ରେଢାଖୋଲ (କନ୍ଦର୍ପ ବେହେରା): ଗତ ଜାନୁଆରୀ ୨୯ ତାରିଖରୁ ଆରମ୍ଭ ହୋଇଥିବା ୪ ଦିନିଆ ଭୀମ ଭୋଇ ଲୋକମହୋତ୍ସବ ଉଦଯାପିତ ହୋଇଯାଇଛି। ଲୋକ ମହୋତ୍ସବ କମିଟିର ଅଧ୍ୟକ୍ଷ ରଶ୍ମି ରଞ୍ଜନ ମହାନ୍ତ, ଅତିଥିମାନଙ୍କୁ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ମଞ୍ଚରେ ରେଢାଖୋଲ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଶିବରାମ ସାହୁ, ନାକଟିଦେଉଳ ପଞ୍ଚାୟତ ସମିତି ଅଧ୍ୟକ୍ଷ ସ୍ୱରୂପାରାଣୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଅତିଥି ଭାବରେ ସାଂସଦଙ୍କ ପ୍ରତିନିଧି ଦେବେନ୍ଦ୍ର ମହାପାତ୍ର ରେଢାଖୋଲକୁ ମହାନ ଚେତନା ଓ ଆଧ୍ୟାତ୍ମିକ କ୍ରାନ୍ତିର ଏକ ମହାନ ପୀଠ ବୋଲି କହିଥିଲେ।
ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଏହି ରେଢାଖୋଲ ଓଡିଶାର ସାଂସ୍କୃତିକ ଇତିହାସରେ ଏକ ନୂଆ ପୃଷ୍ଠା ଯୋଡିଦେବ ବୋଲି କହିଥିଲେ। ସେହିପରି ଅନ୍ୟତମ ଅତିଥି ଭାବରେ ଗଙ୍ଗାଧର ମେହେର ବିଶ୍ବବିଦ୍ଯାଳୟର ଇତିହାସ ବିଭାଗର ମୁଖ୍ୟ ଗବେଷକ ଅତୁଲ ପ୍ରଧାନ ରେଢାଖୋଲ ମାଟି ହେଉଛି ପ୍ରାଗ୍ ଐତିହାସିକ ଯୁଗର ଜୀବନ୍ତ ଦସ୍ତାବିଜ୍। ଏଥି ପାଇଁ ଗବେଷଣା ଓ ଉତ୍ ଖନନ ଉପରେ ଗୁରୁତ୍ୱ ଆରୋପ କରିଥିଲେ।
ଉତ୍ତରାଞ୍ଚଳ କୃଷି ବିଭାଗର ଅଧିକ୍ଷକ ନରେନ୍ଦ୍ର କୁମାର ପଣ୍ଡା ଏଠାରେ ଚାଲିଥିବା କୃଷିମେଳାର ସୁଯୋଗ ନେବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ସମ୍ବଲପୁର ଜିଲ୍ଲାପାଳ ଡ. ସିଦ୍ଧେଶ୍ୱର ବଳୀରାମ ବୋନ୍ଦର ଏବଂ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିବା ସହ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
ଏହି ଉପଲକ୍ଷେ ସ୍ୱର୍ଗତଃ ସାମ୍ବାଦିକ ରମାକାନ୍ତ ମହାନନ୍ଦ, ଶହୀଦ ଯବାନ ରଞ୍ଜନ କୁମାର ସାହୁ, ଶହୀଦ ଯବାନ ଶୁକଦେବ ପ୍ରଧାନ, ଚମ୍ପେଶ୍ବର ମହାକୁଡଙ୍କ ପରିବାର ର ପ୍ରତିନିଧିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଆଶା କର୍ମୀ ତାରିଣୀ ସମର୍ଥା, ଅଙ୍ଗନବାଡି କର୍ମୀ ପ୍ରୀତିରାଣୀ ଦାସ, ଆନ୍ତର୍ଜାତୀୟ କ୍ରୀଡାବିତ ଅମିୟ କୁମାର ପ୍ରଧାନ, କବି ଦିବାକର ଭୋଇ, ରକ୍ତଦାତା ପ୍ରମୋଦ ସାହୁ, ଶସ୍ୟ ବିଜ୍ଞାନ ଗବେଷକ ଡ. ଗୌରୀଶଙ୍କର ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା।
ସେହିପରି ବିଶିଷ୍ଟ ଚିତ୍ର ଶିଳ୍ପୀ ସୁଧୀର ସ୍ୱାଇଁ ଲୋକ ମହୋତ୍ସବ ର ଲୋଗୋ ଡିଜାଇନ କରିଥିବାରୁ ଏବଂ ଲୋକ ମହୋତ୍ସବ ଗୀତର ଗୀତିକାର ଉମାକାନ୍ତ ମହାନନ୍ଦଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା। ସଫଳ ଚାଷୀ ଯୋଶଦା ମେଶ୍ୱା, ନିତ୍ୟାନନ୍ଦ ଦେହୁରି, ପାର୍ବତୀ ସେଠି, ଗଣେଶ୍ୱର ସାହୁ, କେଦାର ଦେହୁରି ଓ ପ୍ରଶାନ୍ତ କୁମାର ସିଂହ ମଧ୍ୟ ସମ୍ବର୍ଦ୍ଧିତ ହୋଇଥିଲେ। ସାଂସ୍କୃତିକ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା ଖୋର୍ଧାର ପାଇକ ନୃତ୍ୟ, ଲୋଇସିଂଗାର ରସରକେଲି ନୃତ୍ୟ, ରାୟଗଡାର ଢେମସା, ବଲାଙ୍ଗିର ର ସମ୍ବଲପୁରୀ ଲୋକନୃତ୍ୟ। ଅର୍ଚ୍ଚନା ପାଢୀଙ୍କ ସଂଗୀତର ଯାଦୁ ସଭିଙ୍କ ମନ ଜିଣିଥିଲା। ହାସ୍ୟ ଅଭିନେତା ମି. ଗୁଲୁଆ ହାସ୍ୟରସାତ୍ମକ କାର୍ଯ୍ୟକ୍ରମ ଲୋକମାନଙ୍କୁ ବେଶ୍ ହସାଇଥିଲା।
ଏହି ଅବସରରେ ଲୋକ ମହୋତ୍ସବ ର ସ୍ମରଣିକା ଉନ୍ମୋଚନ କରାଯାଇ ଥିଲା। ସ୍ମରଣିକାର ସମ୍ପାଦକ ମଣ୍ଡଳୀ, ସଂଗୀତ ଓ ନୃତ୍ୟ ପ୍ରତିଯୋଗିତାର ବିଚାରକ ମଣ୍ଡଳୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।


