ଭୁବନେଶ୍ଵର: ଓଡ଼ିଶାର ଅଗ୍ରଣୀ ମନୋରଞ୍ଜନ ଚ୍ୟାନେଲ୍ ‘ଜୀ ସାର୍ଥକ’ ଏହାର ନୂତନ ମେଗା ସିରିଏଲ୍ ‘କିଛି ସତ କିଛି ମିଛ’ ମାଧ୍ୟମରେ ଦର୍ଶକଙ୍କୁ ଏକ ଭିନ୍ନ ସ୍ୱାଦର କାହାଣୀ ଭେଟି ଦେବାକୁ ଯାଉଛି। ଏହି ମେଗା ଧାରାବାହିକ ଆସନ୍ତା ମାର୍ଚ୍ଚ ୨ ତାରିଖରୁ ସୋମବାର ରୁ ଶନିବାର ରାତି ୮ଟାରେ ପ୍ରସାରିତ ହେବ।
କେନ୍ଦ୍ରାପଡ଼ାର ଏକ ଶାନ୍ତ ଉପକୂଳବର୍ତ୍ତୀ ଗ୍ରାମର ପୃଷ୍ଠଭୂମିରେ ଆଧାରିତ ଏହି ଧାରାବାହିକରେ ଦୁଇ ଭଉଣୀଙ୍କ ଭାବପ୍ରବଣ ସମ୍ପର୍କର ଯାତ୍ରାକୁ ଦର୍ଶାଯାଇଛି। ଶାନ୍ତ ଓ ନୀତିବାନ ‘ଛବି’ ଏବଂ ସାହସୀ ତଥା ଜିଦ୍ଖୋର ‘ଛାୟା’ଙ୍କ ମଧ୍ୟରେ ଥିବା ଅତୁଟ ଭଲପାଇବା ସେତେବେଳେ ସଙ୍କଟରେ ପଡ଼େ, ଯେତେବେଳେ ଶକ୍ତିଶାଳୀ ମଙ୍ଗରାଜ ପରିବାର ସହ ଏକ ଜମି ଜାଲିଆତି କାରବାରରେ ସେମାନଙ୍କ ବାପାଙ୍କର ଦୁଃଖଦ ମୃତ୍ୟୁ ଘଟେ। ଛବି ଯିଏ କି ସରଳ ବିଶ୍ୱାସୀ ଓ ନିଜ ବୁଦ୍ଧି ବିବେକ ଅନୁସାରେ ସଚ୍ଚୋଟ ମାର୍ଗରେ କାମ କରେ ହେଲେ ଛାୟା ଯିଏ କି ସାହସୀ ଓ ନିର୍ଭୀକ କିନ୍ତୁ ନ୍ୟାୟ ପାଇବା ପାଇଁ ଭୁଲ ଆଉ ଠିକ କିଛି ନଭାବି ଯେ କୌଣସି ରାସ୍ତାରେ ଯିବାକୁ ପ୍ରସ୍ତୁତ ରହିଥାଏ।
କାହାଣୀରେ ମୋଡ଼ ଆସେ ଯେତେବେଳେ ଛବି ଧିରେ ଧିରେ ମଙ୍ଗରାଜ ପରିବାରର ପୁଅ ‘ଆଲୋକ’ ସହ ପ୍ରେମରେ ପଡ଼ିଯାଏ। ଅନ୍ୟପଟେ ଛାୟାର ପ୍ରତିଶୋଧ ପରାୟଣ ମନୋଭାବ। ପ୍ରତିଶୋଧ ଏବଂ ନ୍ୟାୟର ନିଆଁରେ ଜଳୁଥିବା ଛାୟା ନେବ କି ପ୍ରତିଶୋଧ, ଯଦି ନେବ କିପରି ? ସତ କଣ କେବେ ଜଣା ପଡିବ ? ଦୁଇ ଭଉଣୀଙ୍କ ସମ୍ପର୍କ କିପରି ହେବ ? ଏମିତି ବହୁ ପ୍ରଶ୍ନର ଉତ୍ତର ମିଳିବ ଏହି ନୂତନ ମେଗା ଧାରାବାହିକ ‘କିଛି ସତ କିଛି ମିଛ’ରେ।
ଏହି ମେଗା ସିରିଏଲ୍ରେ ଆଲୋକ ଭୂମିକାରେ ଆର୍ଯ୍ୟ ପ୍ରଧାନ, ଛବି ଭୂମିକାରେ ଅର୍ଚ୍ଚିତା ରାଉତ ଏବଂ ଛାୟା ଭୂମିକାରେ ଅଦିତି ଦାଶ ଅଭିନୟ କରିଛନ୍ତି।
ଏହି କାହାଣୀ ମଧ୍ୟ ଆମର ସବୁ ମେଗା ଧାରାବାହିକର କାହାଣୀ ପରି ଓଡ଼ିଶାର ପରମ୍ପରା, ଗ୍ରାମୀଣ ଜୀବନ ଏବଂ ନୈତିକ ମୂଲ୍ୟବୋଧର ଏକ ସୁନ୍ଦର ଚିତ୍ର ପ୍ରଦାନ କରିବା ସହ ଭଲପାଇବା, ବିଶ୍ୱସ୍ତତା, ସତ୍ୟ ଏବଂ ପ୍ରତାରଣାର ସମନ୍ୱୟରେ ଗଢ଼ା ଧାରାବାହିକ ପ୍ରମାଣ କରେ ଯେ, କେବେ କେବେ ସତ ଏବଂ ମିଛ ମଧ୍ୟରେ ଥିବା ସୀମାରେଖା ଅତି ସୂକ୍ଷ୍ମ ହୋଇଥାଏ ବୋଲି କହିଛନ୍ତି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ରାହୁଲ ରାଓ।


