ରଣପୁର: ନୟାଗଡ ଜିଲ୍ଲାର ରଣପୁର ଅଞ୍ଚଳର ବରିଷ୍ଠ ସାମ୍ବାଦିକ ଆଚାର୍ଯ୍ୟ ବିଶ୍ୱରଞ୍ଜନଙ୍କୁ ଓଡ଼ିଶା ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ (ଓୟୁଜେ)ର ରାଜ୍ୟ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଛି। ତାଙ୍କ ଏହି ନୂତନ ଦାୟିତ୍ୱ ନୟାଗଡ ଜିଲ୍ଲା ସହିତ ସମଗ୍ର ରଣପୁର ଅଞ୍ଚଳ ପାଇଁ ଗର୍ବ ଓ ସମ୍ମାନର ବିଷୟ ହୋଇଛି।
ସାମ୍ବାଦିକତା କ୍ଷେତ୍ରରେ ଦୀର୍ଘ ବର୍ଷର ଅଭିଜ୍ଞତା, ନିଷ୍ଠା ଓ ନିର୍ଭୀକ ଲେଖନୀ ପାଇଁ ପରିଚିତ ଆଚାର୍ଯ୍ୟ ବିଶ୍ୱରଞ୍ଜନ ଏହା ପୂର୍ବରୁ ନୟାଗଡ ଜିଲ୍ଲା ଓୟୁଜେ ସାମ୍ବାଦିକ ସଂଘର ସଭାପତି ଭାବେ ସଫଳତାର ସହ କାର୍ଯ୍ୟ କରି ଆସୁଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସାମ୍ବାଦିକଙ୍କ ସମସ୍ୟା, ଅଧିକାର ଓ ସଂଗଠନକୁ ମଜବୁତ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଥିଲା।
ଶ୍ରୀ ଆଚାର୍ଯ୍ୟ ରାଜ୍ୟ ସମ୍ପାଦକ ନିଯୁକ୍ତି ପରେ ତାଙ୍କୁ ନୟାଗଡ ଜିଲ୍ଲା ସହ ରାଜ୍ୟର ବିଭିନ୍ନ ସାମ୍ବାଦିକ ସଂଗଠନ, ସହକର୍ମୀ ଓ ବୁଦ୍ଧିଜୀବୀ ମହଲରୁ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଛୁଟିଛି। ସମସ୍ତଙ୍କ ଆଶା—ତାଙ୍କ ନେତୃତ୍ୱରେ ଓୟୁଜେ ଆହୁରି ସକ୍ରିୟ, ସଂଗଠିତ ଓ ସାମ୍ବାଦିକଙ୍କ ସ୍ୱାର୍ଥର ସୁରକ୍ଷାରେ ଆଗୁଆ ଭୂମିକା ନେବ।


