କୋଲକାତା: ପଶ୍ଚିମବଙ୍ଗ ବିଧାନସଭାର ୧୫୨ ଆସନ ଲାଗି ଗୁରୁବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟି ଆରମ୍ଭ ହୋଇଛି। ୧୬ ଜିଲାରେ ହେବାକୁ ଥିବା ଏହି ମତଦାନ ୪୪,୩୭୬ଟି ବୁଥ୍ରେ ଅନୁଷ୍ଠିତ ହେଉଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମୋଟ ୪୦୭ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ ନିୟୋଜିତ ହୋଇଛନ୍ତି। ସବୁ ବୁଥ୍ରେ ଓ୍ବେବ୍କାଷ୍ଟିଂ କରାଯିବ। ଏହି ପର୍ଯ୍ୟାୟରେ ୩.୬୦ କୋଟି ଯୋଗ୍ୟ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ସେଥିରୁ ୧.୮୪ କୋଟି ପୁରୁଷ, ୧.୭୫ କୋଟି ମହିଳା ଏବଂ ୪୬୫ ଜଣ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି। ମାଲଦା, ମୁର୍ଶିଦାବାଦ, ଉତ୍ତର ଦିନାଜପୁର, କୁଚ୍ବିହର, ବୀରଭୂମ ଓ ବର୍ଦ୍ଧମାନ ଭଳି କେତେକ ଜିଲା ଆଂଶିକ ସମ୍ବେଦନଶୀଳ ହୋଇଥିବାବେଳେ ସେଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଶୁଭେନ୍ଦୁ ଅଧିକାରୀ, ମମତା ବାନାର୍ଜୀ, ନିଶିଥ ପ୍ରାମାଣିକ, ଉଦୟନ ଗୁହା, ଗୌତମ ଦେବ ଏବଂ ଅଧୀର ରଞ୍ଜନ ଚୌଧୁରୀ ପ୍ରମୁଖ ରହିଛନ୍ତି।
ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ଦିଦି ବନାମ ମୋଦି ଟକ୍କରରେ କିଏ ହାତେଉଛି ତାହା ଦେଖିବାକୁ ବାକି ରହିଲା ।


