ରଣପୁର: ରଣପୁର ବ୍ଲକ ଅନ୍ତର୍ଗତ ଲୋଧାଚୁଆ ପଞ୍ଚାୟତର ଯୁବ ପ୍ରତିଭା ସ୍ୱାଗତ କୁମାର ବେହୁରା OJEE ଅଧୀନରେ ଆୟୋଜିତ MTech ପରୀକ୍ଷାରେ ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ରଣପୁର ତଥା ନୟାଗଡ଼ ଜିଲ୍ଲାର ଗୌରବ ବଢ଼ାଇଛନ୍ତି।
ନୟାଗଡ଼ ଜିଲ୍ଲାର ସାରଙ୍ଗଧରପୁର ଅଞ୍ଚଳର ଛାତ୍ର ସ୍ୱାଗତ କୁମାର ବେହୁରା MTech ର ସମସ୍ତ ବିଶେଷଜ୍ଞତା ବିଭାଗ ମଧ୍ୟରେ ସର୍ବୋଚ୍ଚ ସ୍ଥାନ ହାସଲ କରିଛନ୍ତି। ଅଡାଲ ନିବାସୀ ତଥା ଓଡିଶାର ଜଣାଶୁଣା ସୁପରିଚିତ ଶିକ୍ଷାବିତ ଗଦାଧର ବେହୁରା ଓ ସୌଦାମିନୀ ବେହୁରାଙ୍କ ସୁପୁତ୍ର ଅଟନ୍ତି। ତାଙ୍କର ଏହି ସଫଳତା ଶିକ୍ଷା କ୍ଷେତ୍ରରେ ନୟାଗଡ଼ ଜିଲ୍ଲା ତଥା ରଣପୁର ଅଞ୍ଚଳକୁ ନୂତନ ପରିଚୟ ଦେଇଛି।
ସ୍ୱାଗତଙ୍କ ଏହି ଅସାଧାରଣ କୃତିତ୍ୱ ପାଇଁ ବିଭିନ୍ନ ମହଳରୁ ଶୁଭେଚ୍ଛାର ସୁଅ ଛୁଟିଛି। ବାଚସ୍ପତି ସୁରମା ପାଢ଼ୀ, ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ନୟାଗଡ଼ ଜିଲ୍ଲା ବିଜେପି ସଭାପତି ତାପସ ରଞ୍ଜନ ମାର୍ଥା ତାଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।
ସ୍ୱାଗତ କୁମାର ବେହୁରାଙ୍କ ଏହି ସଫଳତା ଅଞ୍ଚଳର ଯୁବପିଢ଼ୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି। ତାଙ୍କର ପରିଶ୍ରମ, ନିଷ୍ଠା ଓ ଅଧ୍ୟବସାୟ ଆଗାମୀ ଦିନରେ ଅନ୍ୟ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଲକ୍ଷ୍ୟ ହାସଲ କରିବାକୁ ଉତ୍ସାହିତ କରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।


