ଭୁବନେଶ୍ଵର: ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ପବିତ୍ର ରାମନବମୀ ଅବସରରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମା ସୁଭଦ୍ରାଙ୍କ ଆଜ୍ଞାମାଳ ପହଞ୍ଚିବା ପରେ କଟକ ଖପୁରିଆ ସ୍ଥିତ କରତ କଳ ପରିସରରେ ରଥ କାଠ ଚିରଟ ଅନୁକୂଳ କାର୍ଯ୍ୟ ସମ୍ପନ୍ନ ହୋଇଛି। ପରମ୍ପରା ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ୩ଟି ଧଉରା କାଠ ଚିରଟ କରାଯାଇଥିବା ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି।
ଆସନ୍ତା ଜୁଲାଇ ୧୬ ତାରିଖରେ ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ, ଏହା ପାଇଁ ମୋଟ ୮୬୫ ଖଣ୍ଡ କାଠର ଆବଶ୍ୟକତା ରହିଛି। ଗତବର୍ଷର ୪୭ ଖଣ୍ଡ କାଠ ବଳକା ଥିବାରୁ ଚଳିତବର୍ଷ ବନ ବିଭାଗ ପକ୍ଷରୁ ୮୧୮ ଖଣ୍ଡ କାଠ ଯୋଗାଣ କରାଯିବ। ନୟାଗଡ଼ର ଦଶପଲ୍ଲା ସହ ବିଭିନ୍ନ ଜିଲ୍ଲାର ଜଙ୍ଗଲରୁ ଅସନ, ଧଉରା, ଫାସୀ ଆଦି ମୂଲ୍ୟବାନ କାଠ ସଂଗ୍ରହ କରାଯାଇ କଟକ ଖପୁରିଆ କରତ କଳକୁ ଆଣାଯିବ। ଏଠାରେ ଅନୁଯାୟୀ ମେସିନ୍ ସାହାଯ୍ୟରେ ପର୍ଯ୍ୟାୟକ୍ରମେ କାଠ ଚିରଟ କରାଯିବ।


