ଭୁବନେଶ୍ଵର: ହୋଲି ପର୍ବକୁ ବର୍ଜନ କଲେ ରାଜ୍ୟ ଠିକାଦାର ସଂଘ। ଦୀର୍ଘ ୧୨ ଦିନ ହେଲା ରାଜ୍ୟର ୮୦ ହଜାର ଠିକାଦାର ଧାରଣାରେ ବସିଛନ୍ତି। ରାଜ୍ୟର ଲକ୍ଷ ଲକ୍ଷ ଶ୍ରମିକ ଓ ଦିନ ମଜୁରିଆମାନେ ୧୨ ଦିନ ଧରି କାମ ନ ପାଇ ଘରେ ବସିଛନ୍ତି। କିନ୍ତୁ ଓଡିଶା ସରକାର ଓଡ଼ିଆ ଠିକାଦାରମାନଙ୍କୁ ଜାଣିଶୁଣି କିଭଳି ଭାବରେ ହଇରାଣ ହରକତ କରାଯିବ ଏବଂ କିଭଳି ସେମାନଙ୍କ ପାଖରୁ କୋଟି କୋଟି ଟଙ୍କା ଉତ୍କଚ ଆଦାୟ କରାଯିବାର ବାଟ ଫିଟାଇ ସାରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି।
ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କଂଗ୍ରେସର ବରିଷ୍ଠ ମୁଖପାତ୍ର ରଜନୀ କୁମାର ମହାନ୍ତି କହିଥିଲେ ଯେ, ପୂର୍ବ ସରକାର ସମୟରେ ଟେଣ୍ଡର ବିଡିଂ ପ୍ରକ୍ରିୟାରେ ଠିକାଦାରମାନେ କୌଣସି ଠିକା କାମରେ ଧାର୍ଯ୍ୟ ମୂଲ୍ୟଠାରୁ ୧୪.୯୯ ପ୍ରତିଶତ କମ୍ କରି ଟେଣ୍ଡର ପକାଇବା ପାଇଁ ନିୟମ ଥିଲା। କିନ୍ତୁ ଏହି ସରକାର ଆସିଲା ପରେ ଏହି ନିୟମକୁ ବଦଳାଇ ଟେଣ୍ଡର ବିଡିଂ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିବା ଠିକାଦାରମାନେ ଯେତେ ଲେସ୍ ରେଟ୍ ରେ ପକାଇପାରିବେ ଏହାର କୌଣସି ସୀମା ରଖିଲେ ନାହିଁ। ସେହିପରି ରାଜ୍ୟରେ ୩୫ ହଜାର କୋଟି ଟଙ୍କାର ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ ରାଜ୍ୟ ବାହାରର ଠିକାଦାରମାନଙ୍କୁ ଦିଆଯାଇଛି।
ସବୁଠାରୁ ଆଶ୍ଚର୍ଯ୍ୟର କଥା ମଧ୍ୟପ୍ରଦେଶର ଏକ କଳାତାଲିକାଭୁକ୍ତ ଠିକା କମ୍ପାନୀକୁ ନିଜ ରାଜ୍ୟରେ କାମ ମିଳୁନାହିଁ। କିନ୍ତୁ ଓଡ଼ିଶାରେ ଏହି ଡବଲ ଇଞ୍ଜିନ ସରକାର ସମୟରେ ଏହି କମ୍ପାନୀକୁ କାହା ଦୟାରେ ୫୦୦ କୋଟି ଟଙ୍କାର ପାନୀୟଜଳ ପ୍ରକଳ୍ପର ଠିକାଦାରୀ ମିଳିଛି ବୋଲି ରଜନୀ ପ୍ରଶ୍ନ କରିଛନ୍ତି।
ତେଣୁ ରାଜ୍ୟ କଂଗ୍ରେସର ଦାବି ସରକାର ଟେଣ୍ଡର ବିଡିଂର ଯେଉଁ ନିୟମ ପରିବର୍ତ୍ତନ କରିଛନ୍ତି, ତାହାକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ। ଓଡ଼ିଶାର ଠିକାଦାରମାନଙ୍କୁ ନିର୍ଦ୍ଧାରିତ ରେଟ୍ରେ କାମ ଦିଅନ୍ତୁ। ପ୍ରତି ଦୁଇବର୍ଷରେ ସିଡିୟୁଲୁ ରେଟ୍
ରିଭିଜନ କରନ୍ତୁ। ଦଲାଲିକରି ପଇସା ଖାଇବା ପାଇଁ ନିୟମ କରନ୍ତୁ ନାହିଁ ବୋଲି ସେ କହିଛନ୍ତି।
ରାଜ୍ୟ ଠିକାଦାର ସଂଘ ଦାବି କରିଛି ଯେ, ସରକାର ଖୁବ ଶୀଘ୍ର ଦୃଷ୍ଟିରେ ରଖି ସମାଧାନ କରନ୍ତୁ ଯାହା ଫଳରେ ପରିବାରଠୁ ଦୂରେଇ ଧାରଣାରେ ବସିଥିବା ଠିକାଦାର ମାନେ ପରିବାର ସହିତ ଯୋଡି ହୋଇପାରିବେ।


