ଆସନ୍ତା ୩ ତାରିଖ, ବୁଧବାର କଟକଠାରେ ଏମଏସଏମଇଗୁଡ଼ିକ ପାଇଁ ଜରୁରୀକାଳୀନ କ୍ରେଡିଟ୍ ଲାଇନ ଗ୍ୟାରେଣ୍ଟି ଯୋଜନା (ଇସିଏଲଜିଏସ ୫.୦)କୁ ନେଇ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ୟୁକୋ ବ୍ୟାଙ୍କର ମହାପ୍ରବନ୍ଧକ ଏବଂ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର ସଂଯୋଜକ ପ୍ରଣବ କୁମାର ବିଶ୍ୱାସ କହିଛନ୍ତି, ବୁଧବାର କଟକର ଲିଡ୍ ଜିଲ୍ଲା ବ୍ୟାଙ୍କ କାର୍ଯ୍ୟାଳୟ ଦ୍ୱାରା ପ୍ରମୋଦ ସମ୍ମିଳନୀ କକ୍ଷ, ମହାନଦୀ ରିଙ୍ଗ ରୋଡରେ ଏକ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଇସିଏଲଜିଏସ ୫.୦ ଯୋଜନାର ବ୍ୟାପକ ପ୍ରଚାର ଏବଂ ଅଂଶୀଦାରମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ।
ସେ କହିଛନ୍ତି ଯେ ଏହି ଯୋଜନା ରାଜ୍ୟର ଏମଏସଏମଇ ୟୁନିଟ୍ ପାଇଁ ସ୍ୱଳ୍ପକାଳୀନ ଆର୍ଥିକ ଆହ୍ୱାନ ଦୂର କରିବା, ନିଯୁକ୍ତି ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଶିଳ୍ପ କାର୍ଯ୍ୟକଳାପରେ ନିରନ୍ତରତା ବଜାୟ ରଖିବାରେ ସହାୟକ ହେବ। ଏହି ଯୋଜନା ପଶ୍ଚିମ ଏସିଆ ସଙ୍କଟରୁ ଉପୁଜିଥିବା ସାମୟିକ ଆର୍ଥିକ ଅସନ୍ତୁଳନକୁ ଦୂର କରିବା ପାଇଁ ଯୋଗ୍ୟ ଋଣଗ୍ରହୀତାଙ୍କ ପାଇଁ ପ୍ରଦାନ କରାଯାଇଥିବା ଅତିରିକ୍ତ କ୍ରେଡିଟ୍ ସୁବିଧା ଅଧୀନରେ ଡିଫଲ୍ଟ ପରିମାଣ ପାଇଁ ସଦସ୍ୟ ଋଣ ପ୍ରଦାନକାରୀ ସଂସ୍ଥା (ଏମଏଲଆଇ)ଗୁଡ଼ିକୁ ଋଣ ଗ୍ୟାରେଣ୍ଟି ସୁରକ୍ଷା ପ୍ରଦାନ କରିବ। ଏହାଦ୍ୱାରା ବିମାନ କ୍ଷେତ୍ରର ସଂସ୍ଥାଗୁଡ଼ିକ ସମେତ ଅଣଏମଏସଏମଇ ପାଇଁ ୯୦% ଏବଂ ଏମଏସଏମଇ ସଂସ୍ଥାଗୁଡ଼ିକ ପାଇଁ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଋଣ ପ୍ରୋତ୍ସାହନ ଦିଆଯାଇପାରିବ। ଏହି ଯୋଜନାରେ ଆକର୍ଷଣୀୟ ସୁଧ ହାର ସହିତ କୌଣସି ଗ୍ୟାରେଣ୍ଟି ଫି ନାହିଁ। ଏହାବ୍ୟତୀତ ଋଣ ସୁବିଧା ମଞ୍ଜୁର ପାଇଁ କୌଣସି ପ୍ରକ୍ରିୟାକରଣ ଶୁଳ୍କ ଏବଂ ଋଣର ଶୀଘ୍ର ପରିଶୋଧ ପାଇଁ କୌଣସି ଆଗୁଆ ପୈଠ ଜରିମାନା ବ୍ୟବସ୍ଥା ମଧ୍ୟ ନାହିଁ।
ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଇସିଏଲଜିଏସ ୫.୦ ଯୋଜନାର ଢାଞ୍ଚା, ଯୋଗ୍ୟତା ମାନଦଣ୍ଡ, ଲାଭ ଏବଂ କାର୍ଯ୍ୟାନ୍ୱୟନ ପ୍ରକ୍ରିୟା ସମ୍ପର୍କରେ ବ୍ୟାଙ୍କ, ଏମଏସଏମଇ ୟୁନିଟ୍ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ଅଂଶୀଦାରମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା, ଯାହା ଦ୍ଵାରା ସର୍ବାଧିକ ସଂଖ୍ୟକ ଯୋଗ୍ୟ ୟୁନିଟ୍ ଏହାର ଲାଭ ଉଠାଇପାରିବେ।
ଅଧିକ ସୂଚନା ଏବଂ ଯୋଜନା ଅଧୀନରେ ଲାଭ ପାଇବା ପାଇଁ, ଆଗ୍ରହୀ ଓ ଯୋଗ୍ୟ ୟୁନିଟମାନେ ଜନସମର୍ଥ ପୋର୍ଟାଲ୍ ମାଧ୍ୟମରେ ଆବେଦନ କରିପାରିବେ। ଏଥିପାଇଁ ନିର୍ଦ୍ଧାରିତ ଫର୍ମରେ ଆବଶ୍ୟକ ବିବରଣୀ ସ୍ୱୟଂ-ଘୋଷଣା ଦେବାକୁ ହେବ। ଆଗ୍ରହୀ ୟୁନିଟଗୁଡ଼ିକ ସେମାନଙ୍କ ସମ୍ପୃକ୍ତ ବ୍ୟାଙ୍କ ଶାଖା ସହିତ ଯୋଗାଯୋଗ କରି ଆବେଦନ କରିବା ଉଚିତ ବୋଲି ଶ୍ରୀ ବିଶ୍ୱାସ କହିଛନ୍ତି।
ସୂଚନା ଯୋଗ୍ୟ, କେନ୍ଦ୍ର କ୍ୟାବିନେଟ୍ ଏମଏସଏମଇ ୟୁନିଟ୍ ଏବଂ ବିମାନ ଚଳାଚଳ କ୍ଷେତ୍ରକୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ଜରୁରୀକାଳୀନ କ୍ରେଡିଟ୍ ଲାଇନ ଗ୍ୟାରେଣ୍ଟି ଯୋଜନା (ଇସିଏଲଜିଏସ ୫.୦)କୁ ଅନୁମୋଦନ କରିଛି। ବର୍ତ୍ତମାନର ବିଶ୍ୱ ପରିସ୍ଥିତି, ବିଶେଷକରି ଏଟିଏଫ ମୂଲ୍ୟରେ ବୃଦ୍ଧି, ଆକାଶସୀମା ପ୍ରତିବନ୍ଧକ ଏବଂ ପରିଚାଳନାଗତ ଆହ୍ୱାନ କାରଣରୁ ଉପୁଜିଥିବା ଆର୍ଥିକ ଚାପକୁ ହ୍ରାସ କରିବା ଉଦ୍ଦେଶ୍ୟରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଇଛି।
ଏହି ଯୋଜନା ଅଧୀନରେ, ସଦସ୍ୟ ଋଣ ପ୍ରଦାନକାରୀ ସଂସ୍ଥା (ଏମଏଲଆଇ)ଗୁଡ଼ିକୁ ନେସନାଲ କ୍ରେଡିଟ୍ ଗ୍ୟାରେଣ୍ଟି ଟ୍ରଷ୍ଟି କମ୍ପାନୀ ଲିମିଟେଡ୍ (ଏନସିଜିଟିସି) ଦ୍ୱାରା ଏମଏସଏମଇ ୟୁନିଟ୍ ପାଇଁ ୧୦୦ ପ୍ରତିଶତ ଏବଂ ଅଣ-ଏମଏସଏମଇ ଏବଂ ବିମାନ କ୍ଷେତ୍ର ପାଇଁ ୯୦ ପ୍ରତିଶତ ପର୍ଯ୍ୟନ୍ତ ଋଣ ଗ୍ୟାରେଣ୍ଟି ସୁରକ୍ଷା ବା କ୍ରେଡିଟ୍ ଗ୍ୟାରେଣ୍ଟି କଭର ପ୍ରଦାନ କରାଯିବ।
ଆର୍ଥିକ ବର୍ଷ ୨୦୨୫-୨୬ର ଚତୁର୍ଥ ତ୍ରୈୟମାସରେ ଏମଏସଏମଇ ୟୁନିଟ୍ଗୁଡ଼ିକ ଦ୍ୱାରା ଚଳନ୍ତି ପୁଞ୍ଜି ବ୍ୟବହାରର ୨୦ ପ୍ରତିଶତ ପର୍ଯ୍ୟନ୍ତ ଅତିରିକ୍ତ ଋଣ ଉପଲବ୍ଧ କରାଯାଇପାରେ। ତେବେ ଏହାର ସର୍ବାଧିକ ସୀମା ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ହେବ। ଯୋଜନା ଅଧୀନରେ ମଞ୍ଜୁର ହୋଇଥିବା ଋଣ ଉପରେ ଗ୍ୟାରେଣ୍ଟି ସୁରକ୍ଷା, ଋଣ ଅବଧି ସହିତ ହିଁ ସମାପ୍ତ ହେବ। ଏହି ଯୋଜନା ଏନସିଜିଟିସି ଦ୍ୱାରା ଜାରି ମାର୍ଗଦର୍ଶିକା ତାରିଖ ଠାରୁ ୩୧ ମାର୍ଚ୍ଚ, ୨୦୨୭ ପର୍ଯ୍ୟନ୍ତ କିମ୍ବା ମୋଟ୍ ୨.୫୫ ଲକ୍ଷ କୋଟି ଟଙ୍କାର ଗ୍ୟାରେଣ୍ଟି ଜାରି ହେବା ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ଦୁଇଟି ସର୍ତ୍ତ ମଧ୍ୟରୁ ଯାହା ପ୍ରଥମେ ହେବ ତାହା ହିଁ ମଞ୍ଜୁର ଋଣ ଉପରେ ଲାଗୁ ହେବ।
ଇସିଏଲଜିଏସ ୫.୦ ଯୋଜନା ଏମଏସଏମଇ କ୍ଷେତ୍ର ପାଇଁ ବିଶେଷ ଲାଭଦାୟକ ପ୍ରମାଣିତ ହେବ। କାରଣ ଏହା ମାଧ୍ୟମରେ ଯୋଗ୍ୟ ଏମଏସଏମଇ ୟୁନିଟଗୁଡ଼ିକୁ କୌଣସି ଅତିରିକ୍ତ ଗ୍ୟାରେଣ୍ଟି ଶୁଳ୍କ ବିନା ସହଜ ଏବଂ ଶୀଘ୍ର ଋଣ ସହାୟତା ଯୋଗାଇ ଦିଆଯିବ। ଏହି ଯୋଜନା ଜରିଆରେ ଚଳନ୍ତି ପୁଞ୍ଜିର ବୃଦ୍ଧି ସହିତ, ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗଗୁଡ଼ିକ ବର୍ତ୍ତମାନର ଆର୍ଥିକ ଆହ୍ୱାନ, ବର୍ଦ୍ଧିତ ଖର୍ଚ୍ଚ ଏବଂ ବଜାର ଅନିଶ୍ଚିତତାକୁ ଦୂର କରିବାରେ ସହାୟତା ପାଇବେ। ଏହି ଯୋଜନା ଉତ୍ପାଦନ, ନିଯୁକ୍ତି ସୃଷ୍ଟି ଏବଂ ବ୍ୟବସାୟିକ କାର୍ଯ୍ୟକଳାପରେ ଦୀର୍ଘସ୍ଥାୟିତ୍ୱ ବଜାୟ ରଖିବାରେ ସାହାଯ୍ୟ କରିବ ଏବଂ ଓଡ଼ିଶାର ଶିଳ୍ପ ଓ ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବ।


