ବାଣପୁର: ଗତକାଲି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ପୋଲିସ ଓ ଅବକାରୀ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି। ଉକ୍ତ ଚଢ଼ାଉରେ ବିପୁଳ ପରିମାଣରେ ଦେଶୀ ମଦ ଓ ମହୁଲ ଜବତ ହୋଇଛି।
ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧିକ୍ଷିକା ସୁମତି ତ୍ରିପାଠୀଙ୍କ ନିର୍ଦେଶକ୍ରମେ ଏବଂ ଟାଙ୍ଗୀ ରେଞ୍ଜ ଅବକାରୀ ଅଧିକାରୀ ରାଧାକାନ୍ତ ଭୋଇଙ୍କ ତତ୍ୱାବଧାନରେ ବାଣପୁର ଥାନା ଅନ୍ତର୍ଗତ ମନ୍ଦାର ଓ ପଣସଡିହ ଗ୍ରାମରେ ଚଢ଼ାଉ କରାଯାଇଥିଲା। ଉକ୍ତ ଚଢ଼ାଉରେ ମନ୍ଦାର ଗ୍ରାମରୁ ୯୪୦୦ କେଜି ମହୁଲ ପୋଚ ଏବଂ ୯୫୦ ଲିଟର ମହୁଲି ମଦ ଜବତ ହୋଇଛି। ଏହାପରେ ପଣସଡିହ ଗ୍ରାମର ରବି ଶବରଙ୍କ ଠାରୁ ୩୦୦ ଲିଟର ମଦ ଜବତ ହୋଇଥିବା ବେଳେ ତାଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।
ଉକ୍ତ ଚଢ଼ାଉରେ ବାଲୁଗାଁ ଅବକାରୀ ଅଧିକାରୀ ସୁଜିତ କୁମାର ମୁଦୁଲି, ବାଣପୁର ଥାନା ଏଏସଆଇ ସଞ୍ଜୟ କୁମାର ପାତ୍ର, ଟାଙ୍ଗୀ ଅବକାରୀ ଅଧୂକାରୀ ରମେଶ ଚନ୍ଦ୍ର ବାରିକ, ବେଗୁନିଆ ଅବକାରୀ ଅଧିକାରୀ ମିତ୍ରାବିନ୍ଦା ପରିଡା, ସୁଜିତ କୁମାର ନାଗ ପ୍ରମୁଖ ସାମିଲ ଥିଲେ।