କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଥାନା ଅନ୍ତର୍ଗତ ଖଣ୍ଡିଆପାଟଣା ଗାଁରେ ଏକ ବଡ଼ ଧରଣର ଡକାୟତି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗତକାଲି ରାତି ପ୍ରାୟ ୮ଟା ସମୟରେ ପ୍ରାୟ ୧୨ ଜଣ ଦୁର୍ବୃତ୍ତ ଧନେଶ୍ୱର ରାଉତଙ୍କ ଘରେ ପଶି ପରିବାର ସଦସ୍ୟଙ୍କୁ ଭୟଭୀତ କରି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ଦୁର୍ବୃତ୍ତମାନେ ଘରର ପଛପଟ ଦ୍ୱାର ଦେଇ ଭିତରକୁ ପ୍ରବେଶ କରିଥିଲେ। ଘର ଭିତରକୁ ପଶିବା ପରେ ସେମାନେ ମାରଣାସ୍ତ୍ର ଦେଖାଇ ପରିବାର ଲୋକଙ୍କୁ ଧମକ ଦେଇଥିଲେ। କେତେକଙ୍କ ବେକରେ ଭୁଜାଲି ଓ ଖଣ୍ଡା ଲଗାଇ ସମସ୍ତଙ୍କୁ ଏକ କୋଠରୀ ଭିତରେ ବନ୍ଦ କରି ରଖିଥିଲେ।
ଏହାପରେ ଦୁର୍ବୃତ୍ତମାନେ ଘରେ ଥିବା ଗଡରେଜ୍ ଲକର ଭାଙ୍ଗି ସୁନା, ରୁପା ଅଳଙ୍କାର ସହ ନଗଦ ୯୫ ହଜାର ଟଙ୍କା ଲୁଟି ନେଇଥିଲେ। ଲୁଟ୍ ହୋଇଥିବା ସୁନା ଓ ରୁପା ଅଳଙ୍କାରର ଆନୁମାନିକ ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ହେବ ବୋଲି ପରିବାର ପକ୍ଷରୁ କୁହାଯାଇଛି।
ଘଟଣା ସମ୍ପର୍କରେ ଖବର ପାଇ ଆଳି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଡକାୟତମାନଙ୍କ ପରିଚୟ ଓ ସେମାନଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଥିବା ଜଣାପଡ଼ିଛି।
ଏହି ଘଟଣା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ଓ ଅସୁରକ୍ଷାର ପରିବେଶ ସୃଷ୍ଟି ହୋଇଛି। ପୁଲିସ ଖୁବ୍ ଶୀଘ୍ର ଘଟଣାର ପର୍ଦ୍ଦାଫାଶ କରିବ ବୋଲି ଆଶା କରାଯାଉଛି।


