ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବେଲଗୁଣ୍ଠା ଥାନା ତନରଡ଼ା ପଞ୍ଚାୟତ ଅନ୍ତର୍ଗତ ସରନୁଆଁପଲ୍ଲୀ ଠାରେ ଏକ ଅଭବନୀୟ ଘଟଣା ଦେଖିବାକୁ ମିଳିଛି। ଗତ ସୋମବାର ବିଳମ୍ବିତ ରାତିରେ ଘରୋଇ କଳହରୁ ପ୍ରଥମେ ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ନିଜେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି।
ସୂଚନା ଅନୁଯାୟୀ ପ୍ରାୟ ୭ବର୍ଷ ପୂର୍ବେ ସରନୁଆଁପଲ୍ଲୀ ଗ୍ରାମର ଚିତ୍ରସେନ ନାଇକ ଓ ତନରଡ଼ା ଗ୍ରାମର ପୂଜା ଦାଶ ମଧ୍ୟରେ ପ୍ରେମ ବିବାହ ହୋଇଥିଲା। ସେମାନେ ପ୍ରାୟ ୪ବର୍ଷ ଏକାଠି ରହିବା ପରେ ଚିତ୍ରସେନ କୌଣସି କାମଧନ୍ଦା କରୁ ନ ଥିବାରୁ ଉଭୟଙ୍କ ମଧ୍ୟରେ ଅଧିକାଂଶ ସମୟରେ ପାରିବାରିକ କଳହ ଲାଗି ରହୁଥିଲା। ପରବର୍ତ୍ତୀ ସମୟରେ ମଜୁରୀ କାମ କରିବାକୁ ଚିତ୍ରସେନ ଓ ପୁଜା ଭୁବନେଶ୍ୱର ଚାଲିଯାଇଥିଲେ। ରବିବାର ରାତିରେ ପୂଜା ଓ ଚିତ୍ରସେନ ସରନୁଆଁପଲ୍ଲୀ ଗ୍ରାମକୁ ବ୍ୟାଙ୍କ କାମ ଥିବାରୁ ଆସିଥିଲେ।
ସୋମବାର ରାତିରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇ ତାହା ଉଗ୍ରରୂପ ନେଇଥିଲା। ଯାହା ଫଳରେ ପନିକିରେ ଚିତ୍ରସେନ ପୂଜାକୁ ଆକ୍ରମଣ କରିଥିବା ଜଣାପଡ଼ିଛି। ପୂଜାର ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି। ଆକ୍ରମଣରେ ପୂଜାର ମୃତ୍ୟୁ ପରେ ଚିତ୍ରସେନ ଗ୍ରାମ ଠାରୁ କିଛି ଦୂରରେ ଥିବା ଏକ ଗଛରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର ହୋଇଛି। ଏହା ପରେ ଗାଁ ଲୋକେ ବେଲଗୁଣ୍ଠା ଥାନାରେ ଖବର ଦେଇଥିଲେ।
ଭଞ୍ଜନଗର ଏସଡିପିଓ ଦୀପକ ମିଶ୍ର ଓ ଥାନା ଅଧିକାରୀ ରେବତୀ ଶବର ଅନ୍ୟ କର୍ମଚାରୀମାନଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କ ଶବ ଉଦ୍ଧାର କରି ପୁଜାର ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇଥିବା ବେଳେ ଚିତ୍ରସେନର ଶବକୁ ବ୍ୟବଛେଦ ପାଇଁ ଭଞ୍ଜନଗର ଡାକ୍ତରଖାନାକୁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।


