ରଣପୁର: ପବିତ୍ର ମହାଶିବରାତ୍ରୀ ଅବସରରେ ରଣପୁର ଅଞ୍ଚଳ ଭକ୍ତି ଓ ଆଧ୍ୟାତ୍ମିକତାର ରଙ୍ଗରେ ରଙ୍ଗାଇ ଯାଇଥିଲା। “ଓଁ ନମଃ ଶିବାୟ” ଶିବ ପଞ୍ଚାକ୍ଷର ଧ୍ୱନିରେ ଗୁଞ୍ଜିଉଠିଥିଲା ସମଗ୍ର ଅଞ୍ଚଳର ଶୈବ ମନ୍ଦିରଗୁଡ଼ିକ। ଜାଗର ବ୍ରତ ପାଳନ କରି ମହାଦେବଙ୍କ ଦର୍ଶନ ପାଇଁ ଶହ ଶହ ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡି ସକାଳୁଠାରୁ ରାତି ପର୍ଯ୍ୟନ୍ତ ଲାଗି ରହିଥିଲା।
ଭକ୍ତମାନେ ଉପବାସ ରଖି ଉପାସନା କରିବା ସହ ଉଜାଗର ରହି ଜାଗର ଦୀପ ଜାଳିଥିଲେ। ଜପ, ତପ, ନାମ ସଂକୀର୍ତ୍ତନ ଓ ମହାମୃତ୍ୟୁଞ୍ଜୟ ମନ୍ତ୍ରୋଚ୍ଚାରଣରେ ମନ୍ଦିର ପରିସର ପ୍ରକମ୍ପିତ ହୋଇଯାଇଥିଲା। ଢୋଲ, ଘଣ୍ଟା ଓ ଶଙ୍ଖ ଧ୍ୱନିରେ ପରିବେଶ ହୋଇଉଠିଥିଲା ଅଧିକ ପବିତ୍ର ଓ ଭାବଗମ୍ଭୀର।
ଏହି ଅବସରରେ ଚଣ୍ଡେଶ୍ୱର ଦେବ ମନ୍ଦିର, ସ୍ୱପନେଶ୍ୱର ଦେବ ମନ୍ଦିର, ବାଲୁଙ୍କେଶ୍ୱର ଦେବ ମନ୍ଦିର, ପୁରୁଣାବସନ୍ତ ବାଲୁଙ୍କେଶ୍ୱର ଦେବ, ବଜ୍ରକୋଟ ବାଲୁଙ୍କେଶ୍ୱର ଦେବ ଓ କମଲେଶ୍ୱରଦେବ ପୀଠ ସହିତ ରଣପୁର ବ୍ଲକର ସମସ୍ତ ଶୈବ ପୀଠରେ ଧୂମଧାମରେ ଜାଗର ଯାତ୍ରା ପାଳିତ ହୋଇଥିଲା।
ମନ୍ଦିରଗୁଡ଼ିକୁ ବିଭିନ୍ନ ଫୁଲମାଳା, ଆଲୋକ ସଜ୍ଜା ଓ ଦୀପମାଳିକାରେ ସୁସଜ୍ଜିତ କରାଯାଇଥିଲା। କେତେକ ସ୍ଥାନରେ ଭଜନ ସନ୍ଧ୍ୟା ଓ ଧାର୍ମିକ ସାସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଭକ୍ତମାନଙ୍କୁ ଆଧ୍ୟାତ୍ମିକ ଆନନ୍ଦରେ ମଗ୍ନ କରିଥିଲା।
ଶାନ୍ତି-ଶୃଙ୍ଖଳା ରକ୍ଷା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଥିଲା। ସମଗ୍ର ଅଞ୍ଚଳରେ ଭକ୍ତି, ଶ୍ରଦ୍ଧା ଓ ଆସ୍ଥାର ଏକ ଅପୂର୍ବ ମିଶ୍ରଣ ଦେଖିବାକୁ ମିଳିଥିଲା।
ଏପରି ଭାବେ ଜାଗର ଯାତ୍ରା ରଣପୁରରେ ଧାର୍ମିକ ଉତ୍ସାହ ଓ ସାମୁହିକ ଭକ୍ତିର ଏକ ସୁନ୍ଦର ପରିଚୟ ସୃଷ୍ଟି କରି ସଫଳତାର ସହ ସମାପ୍ତ ହୋଇଛି। “ହର ହର ମହାଦେବ” ଧ୍ୱନିରେ ଗୁଞ୍ଜିଉଠିଥିଲା ସମଗ୍ର ଅଞ୍ଚଳ।


