ରଣପୁର: ଐତିହାସିକ ଚାନ୍ଦପୁର ଦଶଦୋଳ ମେଳଣ ପଡ଼ିଆରେ ଆସନ୍ତା ଫେବୃଆରୀ ମାସ ୬ ତାରିଖ ଠାରୁ ୧୨ ତାରିଖ ପର୍ଯ୍ୟନ୍ତ ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ତରଫରୁ ୪ର୍ଥ ନୀଳାମ୍ବୁ ମହୋତ୍ସବ ଆୟୋଜିତ ହେବ। ଏହି ୭ ଦିନିଆ ମହୋତ୍ସବ ପାଇଁ ପ୍ରାରମ୍ଭିକ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଯାଇଛି।
ରାଜ୍ୟ ଓ ଦେଶସ୍ତରରେ ଏକମାତ୍ର ପ୍ରକୃତି-ମିତ୍ର ପୁରସ୍କାର ପ୍ରାପ୍ତ ସାମ୍ବାଦିକ ସଂଘ ଭାବେ ପରିଚିତ ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ଏହି ମହୋତ୍ସବ ମାଧ୍ୟମରେ ଅଞ୍ଚଳର ସଂସ୍କୃତି, ଐତିହ୍ୟ ଓ ସଂଗ୍ରାମୀ ପରମ୍ପରାକୁ ଉଜାଗର କରିବାକୁ ଉଦ୍ୟତ।
ଅଭିଭକ୍ତ ଚାନ୍ଦପୁର ପଞ୍ଚାୟତ ଅନ୍ତର୍ଗତ କନ୍ଧ ନୟାଗଡ଼ ଗ୍ରାମ ରାଜରାଜୁଡ଼ା ଶାସନ ବିରୋଧୀ ପ୍ରଜାମଣ୍ଡଳ ଆନ୍ଦୋଳନର ଏକ ପ୍ରମୁଖ କେନ୍ଦ୍ରସ୍ଥଳ ଭାବେ ପରିଚିତ। ଚାନ୍ଦପୁର ବାସୀଙ୍କ ସଂଗ୍ରାମୀ ଚେତନା ଓ ସାମୂହିକ ସଚେତନତା ଓଡ଼ିଶାର ଐତିହାସିକ ପୃଷ୍ଠାରେ ଏକ ଗର୍ବଜନକ ସ୍ଥାନ ରଖିଛି।
୧୯୫୮ ମସିହାରେ ତତ୍କାଳୀନ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ରଣପୁର ରାଜମାତା ବସନ୍ତମଞ୍ଜରୀ ଦେବୀଙ୍କ ନିଜସ୍ୱ ତ୍ୟାଗ ଓ ଉଦ୍ୟମରେ ଏଠାରେ ଭୟଙ୍କର ରୋଗ ‘ରାଜ ଯକ୍ଷ୍ମା’ ଚିକିତ୍ସା ପାଇଁ ବସନ୍ତମଞ୍ଜରୀ ସ୍ୱାସ୍ଥ୍ୟ ନିବାସ ସ୍ଥାପିତ ହୋଇଥିଲା। ଏହି କାରଣରୁ ଚାନ୍ଦପୁର-ଟାଙ୍ଗୀ ନାମ ସମଗ୍ର ବିଶ୍ୱ ଇତିହାସରେ ଏକ ଅଲଗା ପରିଚୟ ପାଇଛି। ତେଣୁ ରାଜମାତା ବସନ୍ତମଞ୍ଜରୀ ଦେବୀ ଆଜିବି ଅଞ୍ଚଳବାସୀଙ୍କ ଚିର ନମସ୍ୟ।
ଏପରି ଏକ ସଂଗ୍ରାମୀ ଓ ସଂସ୍କୃତିମୟ ମାଟିରେ ନୀଳାମ୍ବୁ ମହୋତ୍ସବ ଆୟୋଜନ କରିବାକୁ ପାଇଁ ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ନିଜକୁ ଧନ୍ୟ ମନେ କରୁଛି ବୋଲି ସଙ୍ଘର ସଦସ୍ୟ ମାନେ କହିଛନ୍ତି । ଏହି ମହୋତ୍ସବକୁ ସଫଳ କରିବା ପାଇଁ ଚାନ୍ଦପୁର ଓ ସଂଲଗ୍ନ ପଞ୍ଚାୟତଦ୍ୱୟର ନିର୍ବାଚିତ ଲୋକପ୍ରତିନିଧି, ଦଶଦୋଳ କମିଟି, ବିଭିନ୍ନ କମିଟି, କ୍ଲବ, ବ୍ୟବସାୟୀ, ସାମାଜିକ ଓ ଦଳୀୟ କର୍ମୀ, ସ୍ୱେଚ୍ଛାସେବୀ ସଂଗଠନ, ସରକାରୀ-ବେସରକାରୀ କର୍ମଚାରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ମା’ଭଉଣୀ ଓ ଯୁବବନ୍ଧୁମାନଙ୍କ ସହଯୋଗ ପାଇଁ ସାମ୍ବାଦିକ ସଂଘ ତରଫରୁ ବିନମ୍ର ନିବେଦନ କରାଯାଇଛି।


