ବାଣପୁର: ବର୍ଷର ପ୍ରତିଟି ପର୍ବପର୍ବାଣୀରେ ଶକ୍ତିପୀଠ ମା’ଭଗବତୀଙ୍କ ସହିତ ଚାରି ଦିଗ ରକ୍ଷାକାରିଣୀ ଚାରି ଭଉଣୀଙ୍କ ଅତୁଟ ସ୍ନେହସଂପର୍କର ନିଛକ ପରିପ୍ରକାଶ ହେଉଛି ମକର ମେଳାରେ ଯୋଗଦାନ। ପ୍ରାଚୀନ କାଳରୁ ରହି ଆସିଥିବା ପୀଠର ଏହି ଅନନ୍ୟପରମ୍ପରା ମା’ଭଗବତୀଙ୍କ ମାନବୀୟ ଲୀଳାର ଏକ ପ୍ରମୁଖ ପରମ୍ପରା।
ଆଶ୍ୱିନ ମାସର ଷୋଳ ପୂଜାରେ ଯୋଗ ଦେବା ପାଇଁ ମା’ ଭଗବତୀ ନିଜେ ଚିଲିକାକୁ ବିଜେ କରି ପାଣି ତୋଳାରେ ମା’ କାଳିଜାଇଙ୍କୁ ନିମନ୍ତ୍ରଣ କରି ଭଉଣୀଙ୍କ ଆଜ୍ଞାମାଳ ସାଥିରେ ନେଇ ଆସୁଥିବାବେଳେ ମା କାଳିଜାଇ ଆଜି ମା’ ଭଗବତୀଙ୍କୁ ଶାଢ଼ି, ମହାପ୍ରସାଦ, ଚୁଡ଼ି, ଅଳତା, ସିନ୍ଦୁର, ଫୁଲମାଳ ଗୁଆ ପାନ ନଡ଼ିଆ ଦେଇ ସେବାୟତ ସହଦେବ ନାୟକ ମନ୍ଦିରରେ ପହଞ୍ଚିଥିଲେ।
ପୂଜକ ସାଆନ୍ତ ନିରଞ୍ଜନ ମହାପାତ୍ର, କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ, ସେବାୟତ ଗଣେଶ ନାୟକ, ସୁକାନ୍ତ ନାୟକ, ପ୍ରକାଶ ମହାପାତ୍ର ପ୍ରମୁଖ ନିମନ୍ତ୍ରଣ ରକ୍ଷା କରି ମା’ଙ୍କୁ ଲାଗି କରାଇଥିଲେ। ମକର ମେଳାରେ ମା, ଭଗବତୀଙ୍କ ଆଜ୍ଞାମାଳ ପହଞ୍ଚିବା ପରେ କୃଷ୍ଣପ୍ରସାଦଗଡ଼ର ରାଜା ଶ୍ରୀସନ୍ତୋଷକୁମାର ମାନସିଂହମର୍ଦ୍ଦରାଜ ଗ୍ରହଣ କରି ମା’ କାଳିଜାଇଙ୍କୁ ଲାଗି କରାଇବେ। ଦୁଇ ଶକ୍ତିପୀଠର ଏହି ମହାନ ପରମ୍ପରା ସମଗ୍ର ଉତ୍କଳରେ ନିଆରା ପରମ୍ପରା।


