂ ଖୋର୍ଦ୍ଧା ଜିଲ୍ଲା ଗସ୍ତ କରି ବିଭିନ୍ନ ଲୋକଭିମୁଖୀ କାର୍ଯ୍ୟକ୍ରମରେ ଯୋଗଦେବା ସହ ଶିକ୍ଷା ଓ ରେଳ ସହ ଜଡ଼ିତ ବିଭିନ୍ନ ପ୍ରକଳ୍ପର ଭୂମିପୂଜନ ଓ ଶୁଭାରମ୍ଭ କରିବେ। ଏହା ସହ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ରଥଯାତ୍ରା ଦିନ ଶ୍ରୀକ୍ଷେତ୍ର ପୁରୀରେ ରଥଯାତ୍ରାରେ ସାମିଲ ହେବାର  କାର୍ଯ୍ୟକ୍ରମ ରହିଛି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆସନ୍ତାକାଲି(ଗୁରୁବାର) ସକାଳେ ଭୁବନେଶ୍ୱରରେ ପହଞ୍ଚିବା ପରେ ଅନୁଗୋଳ ଜିଲ୍ଲା ତାଳଚେର ଗସ୍ତ କରିବେ। ଏମସିଏଲର ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟର ଶୁଭାରମ୍ଭ କରିବା ସହ ନୂତନ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ ନିର୍ମାଣ ପାଇଁ ଭୂମିପୂଜନ କରିବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଭିଡ଼ିଓ କନଫରେନ୍ସିଂରେ ଯୋଗଦେବେ।

ପରବର୍ତ୍ତୀ ପର୍ଯ୍ୟାୟରେ ଶ୍ରୀ ପ୍ରଧାନ ଖୋର୍ଦ୍ଧା ଜିଲ୍ଲା ଗସ୍ତରେ ଆସି ଖୋର୍ଦ୍ଧା ରୋଡ଼୍ ଷ୍ଟେସନ ଠାରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟକ୍ରମରେ ସାମିଲ ହେବେ। ରେଳ ମନ୍ତ୍ରୀ ଓ ଶିକ୍ଷା ମନ୍ତ୍ରୀ ମିଳିତ ଭାବରେ ଖୋର୍ଦ୍ଧା ରୋଡ଼୍ ଷ୍ଟେସନର ନୂତନ ବିଲଡିଂର ଲୋକାର୍ପଣ କରିବା ସହ ଭୁବନେଶ୍ୱର- ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସର ଏଲଏଚବି ରେକ୍ ଓ ଭୁବନେଶ୍ୱର-ଆନନ୍ଦବିହାର ଦୁରୋନ୍ତ ଏକ୍ସପ୍ରେସର ଉଦଘାଟନ କରିବେ। ଏହାବ୍ୟତୀତ ସେହି ସ୍ଥାନରୁ ରହି ଉଭୟ ମନ୍ତ୍ରୀ ପଟିଆ ଓ ବାଣୀବିହାର ପିଏଚର ନୂଆ ବିଲ୍ଡିଂକୁ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି।

ସେହିପରି ଆସନ୍ତା ଜୁଲାଇ ୧ ତାରିଖରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପୁରୀରେ ସାମାଜିକ ସଂଗଠନ “ଆମେ ଓଡ଼ିଆ” ପକ୍ଷରୁ ଆୟୋଜିତ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ହ୍ରାସ କରିବା ପାଇଁ ଜନସଚେତନ ଅଭିଯାନରେ ସାମିଲ ହେବେ। ପୁରୀ ଶରଧାବାଲି ଠାରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତରଫରୁ ମୋଦି ସରକାରଙ୍କ 8 ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣ ବିଷୟବସ୍ତୁ ଉପରେ ଆଧାରିତ ଏକ ପ୍ରଦର୍ଶନୀକୁ ଉଦଘାଟନ କରିବେ । ତା’ ସହିତ ପୁରୀ ଭୋଳାନାଥ ବିଦ୍ୟାପୀଠ ନିକଟରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ଅଧୀନ ଆଇସିଏଚଆର ଦ୍ୱାରା ‘ଆଜାଦୀ କା ଅମୃତ ମହୋତ୍ସବ’ ଉପରେ ଆୟୋଜିତ ଏକ ପ୍ରଦର୍ଶନୀକୁ ଉଦଘାଟନ କରିବେ। ବଡ଼ଶଙ୍ଖ ଶରଧା ମଣ୍ଡପ ଠାରେ ବିଶ୍ୱ କଲ୍ୟାଣ ଆଧ୍ୟାତ୍ମିକ ଚେତନା ସଂଘର ପ୍ରସାଦ ବିତରଣ କାର୍ଯ୍ୟକ୍ରମରେ ସାମିଲ ହେବା ପରେ ଶ୍ରୀ ପ୍ରଧାନ ରଥଯାତ୍ରାରେ ଯୋଡ଼ି ହେବାର କାର୍ଯ୍ୟକ୍ରମ ରହିଛି।

Categories
ବିଶେଷ ଖବର

ଆଇଆଇଟି ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟର ଲୋକାର୍ପଣ ଓ ସ୍ଥାୟୀ କ୍ୟାମ୍ପସର ଭୂମିପୂଜନ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର/ଜଟଣୀ: ଖୋର୍ଦ୍ଧା ଜିଲ୍ଲା ବରୁଣେଇ ପାହାଡର ପାଦଦେଶରେ ପ୍ରତିଷ୍ଠିତ ଆଇଆଇଟି ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ ଆଗାମୀ ଦିନରେ ଶିକ୍ଷାର ପ୍ରୟୋଗଶାଳା ହେବା ସହ ଛାତ୍ରଛାତ୍ରୀଙ୍କୁ ବିଶ୍ୱସ୍ତରୀୟ ନେତୃତ୍ୱ ପାଇଁ ପ୍ରସ୍ତୁତ କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଶନିବାର ଆଇଆଇଟି ଭୁବନେଶ୍ୱର ଠାରେ କେନ୍ଦ୍ରୀୟ ବିଦ୍ୟାଳୟର ଲୋକାର୍ପଣ ଓ ସ୍ଥାୟୀ କ୍ୟାମ୍ପସର ଭୂମିପୂଜନ କରିବା ଅବସରରେ ଏହା କହିଛନ୍ତି। ସେ କହିଛନ୍ତି ଯେ ଚଳିତ ୨୦୨୨-୨୩ ଶିକ୍ଷା ବର୍ଷରୁ ପ୍ରଥମେ ଲୋକାର୍ପିତ ଶ୍ରେଣୀ ଗୃହରେ ପ୍ରଥମରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ନାମଲେଖା ସହ ପାଠପଢ଼ା ଆରମ୍ଭ ହେବ। ଏହି ବିଦ୍ୟାଳୟ ସ୍ଥାନୀୟ ଅଂଚଳର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ଉଜ୍ଜ୍ୱଳ ଭବିଷ୍ୟତର ସ୍ୱପ୍ନକୁ ସାକାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ପର୍ଯ୍ୟାୟରେ ଆଇଆଇଟି ଭୁବନେଶ୍ୱର ଯୋଗାଇଥିବା ୧୦ ଏକର ପରିମିତ ଜମିରେ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ ଶ୍ରେଣୀଗୃହ ନିର୍ମାଣ ହେବା ପରେ ପିଲାଙ୍କ ପାଠପଢା ଏଠାକୁ ସ୍ଥାନାନ୍ତର କରାଯିବ। ଏହି ସ୍ଥାୟୀ କେନ୍ଦ୍ରୀୟ ବିଦ୍ୟାଳୟ ନିର୍ମାଣ ପାଇଁ ୨୫ କୋଟି ଖର୍ଚ୍ଚ ହେବ ଏବଂ ସ୍କୁଲର ପରିଚାଳନା ପାଇଁ ଅତିରିକ୍ତ ବାର୍ଷିକ ୪ କୋଟି ଟଙ୍କା ଖର୍ଚ୍ଚ ହେବାର ଆକଳନ କରାଯାଇଛି। ସମସ୍ତ ଖର୍ଚ୍ଚ ଭାରତ ସରକାରଙ୍କ ଶିକ୍ଷା ସଂସ୍ଥା ଆଇଆଇଟି ଭୁବନେଶ୍ୱର ବହନ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିସମ୍ପନ୍ନ ଜାତୀୟ ଶିକ୍ଷା ନୀତିର ସୁପାରିଶ ଅନୁସାରେ ଏହି ବିଦ୍ୟାଳୟରେ ପାଠପଢ଼ା ଆରମ୍ଭ କରାଯିବ।

ଉଚ୍ଚ ଶିକ୍ଷା କ୍ଷେତ୍ରରେ ଆଇଆଇଟି ଭୁବନେଶ୍ୱର ଏକ ସମ୍ମାନସ୍ପଦ ଅନୁଷ୍ଠାନ। ଏଠାକାର ଅନୁକୂଳ ପରିବେଶରେ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପାଠ ପଢ଼ିବା ସହ ଟେକ୍ନୋଲୋଜିର ବ୍ୟବହାରକୁ ଜାଣିବା ପାଇଁ ଆଗ୍ରହୀ ହେବେ। ଫଳରେ ପିଲାମାନେ ପୂର୍ବତନ ରାଷ୍ଟ୍ରପତି ତଥା ମହାନ ବୈଜ୍ଞାନିକ ଅବଦୁଲ କଲାମ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ପରି ସ୍ୱପ୍ନ ଦେଖିବେ।

ଜାତୀୟ ଶିକ୍ଷା ନୀତି ଅନ୍ତର୍ଗତ ଶିକ୍ଷକ ମାନଙ୍କ ପାଇଁ ଗୋଟିଏ ନୂଆ ବ୍ୟବସ୍ଥା ବିଗତ ଦିନ ମାନଙ୍କରେ ଆରମ୍ଭ କରାଯାଇଛି। ଶିକ୍ଷକ ମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦେବା ପାଇଁ ଚଳିତବର୍ଷ ୪ ବର୍ଷୀୟା ଇଂଟିଗ୍ରେଟେଡ୍ ଟିଚର ଏଜୁକେସନ ପ୍ରୋଗ୍ରାମ (ଆଇଟେପ)ର ପାଇଲଟ୍ ମଡ଼େଲ ଆରମ୍ଭ କରାଯିବ। ଏହା ଦ୍ୱାରା ଶିକ୍ଷକମାନଙ୍କ ଦକ୍ଷତା ବୃଦ୍ଧି ହେବା ସହ ଛାତ୍ରଛାତ୍ରୀଙ୍କ ପୂର୍ଣ୍ଣାଙ୍ଗ ବିକାଶ ହେବ। ଏହାବ୍ୟତିତ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଦିଗରେ ଓଡ଼ିଶା ସମେତ ସମଗ୍ର ଭାରତବର୍ଷର ପ୍ରତ୍ୟେକ ବ୍ଲକରେ ପ୍ରାୟ ୧୫ ହଜାର ପିଏମ ଶ୍ରୀ ସ୍କୁଲ ପ୍ରତିଷ୍ଠା କରାଯିବାର ଯୋଜନା ରହିଛି। ନୂଆ ସ୍କୁଲ ନୁହେଁ ବରଂ ପୁରୁଣା ସ୍କୁଲରେ ଏହି ବିଦ୍ୟାଳୟ ପ୍ରତିଷ୍ଠା ନେଇ ଭାରତ ସରକାର ସହଯୋଗୀ ହେବେ।

ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ମୋଦି ସରକାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅଧିକ କେନ୍ଦ୍ରୀୟ ବିଦ୍ୟାଳୟ, ନବଦୋୟ ଓ ଏକଲବ୍ୟ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ଆଇଆଇଟି ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ ରାଜ୍ୟର ୬୬ତମ କେନ୍ଦ୍ରୀୟ ବିଦ୍ୟାଳୟ ଭାବରେ ସ୍ଥାନିତ ହେବ। ସାମଗ୍ରିକ ଶିକ୍ଷା ଯୋଜନାରେ ଆଗାମୀ ୪ ବର୍ଷ ମଧ୍ୟରେ ୩ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ ଓ ଓଡ଼ିଶା ସମେତ ଦେଶରେ ଶିକ୍ଷାର ଗୁଣାତ୍ମକ ମାନ ବଢ଼ିବା ପାଇଁ ଭାରତ ସରକାର ପଦକ୍ଷେପ ନେବେ। ସେହିପରି ଓଡ଼ିଶାରେ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ୪୫ ହଜାର ସ୍କୁଲକୁ ଭାରତ ସରକାର ସବୁ ପ୍ରକାର ସହଯୋଗର ଦାୟିତ୍ୱ ନେବେ। ବର୍ତ୍ତମାନର ପିଲାମାନେ ଆମର ଭବିଷ୍ୟତ। ଏମାନଙ୍କୁ ଗଢ଼ି ତୋଳିବା ଆମ ସମସ୍ତଙ୍କର ଦାୟିତ୍ୱ।

ରାଜ୍ୟରେ ଏନଆଇଟି ରାଉରକେଲା, ଆଇଆଇଏମ ସମ୍ବଲପୁର, ଆଇଜର ବ୍ରହ୍ମପୁର, ଭୁବନେଶ୍ୱରେ ମଡର୍ଣ୍ଣ ଡ଼ିଏମ ସ୍କୁଲ, ଆଂଚଳିକ ଶିକ୍ଷା କେନ୍ଦ୍ର ଓ କୋରାପୁଟ ବିଶ୍ୱବିଦ୍ୟାଳୟ ଅଛି। ଏହାବ୍ୟତିତ ଏମ୍ସ, ନାଇଜର, କେମିକାଲ ଟେକ୍ନୋଲୋଜି, ସିଆଇଏସଆର, ଆଇସିଏଆରର ଲାବ୍ରୋଟୋରୀ, ଫୁଡ୍ ଏଣ୍ଡ୍ ମାଉଥ ଡିଜିର ଅତ୍ୟାଧୁନିକ କେନ୍ଦ୍ର, କଟକ ବିଦ୍ୟାଧରପୁରରେ ଧାନ ଗବେଷଣା କେନ୍ଦ୍ର ଅଛି। ସେହିଭଳି ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ୍‌, ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ଟୁର୍ ଏଣ୍ଡ୍ ଟୋରିଜମ୍ ଇନଷ୍ଟିଚ୍ୟୁଟ୍‌, ସ୍କିଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍‌, ସିପେଟ୍‌, କାଉନସିଲ୍ ଅଫ୍ ମେଡ଼ିକାଲ ରିସର୍ଚ୍ଚ, ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ ଭଳି ଭାରତ ସରକାରଙ୍କ ଅନୁଷ୍ଠାନକୁ ମିଶାଇ ମିଶନ ‘ପୂର୍ବୋଦୟ’ ଅଧୀନରେ ଓଡ଼ିଶାର ପିଲା ମାନଙ୍କୁ ବୌଦ୍ଧିକ ଜଗତରେ ଉଚ୍ଚ ସ୍ଥାନକୁ ନେବା ଆମର ସାମୂହିକ ଦାୟିତ୍ୱ ହେବା ଉଚିତ୍। ପୂର୍ବଦୋୟରେ ଓଡ଼ିଶାର ବିକାଶ ହେଲେ ହିଁ ଭାରତର ସାମଗ୍ରିକ ବିକାଶ ହେବ।

ରାଷ୍ଟ୍ରୀୟ ଶିକ୍ଷା ନୀତି ଅନୁସାରେ ଆଇଆଇଟି ଭୁବନେଶ୍ୱର ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ। ଆଗାମୀ ଦିନରେ ଏଠାରେ ଜାତୀୟ ଶିକ୍ଷା ନୀତି ଅନୁସାରେ ମଲଟି ଡ଼ିସପ୍ଲିନାରୀର ବ୍ୟବସ୍ଥା କରିବକୁ ଶ୍ରୀ ପ୍ରଧାନ ଆଇଆଇଟି ଭୁବନେଶ୍ୱର କର୍ତୃପକ୍ଷଙ୍କୁ ପରମର୍ଶ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ କହଛନ୍ତି ଏଠାରେ ଇଞ୍ଜିନିୟରିଂ ପଢ଼ୁଥବା ପିଲା ଅର୍ଥନୀତି, ମ୍ୟାନେଜମେଂଟ୍‌, ସାଧାରଣ ବିଜ୍ଞାନ, ରସାୟନ ବିଜ୍ଞାନ ସହ ସବୁ ବିଷୟରେ ଶିକ୍ଷା ଆରୋହଣ କରନ୍ତୁ। ତେବେ ଯାଇ ଏହି ଶିକ୍ଷାନୁଷ୍ଠାନ ଅଭିନବ ପଦ୍ଧତିରେ ଗବେଷଣା ଭିତିକ ବିଦ୍ୟା ମନ୍ଦିର ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଅଯୋଧ୍ୟାରେ ଭୂମିପୂଜା ଉପଲକ୍ଷେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ପଢୁଥିଲେ ରାମାୟଣ

ନୂଆଦିଲ୍ଲୀ, ଅଯୋଧ୍ୟାରେ ରାମମନ୍ଦିର ଭୂମି ପୂଜା ପ୍ରାୟ ସମସ୍ତ ଭାରତୀୟଙ୍କୁ ଉତ୍ସାହିତ କରିଛି। ବହୁ ବାଦବିଦାଦ ପରେ ବର୍ତ୍ତମାନ ଅଯୋଧ୍ୟାରେ ରାମମନ୍ଦିର ପ୍ରତିଷ୍ଠା ସମ୍ଭବ ହୋଇଥିବାରୁ ତାହା ସମସ୍ତଙ୍କୁ ଖୁସି ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତେବେଳେ ଭୂମିପୂଜନ କରୁଥିଲେ ସେତେବେଳେ କୋଟି କୋଟି ଭାରତୀୟ ଜୟ ଶ୍ରୀରାମଙ୍କୁ ସ୍ମରଣ କରୁଥିଲେ। ସେହିପରି ଭାରତର ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ମଧ୍ୟ ବାଦ ପଡି ନାହାଁନ୍ତି।

ଉପରାଷ୍ଟ୍ରପତି ଭୂମିପୂଜା ଉପଲକ୍ଷେ ତାଙ୍କ ଉପରାଷ୍ଟ୍ରପତି ଭବନରେ ଗତକାଲି ରାମାୟଣ ପାଠ କରୁଥିଲେ। ପ୍ରଥମେ ଧର୍ମପତ୍ନୀ ଉଷା ନାଇଡୁଙ୍କ ସହିତ ଶ୍ରୀରାମ, ଭାଇ ଲକ୍ଷ୍ଣଣ ଏବଂ ମାତା ସୀତାଙ୍କ ଫଟୋରଖି ପୂଜାପାଠ କରିଥିଲେ। ଏହାପରେ ଉପରାଷ୍ଟ୍ରପତି ଭେଙ୍କୟା ରାମାୟଣ ପାଠ କରିଥିଲେ। ଭୂମି ପୂଜନ ପୂର୍ବରୁ ଉପରାଷ୍ଟ୍ରପତି ପ୍ରଭୃ ଶ୍ରୀରାମଙ୍କ ଉପରେ ଏକ ବିସ୍ତୁତ ଲେଖା ନିଜ ଟୁଇଟର ଆକାଉଣ୍ଟରେ ପୋଷ୍ଟ କରିଥିଲେ। ଏହି ଲେଖାକୁ ସେ ବିଭିନ୍ନ ଭାଷାରେ ଅନୁବାଦ କରି ପୋଷ୍ଟ କରିଥିଲେ। ଉପରାଷ୍ଟ୍ରପତିଙ୍କ ଏପରି କାର୍ଯ୍ୟ ତାଙ୍କର ରାମ ଭକ୍ତିକୁ ପ୍ରତିପାଦନ କରିଛି।