ଭୁବନେଶ୍ୱର: ଆଜି ଭୁବନେଶ୍ୱର ସ୍ଥିତ ଲୋକସେବା ଭବନ ଠାରେ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ପୁରୀ ସାଂସଦ ଡ଼ାଃ ସମ୍ବିତ ପାତ୍ରଙ୍କ ଉପସ୍ଥିତିରେ ବରିଷ୍ଠ ଅଧିକାରୀମାନଙ୍କ ସହିତ ବୈଠକରେ ଚ଼ିଲିକାର ପୁନର୍ବିକାଶ ଓ ଉନ୍ନତିକରଣ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି।
ଚ଼ିଲିକା ଉନ୍ନୟନ କର୍ତ୍ତୃପକ୍ଷ ଏବଂ ଆଇଆଇଟି ମାଡ୍ରାସ ମଧ୍ୟରେ ଏମଓୟୁ ମୁତାବକ ଚ଼ିଲିକାର ପୁନର୍ବିକାଶ ଓ ଉନ୍ନତିକରଣ ପାଇଁ ଯାହା ଯାହା ପ୍ରକ୍ରିୟା ଆବଶ୍ୟକତା ଅଛି ସେନେଇ ଏକ ଡିପିଆର ପ୍ରସ୍ତୁତ କରିବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପଙ୍କ ଜମିବା ଦ୍ୱାରା ଚିଲିକାର କ୍ଷେତ୍ରଫଳ ସଂକୁଚିତ ହେବା ସହ ଚିଲିକାର କିଛି ମୁହାଁଣ ସମ୍ପୁର୍ଣ୍ଣ ବନ୍ଦ ହୋଇଯାଇଛି ଏବଂ କିଛି ନୂତନ ମୁହାଣ ଅନ୍ୟ ଜାଗାରେ ସୃଷ୍ଟି ହେଉଛି। ଚିଲିକା ଜଳରାଶିର ପ୍ରାକୃତିକ ଗତିପଥକୁ ରକ୍ଷା କରିବା ସହ, ଜୀବନ ଜୀବିକା ପାଇଁ ଜଳରାଶିର ଗୁଣବତ୍ତା ଓ ଗଭୀରତାକୁ ସଠିକ କରିବା ଦିଗରେ ବିଭିନ୍ନ ପଦକ୍ଷେପ ନେବା ନେଇ ବୈଠକରେ ବିସ୍ତୃତ ହୋଇଛି। ଜୀବଜନ୍ତୁ ସଂରକ୍ଷଣ ଏବଂ ଚିଲିକାରେ ପଡିଥିବା ନଦୀମାନଙ୍କର ପର୍ଯ୍ୟଟନ ବିକାଶ ଦିଗରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ଏହି ସବୁକୁ ଦୃଷ୍ଟିରେ ରଖି ଆଇଆଇଟି ମାଡ୍ରାସ ଦ୍ୱାରା ଆଜି ଏକ ପ୍ରାରମ୍ଭିକ ପ୍ରୋଜେକ୍ଟ ରିପୋର୍ଟ ପ୍ରଦାନ କରାଯାଇଥିଲା।
ଚିଲିକାର ସଂରକ୍ଷଣ ଏବଂ ପୁନର୍ବିକାଶକୁ ରାଜ୍ୟ ସରକାର ଗମ୍ଭୀରତାର ସହ ବିଚାର କରୁଛନ୍ତି । ଆଗାମୀ ଦିନରେ କେନ୍ଦ୍ର ସରକାରଙ୍କ ନିକଟରେ ମଧ୍ୟ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ କରାଯିବ। ଡବଲ ଇଞ୍ଜିନ ସରକାରରେ ଚିଲିକାର ସଂରକ୍ଷଣ ଏବଂ ପୁନର୍ବିନ୍ୟାସ ଓ ବିକାଶକୁ ଅଗ୍ରାଧିକାର ମିଳିବ।
ଏହି ବୈଠକରେ ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ପ୍ରମୁଖ ସଚିବ ଭାସ୍କର ଜ୍ୟୋତି ଶର୍ମା, ଚ଼ିଲିକା ଉନ୍ନୟନ କର୍ତ୍ତୃପକ୍ଷ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏମ୍. ଯୋଗଜୟାନନ୍ଦ, ଚ଼ିଲିକା ଉନ୍ନୟନ କର୍ତ୍ତୃପକ୍ଷର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡକ୍ଟର ଅଜିତ ପଟ୍ଟନାୟକ, ଆଇଆଇଟି ମାଡ୍ରାସ ମହାସାଗର ଇଞ୍ଜିନିୟରିଂ ବିଭାଗର ଡକ୍ଟର ନୀଳଞ୍ଜନ ସାହା ଏବଂ ଅନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।


