କୋଲକାତା: ପଶ୍ଚିମବଙ୍ଗ ଦିଘାସ୍ଥିତ ଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ଉଠାଇବା ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଘୋଷଣା କରିଛନ୍ତି। ପୁରୀ ସାଂସଦ ଡକ୍ଟର ସମ୍ବିତ ପାତ୍ର ମଙ୍ଗଳବାର ଏହି ପ୍ରସଙ୍ଗରେ କୋଲକାତାସ୍ଥିତ ନବାନ୍ନଠାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ। ଦିଘା ଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ଉଠାଇବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଏକ ପତ୍ର ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ହସ୍ତାନ୍ତର କରିଥିଲେ। ଉଭୟଙ୍କ ମଧ୍ୟରେ ଆଲୋଚନା ପରେ ଧାମ ଶବ୍ଦ ଉଠାଇବାକୁ ଶୁଭେନ୍ଦୁ ଘୋଷଣା କରିଛନ୍ତି। ଖୁବ ଶୀଘ୍ର ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହେବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି। ଏଥିପାଇଁ ଡକ୍ଟର ପାତ୍ର ତାଙ୍କୁ କୃତଜ୍ଞତା ଜଣାଇଛନ୍ତି।


